Latest Odisha News

ଅକ୍ଷୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୩ ବର୍ଷରେ ନିବେଶ କରିବ ୭୫ ହଜାର କୋଟି ଟଙ୍କା

ଭୁବନେଶ୍ବର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୪ ତମ ବାର୍ଷିକ ସାଧାରଣ ବୈଠକରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରିଲାଏନ୍ସ ପକ୍ଷରୁ ଗୁଜରାଟର ଜାମନଗରଠାରେ ଧିରୁଭାଇ ଅମ୍ବାନି ଗ୍ରୀନ ଏନର୍ଜି ଗିଗା କଂପ୍ଲେକ୍ସ ସ୍ଥାପନ କରାଯିବା ନେଇ ଘୋଷଣା କରିଛନ୍ତି । ୫ ହଜାର ଏକର ପରିମିତ ଅଞ୍ଚଳରେ ସ୍ଥାପନ କରାଯିବାକୁ ଥିବା ଏହି କଂପ୍ଲେକ୍ସ ବିଶ୍ୱର ଅନ୍ୟତମ ସର୍ବବୃହତ ସମନ୍ୱିତ ଅକ୍ଷୟ ଶକ୍ତି ନିର୍ମାଣ ସୁବିଧା ଭାବରେ ପରିଚିତ ହେବ । ଭର୍ଚୁଆଲରେ ଅନୁଷ୍ଠିତ ଆରଆଇଏଲ୍‌ର ବାର୍ଷିକ ସାଧାରଣ ବୈଠକରେ ସୂଚନା ଦେଇଛନ୍ତି ମୁକେଶ ଅମ୍ବାନୀ । ଜାମନଗର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୁରାତନ ଶକ୍ତି ବ୍ୟବସାୟର ବିକାଶ ଭୂମି ରହିଥିଲା । ଏହା ନୂଆ ଶକ୍ତି ବ୍ୟବସାୟର ବିକାଶ ସ୍ଥଳ ଭାବରେ ପରିଚିତ ହେବ ବୋଲି କହିଛନ୍ତି ଅମ୍ବାନୀ ।

ଏଥିପାଇଁ କମ୍ପାନୀର ତ୍ରିସ୍ତରୀୟ ଯୋଜନା ରହିଥିବା ସମ୍ପର୍କରେ ପ୍ରକାଶ କରି ଅମ୍ବାନି କହିଛନ୍ତି ଯେ, ଯୋଜନାର ପ୍ରଥମ ଭାଗରେ ଏହା ଚାରିଟି ଗିଗା କାରଖାନା ସ୍ଥାପନ କରିବ । ଏହି କାରଖାନାରେ ନୂତନ ଶକ୍ତି ପରିବ୍ୟବସ୍ଥା ପାଇଁ ଆବଶ୍ୟକ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ନିର୍ମାଣ ସହିତ ସେଗୁଡିକୁ ସମନ୍ୱିତ କରାଯିବ । ଗୋଟିଏ କାରଖାନାରେ ସମନ୍ୱିତ ସୋଲାର ଫଟୋଭୋଲଟାଇକ ମଡ୍ୟୁଲ, ଦ୍ୱିତୀୟ କାରଖାନାରେ ଶକ୍ତି ସଂରକ୍ଷଣକାରୀ ବ୍ୟାଟେରୀ ଉତ୍ପାଦନ, ତୃତୀୟରେ ସବୁଜ ଉଦ୍‌ଯାନ (ହାଇଡ୍ରୋଜେନ୍‌) ଉତ୍ପାଦନ ପାଇଁ ଇଲେକ୍ଟ୍ରୋଲାଇଜର କାରଖାନା ଏବଂ ଚତୁର୍ଥ କାରଖାନାରେ ହାଇଡ୍ରୋଜେନ୍‌କୁ ଶକ୍ତିରେ ପରିବର୍ତ୍ତିତ କରିବା ପାଇଁ ଫୁଏଲ ସେଲ୍ ଉତ୍ପାଦନ କରାଯିବ । ଏଥିପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୭୦ ହଜାର କୋଟି ଟଙ୍କା ନିବେଶ କରାଯିବ ।

