Latest Odisha News

BREAKING NEWS

ଆଧୁନିକ ଓ ପାରମ୍ପରିକ କଳାର ଏକ ମିଶ୍ରିତ ରୂପ : ଶିଳ୍ପୀଗୁରୁ ବ୍ରଜକିଶୋର ଜେନା

କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ  

୧୯୫୭ ମସିହା ଜୁଲାଇ ମାସ ୬ ତାରିଖରେ ବାଲେଶ୍ୱର ଜିଲ୍ଲା ଗୋହିରାପଦା ଗାଁର ଜଗବନ୍ଧୁ ଜେନା ଓ ମାତା ରୁକ୍ମଣୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ ଶିଳ୍ପୀ ବ୍ରଜକିଶୋର ଜେନା । ବାଲ୍ୟକାଳରୁ ଚିତ୍ରକଳା ପ୍ରତି ରହିଥିଲା ତାଙ୍କ ଅସମ୍ଭବ ଧରଣର ଦୁର୍ବଳତା । ଘରର ବାରଣ ସତ୍ତ୍ୱେ ଲୁଚିଛପି ଆରମ୍ଭ କରିଥିଲେ କଳାସାଧନା ।

ଗତାନୁଗତିକ ଧାରାରେ କାମ ନକରି ଭିନ୍ନ ଭିନ୍ନ ଶୈଳୀରେ ମୂର୍ତ୍ତି ଗଢିବାକୁ ପସନ୍ଦ କରନ୍ତି ବ୍ରଜକିଶୋର । ସୋରର ୫ ନଂ. ଜାତୀୟ ରାଜପଥ କଡକୁ ଲାଗି ରହିଥିବା ତାଙ୍କ କର୍ମଶାଳାରେ ଉଭୟ ତୈଳ ଚିତ୍ର ସହ କାଠ,ଫାଇବର ମାର୍ବଲ ଓ ମୁଗୁନି ପଥରର କଳାକୃତି ନିର୍ମାଣ କରାଯାଇଥାଏ । ତାଙ୍କ ହାତ ତିଆରି ପ୍ରସିଦ୍ଧ କଳାକୃତି ଗୁଡିକ ମଧ୍ୟରେ ରହିଛି ଜଳନ୍ଧର ବଧ, ଉଗ୍ର ପର୍ଶୁରାମ, ବସନ୍ତ ଅନୁରାଗ, ବିଖଣ୍ଡିତ ପ୍ରୟାସ, ବୀରଭୋଗ୍ୟା ବସୁନ୍ଧରା ଓ କଦମ୍ବ ବିଳାସ ଆଦି । ତାଙ୍କ ପ୍ରତିଟି କାମରେ ରିଏଲଷ୍ଟିକ ଓ ଟ୍ରାଡିସନାଲ ଉଭୟର ଏକ ସମ୍ମିଶ୍ରଣ ଦେଖିବାକୁ ମିଳେ ।

ବୟସର ଅପରାହ୍ନରେ ପହଁଚିଥିବା ଏହି ଶିଳ୍ପୀ ଆଜିବି ବେଶ ଚଳ ଚଞ୍ଚଳ । ତାଙ୍କ ନିକଟରୁ କଳାଶିକ୍ଷା କରି ୮୦ରୁ ଉର୍ଦ୍ଧ ଶିଳ୍ପୀ କଳାକାରିଗରୀ ମାଧ୍ୟମରେ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲେଶ୍ୱର ଗସ୍ତରେ ଅସିଥିିବା ବେଳେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ଏକ କଳାକୃତି (ବିଖଣ୍ଡିତ ପ୍ରୟାସ) ପ୍ରଦାନ କରି ରାଜ୍ୟରେ ବେଶ ଚର୍ଚ୍ଚିତ ହୋଇଥିଲେ ଶିଳ୍ପୀ ବ୍ରଜ କିଶୋର ।

ଜଣେ ସନ୍ୟାସୀ ଭଳି ଶୃଙ୍ଖଳିତ ଜୀବନଚର୍ଯ୍ୟା ବ୍ରଜକିଶୋରଙ୍କର । ନାହିଁ ଅଧିକ ଅର୍ଥ ଲାଳସା କି ପଦ ମର୍ଯ୍ୟଦାର ଇଚ୍ଛା । ଆଜିବି ସାଇକେଲ ଖଣ୍ଡିଏ ଚଢି ଗାଁରୁ ନିଜ କର୍ମସ୍ଥଳୀକୁ ଆସିଥାନ୍ତି । ସରଳତା ତାଙ୍କ ଭୂଷଣ ଓ କାରିଗରୀ ତାଙ୍କ ପୂଜା । ସେ ଏକାଧାରରେ ଜଣେ ଶିଳ୍ପୀ , ଅଭିନେତା, ନାଟ୍ୟକାର ଓ ସୁଲେଖକ ମଧ୍ୟ । ପୁରାତନ ଶୈଳୀରେ ସେ ଅନେକ କାବ୍ୟ କବିତା ରଚନା କରିଛନ୍ତି ।

