Latest Odisha News

BREAKING NEWS

ମୋଦୀଙ୍କ ଉପରେ ବିବିସି ରିପୋର୍ଟ: ଗଭୀର ଗବେଷଣା କରି ରିପୋର୍ଟ କରିଛୁ ବୋଲି କହିଲା ମିଡିଆ ହାଉସ୍

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି କରିଥିବା ଏକ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଦେଖାଦେଇଛି। ବ୍ରିଟେନ୍‌ ସଂସଦରେ ମଧ୍ୟ ଏହାକୁ ଉଦ୍ଦେଶ୍ୟପ୍ରଣୋଦିତ ରିପୋର୍ଟ କହି ନିନ୍ଦା କରାଯିବ ସହ ଭାରତରେ ମଧ୍ୟ ଏହାକୁ କଡ଼ା ନିନ୍ଦା କରାଯାଇଛି।
ଏଭଳି ରିପୋର୍ଟିଂର ସମାଲୋଚନା ହେବା ପରେ ଏବେ ଏନେଇ ପ୍ରତିକ୍ରିୟା ରଖିଛି ବିବିସି। ଏହି ଡକ୍ୟୁମେଣ୍ଟାରିରେ ଗଭୀର ଅଧ୍ୟୟନ କରାଯାଇଛି ବୋଲି ବ୍ରିଟି ବ୍ରୋଡ୍‌କାଷ୍ଟିଂ କର୍ପୋରେସନ କହିଛି। ପିଟିଆଇକୁ ସୂଚନା ଦେଇ ବିବିସ କହିଛି “ ଉଚ୍ଚମାନ ସମ୍ପାଦକୀୟରେ ଗଭୀର ଅଧ୍ୟନ କରି ଏହି ରିପୋର୍ଟିଂ କରାଯାଇଛି।” ପିଟିଆଇକୁ ସୂଚନା ଦେଇ ବିବିସି ପ୍ରବକ୍ତା ଏହି ସୂଚନା ଦେଇଛନ୍ତି।

ଗଭୀର ଅଧ୍ୟୟନ କରି ରିପୋର୍ଟିଂ କରିଛୁ: ବିବିସି

ଏହି ଡକ୍ୟୁମେଣ୍ଟାରି ତିଆରି କଲା ବେଳେ ବିବିସି ଅନେକ ଲୋକଙ୍କର ମତ ନେଇଛି। ଅନେକ ପ୍ରସଙ୍ଗ ଉପରେ କଥା ଉଠାଇଛି ବୋଲି ବ୍ରିଟିଶ ମିଡିଆ କହିଛି। ବିବିସି କହିଛି “ଏହି ରିପୋର୍ଟିଂ ପାଇଁ ଆମେ ଅନେକ ପ୍ରକାର ଟିପ୍ପଣୀ, ସାକ୍ଷୀ ଓ ବିଶେଷଜ୍ଞଙ୍କ ମତ ନେଇଥିଲୁ। ଏସବୁ ଆମେ ଏଥିରେ ଦେଖାଇଛୁ ମଧ୍ୟ। ଏଥିରେ ବିଜେପି ନେତାଙ୍କର ମତ ବି ସାମିଲ୍ ଅଛି। ତେବେ ଏହି ଡକ୍ୟୁମେଣ୍ଟାରି ଉଠିଥିବା ପ୍ରଶ୍ନ ଉପରେ ମତ ରଖିବାକୁ ଆମେ ଭାରତ ସରକାରଙ୍କ ସହ ସମ୍ପର୍କ କରିଥିଲୁ। ହେଲେ ଭାରତ ସରକାର ଏନେଇ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଥିଲେ।”

ସାରା ବିଶ୍ୱର ଥିବା ବଡ଼ ସମସ୍ୟାଗୁଡ଼ିକୁ ଲୋକଙ୍କ ସାମ୍ନାରେ ଆଣିବାକୁ ବିବିସି ପ୍ରତିଶ୍ରୁତିବଦ୍ଧ। ଏହି ଡକ୍ୟୁମେଣ୍ଟାରିରେ ଭାରତରେ ସଂଖ୍ୟା ବହୁଳ ହିନ୍ଦୁ ଓ ସଂଖ୍ୟା ଲଘୁ ମୁସଲମାନଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ପରୀକ୍ଷଣ କରାଯାଇଥିଲା। ଏହି ଟେନ୍‌ସନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରାଜନୀତି ସମୀକରଣକୁ ଅନୁସନ୍ଧାନ କରିଛି।