ସୋଲାର ଫଟୋଭୋଲଟାଇକ ଗିଗା କାରଖାନା ସୌରଶକ୍ତି ଉତ୍ପାଦନ କରିବ । ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଥିବା ଲକ୍ଷ୍ୟକୁ ନେଇ ଆମେ ଅତ୍ୟନ୍ତ ଉତ୍ସାହୀ ଏବଂ ଏହି ପ୍ରକଳ୍ପ ସେହି ଲକ୍ଷ୍ୟ ହାସଲ ଦିଗରେ ପ୍ରୟାସ କରିବ ବୋଲି ଅମ୍ବାନି କହିଛନ୍ତି । ରିଲାଏନ୍ସ ୨୦୩୦ ସୁଦ୍ଧା ଅନ୍ୟୂନ ୧୦୦ ଗିଗାୱାଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ଏବଂ ତାହା କର୍ଯ୍ୟକ୍ଷମ କରିବ ବୋଲି ଘୋଷଣା କରିଥିଲେ । ଦିନରେ ସୌରଶକ୍ତି ଉପଲବ୍ଧ ହେଉଥିବା ବେଳେ ତାହା ଗଚ୍ଛିତ କରି ରଖିବାକୁ ରିଲାଏନ୍ସ ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ଗ୍ରୀଡ ବ୍ୟାଟେରୀ ଉତ୍ପାଦନ ପାଇଁ ଏକ ବୃହତ ପ୍ରକଳ୍ପ ସ୍ଥାପନ କରିବ । ବିଶ୍ୱସ୍ତରରେ ବ୍ୟାଟେରୀ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଣୀ ସଂସ୍ଥାଗୁଡିକ ସହିତ ମିଳିତ ଭାବରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ ।

ବିଦ୍ୟୁତ ବ୍ୟତୀତ ଗ୍ରୀନ ହାଇଡ୍ରୋଜେନ ମଧ୍ୟ ଏକ ଅନନ୍ୟ ଶକ୍ତି ବାହକ ହୋଇପାରିବ ଏବଂ ଏଥିପାଇଁ ରିଲାଏନ୍ସ ଇଲେକ୍ଟ୍ରୋଲାଇଜର ଗିଗା କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁଠାରେ ମଡୁଲାର ଇଲେକ୍ଟ୍ରୋଲାଇଜର ତିଆରି କରାଯିବ ବୋଲି ଅମ୍ବାନି ସୂଚନା ଦେଇଛନ୍ତି । ଏହାସହ ଆରଆଇଏଲ ଫୁଏଲ ସେଲ କାରଖାନା ମଧ୍ୟ ସ୍ଥାପନ କରିବ । ପରିବେଶ ପ୍ରଦୂଷଣ ରୋକିବାରେ ଏହା ବିଶେଷ ସହାୟକ ହେବ । ଭବିଷ୍ୟତରେ ଫୁଏଲ ସେଲ ଗୁଡିକ ଇଣ୍ଟରନାଲ କମ୍ବସନ୍ ଇଞ୍ଜିନର ସ୍ଥାନ ନେବ । ଫୁଏଲ ସେଲ ଇଞ୍ଜିନଗୁଡିକ ଯାନବାହନ, ଟ୍ରକ ଏବଂ ବସ ଆଦିକୁ ମଧ୍ୟ ଶକ୍ତି ଯୋଗାଇବାକୁ ସମର୍ଥ ହେବ । ଏପରିକି ତାହାକୁ ଡାଟା ସେଣ୍ଟର, ଟେଲିକମ ଟାୱାର, ଜରୁରୀକାଳୀନ ଜେନେରେଟର ଏବଂ ମାଇକ୍ରୋ ଗ୍ରିଡ ତଥା ଶିଳ୍ପ ଯନ୍ତ୍ରପାତିକୁ ଶକ୍ତି ଯୋଗାଇବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ।