ମାତ୍ର ସପ୍ତମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି ବ୍ରଜ କିଶୋର । ଘରର ଦାରିଦ୍ର୍ୟତା କାରଣରୁ ଆଉ ଅଧିକ ପଢିବା ତାଙ୍କ ପାଇଁ ସମ୍ଭବ ହେଲାନି । ସ୍କୁଲରେ ପଢିବା ସମୟରେ ମାତ୍ର ୮ ବର୍ଷ ବୟସରୁ ଗଣେଶ ଓ ସରସ୍ୱତୀ ଆଦି ଦେବାଦେବୀ ମୂର୍ତ୍ତି ମାଟିରେ ଗଢୁଥିଲେ । ସାଙ୍ଗସାଥୀଙ୍କ ସହିତ ଖେଳିବା ଅପେକ୍ଷା ସମୟ ମିଳିଲେ କାଦୁଅ ଟେଳାଏ ଧରି ମୂର୍ତ୍ତି ଗଢି ବସୁଥିଲେ । ଶେଷରେ ମାତ୍ର ୧୫ ବର୍ଷ ବୟସରୁ କଳାକୁ ପେଶା କରି ଘରୁ ଗୋଡ କାଢିଥିଲେ ବ୍ରଜକିଶୋର । ନିଜର ଜିଜ୍ଞାସୁ ମନନେଇ ଜ୍ଞାନ ଲାଭ ଆଶାରେ ଭେଟୁଥିଲେ ଜଣକ ପରେ ଜଣେ ଶିଳ୍ପୀଙ୍କୁ । ସେ ସମୟର ବିଶିଷ୍ଟ ଚିତ୍ରଶିଳ୍ପୀ ରାଜକିଶୋର ସାହୁଙ୍କ ନିକଟରୁ ଚିତ୍ରକଳାର ବିଭିନ୍ନ ଦିଗ ସମ୍ପର୍କରେ ଅନେକ ଶିକ୍ଷା ମିଳିଥିଲା ସତ, ହେଲେ ବ୍ରଜକିଶୋର ପ୍ରକୃତିକୁ ନିଜର ଗୁରୁ ବୋଲି ମାନିଥାନ୍ତି । ଦୂର ସହରରେ ଥିବା କଳା ମହାବିଦ୍ୟାଳୟମାନଙ୍କରେ ଚିତ୍ରକଳା ସମ୍ପର୍କରେ ବିଧିବଦ୍ଧ ଶିକ୍ଷା ନେବାକୁ ଇଚ୍ଛା ଥିଲେବି ସେ ସମୟର ପରିସ୍ଥିତି ତାଙ୍କୁ ସାଥ ଦେଇନଥିଲା । ଦାରିଦ୍ର‌୍ୟତା ସାଙ୍ଗକୁ ଘର ଚଳାଇବାର ଗୁରୁ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ ଥିଲା । ତେଣୁ ତାଙ୍କୁ ଅନେକ ସମୟରେ ଦୈନିକ ମଜୁରୀରେ ଅନ୍ୟ ମାଟିମୂର୍ତ୍ତି କାରିଗରଙ୍କ ନିକଟରେ କାମ କରିବାକୁ ପଡୁଥିଲା । ଏମିତି ଧୀରେ ଧୀରେ ମାଟି କାଦୁଆ ଓ ରଙ୍ଗତୂଳୀକୁ ନେଇ ପରୀକ୍ଷା ନିରୀକ୍ଷା କରୁ କରୁ ସେ ପାଲଟିଯାଇଛନ୍ତି ଜଣେ ସୁଦକ୍ଷ ବିନ୍ଧାଣି ।

ରୋଜଗାର ପାଇଁ ନିଜର ଯୁବା ବୟସରେ ଅନେକ ସ୍ଥାନରେ ବରାଦ ଅନୁଯାୟୀ ମାଟି ମୂର୍ତ୍ତି ଗଢିବା ଓ ଯାତ୍ରା ପାର୍ଟିର ସିନ ସିନେରି ଆଙ୍କିବା କାମ କରୁଥିଲେ ବ୍ରଜ କିଶୋର । ବୁଲାବୁଲି କରି କାମ କରିବାକୁ ଭଲ ନଲାଗିବାରୁ ସେ ପ୍ରସ୍ତର ଖୋଦେଇ କଳା ପ୍ରତି ଆକୃଷ୍ଟ ହେଲେ । ନିଜ ବଡଭାଇଙ୍କ ପ୍ରେରଣା କ୍ରମେ ଲକ୍ଷ୍ମୀନାରାୟଣ ପଥର ଖୋଦେଇ ଶିଳ୍ପ ସମବାୟ ସମିତି ଗଢି ଦୀର୍ଘ କୋଡିଏ ବର୍ଷ ହେବ ସୋରକୁ ନିଜ କର୍ମଭୂମି କରିଛନ୍ତି ।

