ଭୁବନେଶ୍ବର: ବିଜେଡିରେ ଥମୁନି ଓ୍ବକଫ୍ ନିଆଁ । ଜୋରଦାର ହେଲା ବିଜେଡି କଳି । ପ୍ରଥମେ ଓ୍ବକଫ୍ ସଂଶୋଧନ ବିଲ ସମର୍ଥନରେ ଭୋଟକୁ ନେଇ ସସ୍ମିତ ପାତ୍ରଙ୍କୁ କିଛି ବିଜେଡି ନେତା ଟାର୍ଗେଟ୍ କଲେ । ପରେ ବିଜେଡି ନିଷ୍ପତିରେ ୟୁଟର୍ଣ୍ଣ ପଛରେ କିଏ, ତାକୁ ନେଇ ଚର୍ଚ୍ଚା ହେଲା । ସାଂସଦ ଦେବାଶିଷ ସାମନ୍ତରାୟ ଭିକେ ପାଣ୍ଡିଆନଙ୍କ ନାଁ ନେଇ ସିଧାସଳଖ କହିବା ପରେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ଅନ୍ୟ ନେତା । ବିଜେଡି ବନାମ ବିଜେଡି କଳି ବଢିବାରେ ଲାଗିଲା । ସେପଟେ ସଂଖ୍ୟାଲଘୁ ସଂପ୍ରଦାୟର କର୍ମୀ ନବୀନ ନିବାସରେ ପାଣ୍ଡିଆନ୍ ଗୋ ବ୍ୟାକର ନାରା ଲଗାଇଲେ । ଏସବୁ ପରେ ବି କେବଳ ଅନୁଧ୍ୟାନ କରିବାକୁ କହି ନିରବ ରହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେପଟେ ଦଳରେ ବଢିବାରେ ଲାଗିଛି ଫାଟ ।
ବରିଷ୍ଠଙ୍କ ବୈଠକରେ କ’ଣ ହେଲା?
ବିଜେଡିରେ ଓ୍ବକଫ୍ ଝଡ଼କୁ ନେଇ ବଡ ହଲଚଲ ଚାଲିଥିବା ବେଳେ ନବୀନ ନିବାସରେ ପହଞ୍ଚିଥିଲେ ଅନେକ ବରିଷ୍ଠ ନେତା । ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସଙ୍କ ପରି ନେତା ନବୀନ ନିବାସରେ ପହଞ୍ଚି ଆଲୋଚନା କରିଥିଲେ । ତେବେ ଭିତରେ କଣ ଆଲୋଚନା ହେଲା ସେନେଇ ମୁହଁ ଖୋଲି ନାହାନ୍ତି ବରିଷ୍ଠ ନେତା । ସାଂଗଠନିକ ନିର୍ବାଚନ ପାଇଁ ଆଲୋଚନା ହୋଇଥିବା କହିଛନ୍ତି । ଏହାସହ ଯେଉଁ ସନ୍ଦେହ ସୃଷ୍ଟି ହୋଇଛି ନବୀନ ଦୂର କରିବେ କହିଛନ୍ତି। ସେପଟେ ଘଟଣା ଉପରେ ଶୀଘ୍ର ଯବନିକା ପଡିବା ଉଚିତ୍ ବୋଲି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା କହିଛନ୍ତି ।
ଡିଲ୍ କରିଥିଲେ ମାନସ ମଙ୍ଗରାଜ !