ଆରଆଇଏଲ ଦେଶରେ ମୂଲ୍ୟ ଶୃଙ୍ଖଳ, ସହଭାଗିତା ଏବଂ ଭବିଷ୍ୟତର ପ୍ରଯୁକ୍ତି ପରିବ୍ୟବସ୍ଥା କ୍ଷେତ୍ରରେ ଅତିରିକ୍ତ ୧୫ ହଜାର କୋଟି ଟଙ୍କା ନିବେଶ କରିବ । ଏହା ଉଭୟ ଅପ୍‌ଷ୍ଟ୍ରିମ ଏବଂ ଡାଉନଷ୍ଟ୍ରିମ ଶିଳ୍ପରେ ନିବେଶ ହେବ । ଏଭଳି ଭାବରେ ଆଗାମୀ ତିନି ବର୍ଷ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନୂତନ ବା ଅକ୍ଷୟ ଶକ୍ତି ବ୍ୟବସାୟରେ ମୋଟ ୭୫ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ ।

ବିଗତ ବର୍ଷରେ ରିଲାଏନ୍ସ ଫିଜିକାଲ ଏବଂ ଡିଜିଟାଲ ପ୍ରଯୁକ୍ତିର ମିଶ୍ରଣରେ ଇଞ୍ଜିନିୟରିଂ, ପ୍ରକଳ୍ପ ପରିଚାଳନା ଏବଂ ନିର୍ମାଣ ସାମର୍ଥ୍ୟରେ ଉଲ୍ଲେଖନୀୟ ବିକାଶ ଘଟାଇଛି । ଏହି ସାମର୍ଥ୍ୟକୁ ଅନ୍ୟ ପ୍ରମୁଖ ଆନ୍ତର୍ଜାତିକ ସଂଗଠନ ସହିତ ମିଶି ବିଶ୍ୱ ଶ୍ରେଣୀର ଅକ୍ଷୟ ଶକ୍ତି ସମାଧାନ ବ୍ୟବସ୍ଥା କାର୍ଯ୍ୟକାରୀ ଓ ଯୋଗାଣ ଦିଗରେ ଉପଯୋଗ କରାଯିବ ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ଏହି ପରିବ୍ୟବସ୍ଥାକୁ ଅଧିକ ଦୃଢିଭୂତ କରିବାକୁ ଆଉ ଦୁଇଟି ଡିଭିଜନ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ଅମ୍ବାନୀ । ସେଥିମଧ୍ୟରୁ ଗୋଟିଏ ଉତ୍ସର୍ଗୀକୃତ ଅକ୍ଷୟ ଶକ୍ତି ପ୍ରକଳ୍ପ ପରିଚାଳନା ଓ ନିର୍ମାଣ ଡିଭିଜନ ଏବଂ ଦ୍ୱିତୀୟଟି ସ୍ୱତନ୍ତ୍ର ଭାବରେ ଅକ୍ଷୟ ଶକ୍ତି ପ୍ରକଳ୍ପ ଫାଇନାନ୍ସ ଡିଭିଜନ ।

ଆରଆଇଏଲ୍‌ର ଏହି ପ୍ରୟାସ ଦ୍ୱାରା କିଛିବର୍ଷ ମଧ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ନିୟୁତାଧିକ ସଂଖ୍ୟାରେ ନୂତନ ଏବଂ ଗୁଣାତ୍ମକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଦ୍ୱାରା ରିଲାଏନ୍ସ ଗୁଜରାଟ ଏବଂ ସମଗ୍ର ଭାରତକୁ ବିଶ୍ୱ ସୌର ଓ ହାଇଡ୍ରୋଜେନ ମାନଚିତ୍ରରେ ସ୍ଥାନ ଦେବ । ରିଲାଏନ୍ସର ସମସ୍ତ ଉତ୍ପାଦ, ‘ଭାରତରେ ନିର୍ମିତ, ଭାରତ ଦ୍ୱାରା ନିର୍ମିତ, ଭାରତ ପାଇଁ ଓ ସମଗ୍ର ବିଶ୍ୱ ପାଇଁ’ ଗର୍ବର ସହିତ ପରିଚିତ ହେବ ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ଏହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଉ ଏକ ବୃହତ ଅବଦାନ ହୋଇପାରିବ କହିଛନ୍ତି ଅମ୍ବାନୀ ।

Comments are closed.