ମୂଳପାକିସ୍ତାନୀ ସାଂସଦର ପାଟି ଚୁପ୍ କରାଇଦେଲେ ଋଷି ସୁନକ

ଗତକାଲି ବ୍ରିଟେନ୍ ସଂସଦରେ ବିବିସିର ଏହି ରିପୋର୍ଟକୁ ନେଇ ଆଲୋଚନା କରାଯାଇଥିଲା। ମୂଳପାକିସ୍ତାନୀ ବ୍ରିଟିଶ୍ ସାଂସଦ ଇମ୍ରାନ ହୁସେନ୍ ବିବିସି ରିପୋର୍ଟ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିବାକୁ ଚାହିଁଥିଲେ। ଏହି ରିପୋର୍ଟକୁ ନେଇ ସୁନକ ସରକାରଙ୍କର ଆଭିମୁଖ୍ୟ ଜାଣିବାକୁ ଚାହିଁଥିଲେ ଇମ୍ରାନ। ଏନେଇ ସେ କହିଥିଲେ ଯେ ୟୁକେର କିଛି ଫରେନ କାର୍ଯ୍ୟାଳୟରେ ଥିବା ରାଷ୍ଟ୍ରଦୂତମାନେ ଗୁଜରାଟ ଦଙ୍ଗା ପାଇଁ ସିଧାସଳଖ ବିବିସିର ମୋଦୀଙ୍କୁ ଦାୟୀ କରନ୍ତି। ତେବେ ବିବିସି ପ୍ରକାଶ କରିଥିବା ଏହି ରିପୋର୍ଟରେ କଣ ବ୍ରିଟେନ୍ ସରକାର ଏକମତ କି ବୋଲି ଇମ୍ରାନ ପ୍ରଶ୍ନ କରିଥିଲେ।
ଯାହାର ଉତ୍ତର ରଖି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷ ସୁନକ କଡ଼ା ଜବାବ ଦେଇଥିଲେ। ଦୀର୍ଘଦିନ ଧରି ବ୍ରିଟେନ୍ ସରକାରଙ୍କର ଯାହା ଆଭିମୁଖ୍ୟ ଥିଲା ତାହା ଏବେ ବି ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଯେଉଁଠାରେ ବି ଉତ୍ପୀଡ଼ନ ହେଉଛି ଆମେ ଏହାକୁ ବିରୋଧ କରିବୁ। କିନ୍ତୁ ମୋତେ ଲାଗୁନି ଯେ ସାଂସଦ ଯେଉଁସବୁ ପ୍ରସଙ୍ଗ ଉପରେ ପ୍ରଶ୍ନ କରିଛନ୍ତି ସେଥିରେ ମୁଁ ଏକମତି ହେବି।

କଣ କହିଲା ଭାରତ ?

ବିବିସିର ଏହି ରିପୋର୍ଟକୁ ନେଇ ପ୍ରଥମେ ବ୍ରିଟେନ୍ ସଂସଦରେ ସମାଲୋଚନା କରାଯାଇଥିଲା। ଜଣେ ବ୍ରିଟେନ୍ ସାଂସଦ ଏହାକୁ ପକ୍ଷପାତମୂଳକ ରିପୋର୍ଟ ବୋଲି କହି ସମାଲୋଚନା କରିଥିଲେ। ଏହାପରେ ମାମଲା ସାମ୍ନାକୁ ଆସିବା ପରେ ଭାରତ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଭାରତରେ ଦେଖାଯାଇ ନାହିଁ। ଏହା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ରିପୋର୍ଟିଂ ବୋଲି ଭାରତ କହିଛି।

ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ କହିଛନ୍ତି ” ଆମେ ଭାବୁଛୁ ଯେ ଏହା ଏକ ଉଦ୍ଦେଶ୍ୟପ୍ରଣୋଦିତ ପ୍ରଚାର ସର୍ବସ୍ୱ କଥା। ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ବଦନାମ କରିବାକୁ ଏଭଳି କାର୍ଯ୍ୟକ୍ରମ କରାଯାଇଛି। ଏହି ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ପକ୍ଷପାତପୂର୍ଣ୍ଣ, ବସ୍ତୁନିଷ୍ଠତାର ଅଭାବ ଓ ଉପନିବେଶିକ ମାନସିକତାକୁ ସ୍ପଷ୍ଟ ଭାବେ ଦର୍ଶାଉଛି।“

ଇତି ମଧ୍ୟରେ ବ୍ରିଟେନ୍‌ରେ ରହୁଥିବା ମୂଳ ଭାରତୀୟ ବ୍ରିଟେନ୍ ନାରିକମାନେ ଡକ୍ୟୁମେଣ୍ଟାରି ସିରିଜ୍‌ରେ ମୋଦୀଙ୍କ ଚରିତ୍ର ଚିତ୍ରଣ କରିବାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି। ଏନେଇ ବିବିସିକୁ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

Leave A Reply

Your email address will not be published.