ବରିଷ୍ଠ ନେତା ମୁହଁ ଖୋଲିନଥିଲେ ବି ବିଜେଡିରେ ଥମୁନି ବୟାନବାଜି । ବିଲକୁ ସମର୍ଥନ ପଛରେ ସାଂସଦ ମାନସ ମଙ୍ଗରାଜ ଡିଲ୍ କରିଥିବା କହିଛନ୍ତି ବିଜୁ ଯୁବ ଜନତା ଦଳ ନେତା ନୀଳମାଧବ ମହାନ୍ତି । ଭୋଟିଂ ପରଦିନ ସସ୍ମିତ ପାତ୍ରଙ୍କୁ ସେ ଫୋନ୍ କରି ପଚାରିଥିଲେ । ବିବେକ ଅନୁଯାୟୀ ଭୋଟ୍ ପାଇଁ ମାନସ ମଙ୍ଗରାଜ କହିଥିବା ସସ୍ମିତ ସେତେବେଳେ କହିଥିଲେ ବୋଲି ନୀଳମାଧବ କହିଛନ୍ତି । ମାନସ ମଙ୍ଗରାଜ ବିଜେପିର ଦଲାଲ ସାଜିଥିବା ଅଭିଯୋଗ କରିବା ସହ ମାନସ ଓ ସସ୍ମିତଙ୍କୁ ବିଜୁ ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ବିରୋଧ କରାଯିବ ବୋଲି ସେ କହିଛନ୍ତି । ତେବେ ଏନେଇ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ବିଜେଡିରେ ବଢୁଛି ଫାଟ !
ଓ୍ବକଫ ବିଲ ସପକ୍ଷରେ ମତଦାନ ଘଟଣା ବିଜେଡି ଭିତର କଳିକୁ ପଦାରେ ପକାଇଛି । ଗତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରଠୁ ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ କୁହୁଥିଲା । କିଛି ନେତା ପରୋକ୍ଷରେ ତାଙ୍କୁ ଇଙ୍ଗିତ କଲାଭଳି ବୟାନ ବି ଦେଇଥିଲେ, ହେଲେ ଏଥର ସିଧାସଖଳ ତାଙ୍କ ନାଁ ନେଇ ଟାର୍ଗେଟ୍ କରିଛନ୍ତି ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ତ୍ରିପାଠୀଙ୍କ ପରି ନେତା । ଆଉ ପାଣ୍ଡିଆନଙ୍କ ବିରୋଧରେ ପଦେ କହୁ କହୁ ତାଙ୍କ ସୁରକ୍ଷାରେ ବାହାରିଛନ୍ତି ଦଳର ସାଂସଦ ଓ ନେତା । ସୋସିଆଲ୍ ମିଡିଆରେ ନିଜ ଦଳର ନେତାଙ୍କୁ ଟାର୍ଗେଟ୍ କରିବାକୁ ବି ଭୁଲି ନାହାନ୍ତି । ବିଜେଡିରେ ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିବା ବେଳେ, ନବୀନ କେବଳ ଅନୁଧ୍ୟାନ କରୁଥିବା କହି ନିରବ ରହିଛନ୍ତି । ଦଳ ଗଠନ ପରଠୁ ଧର୍ମନିରପେକ୍ଷତାର ଆଦର୍ଶରେ ଚାଲିଆସିଥିବା ବିଜେଡି ଓ୍ବକଫ୍ ବିଲକୁ ସମର୍ଥନ କରି ସଂଖ୍ୟାଲଘୁଙ୍କ ବିଶ୍ବାସ ହରାଇବା ନେଇ ଆଶଙ୍କା ବଢିଛି । ଏହାର ଝଲକ ସୋମବାର ନବୀନ ନିବାସରେ ବି ଦେଖିବାକୁ ମିଳିଛି । ଦିନେ ସବୁଠୁ ଅଧିକ ଦବଦବା ଥିବା ପାଣ୍ଡିଆନଙ୍କ ବିରୋଧରେ ନାରା ଲଗାଇଛନ୍ତି ସଂଖ୍ୟାଲଘୁ କର୍ମୀ । ସେପଟେ ଦଳ ଭିତରର କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ବିଜେଡିର ଭବିଷ୍ୟତ କଣ ହେବ, ତାହା ଅନିଶ୍ଚିତତା ମଧ୍ୟରେ ରହିଛି ।
Comments are closed.