ଶୈଳୀଗତ ଦୃଷ୍ଟିରୁ ଶିଳ୍ପୀ ଏକ ନିଆରା ଓ ଉନ୍ନତ ସୈାନ୍ଦର୍ଯ୍ୟପୂର୍ଣ୍ଣ ଗାଠନିକ ଶୈଳୀର ବିକାଶ କରିଛନ୍ତି । ଶିଳ୍ପୀଙ୍କ କଳକୃତି ଗୁଡିକର ବିଶ୍ଳେଷଣ କଲେ ଜଣାପଡେ ସେ ସମାଜର ଦୈନନ୍ଦିନ ଦୁଃଖ ଯନ୍ତ୍ରଣା, ପ୍ରାକୃତିକ ଦୃଶ୍ୟ ରାଜି ସହ ପୈାରାଣିକ କଥାବସ୍ତୁ ଦ୍ୱାରା ବେଶ ପ୍ରଭାବିତ । ତାଙ୍କ ରେଖା ଚିତ୍ରଗୁଡିକ ଅଙ୍କନ ଶୈଳୀ ବେଶ ଲାଳିତ୍ୟରେ ପରିପୂର୍ଣ୍ଣ ଓ ସିଧାସଳଖ ଦର୍ଶକର ହୃଦୟକୁ ଛୁଇଁଥାଏ । ଚିତ୍ରଗୁଡିକର ବିଷୟବସ୍ତୁ ସରଳ ହୋଇଥିବାବେଳେ ଏକ ସୈାନ୍ଦର୍ଯ୍ୟବୋଧ ମାଧ୍ୟମରେ ସାମାଜିକ ବାର୍ତା ଦେବାକୁ ଚେଷ୍ଟା କରିଥାଏ ।
ଚିତ୍ରକଳାରେ ଶିଳ୍ପୀ ଉଭୟ ଜଳରଙ୍ଗ ଓ ତୈଳ ରଙ୍ଗର ବ୍ୟବହାର କରିଥାନ୍ତି । ତାଙ୍କର ଅନେକ ଚିତ୍ର ପ୍ରକୃତି ଚିତ୍ର, ସାମାଜିକ ବୈଷମ୍ୟ ଓ ପୈାରାଣିକ କଥାବସ୍ତୁ ଆଧାରିତ । ରାକା ରବି ବର୍ମାଙ୍କ ଚିତ୍ରଶୈଳୀ ଭଳି ସେ ରଙ୍ଗ ଓ ସ୍କିମ ବ୍ୟବହାର କରିଥାନ୍ତି । ଚିତ୍ରରେ ରେଖା, ସମତା, ଦୂରତା ଓ ଦୃଶ୍ୟ ପରିସୀମାକୁ ସଠିକଢଙ୍ଗରେ ପରିବେଷଣ କରିଥାନ୍ତି ଶିଳ୍ପୀ ବ୍ରଜକିଶୋର । ନାରୀର ବିଭିନ୍ନ ସୈାନ୍ଦର୍ଯ୍ୟ ବର୍ଦ୍ଧନକାରୀ ଅଙ୍ଗକୁ ନିଖୁଣ ଭାବେ ପରିବେଷଣ କରିବାରେ ସେ ବେଶ ସିଦ୍ଧହସ୍ତ । ଛଅ ଋତୁର ବର୍ଣ୍ଣନା କରିବାକୁ ଯାଇ ଶିଳ୍ପୀ ଅଙ୍କନ କରିଥିବା ଛଅଟି ଯାକ ତୈଳ ଚିତ୍ର ଏହାର ଏକ ପ୍ରକୃଷ୍ଟ ଉଦାହରଣ ।

ଭାସ୍କର୍ଯ୍ୟ ଶିଳ୍ପରେ ରହିଛି ଶିଳ୍ପୀ ବ୍ରଜକିଶୋରଙ୍କ ଅଗାଧ ପ୍ରବେଶ । ପ୍ରତିମୂର୍ତ୍ତିରେ ସେ ଜୀବନ୍ତତାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ସେଥିପାଇଁ ସେ ଗଢିଥିବା ସରସ୍ୱତୀ, ଗଣେଶ, ଶିବ, ଲକ୍ଷ୍ମୀ ଓ ଦୁର୍ଗା ଆଦି ଦେବାଦେବୀ ମୂର୍ତ୍ତି ହେଉ ଅବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ସବୁ ଗୁଡିକ ବେଶ ଜୀବନ୍ତ ଲାଗନ୍ତି । ତାଙ୍କ ମୂର୍ତ୍ତିକଳାରେ ସେ ଦେହର ନିଖୁଣ ଗଠନ ଶୈଳୀ ସହ ମସୃଣତା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଖାଲି ସେତିକି ନୁହେଁ ମୁହଁର ଭାବ ସହ ଶରୀରରେ ସୃଷ୍ଟି ହେଉଥିବା ପ୍ରତ୍ୟେକ ପରିବର୍ତ୍ତନକୁ ଆଧୁନିକ ସ୍ଥାପତ୍ୟ ଯାଏଁ ସବୁଠି ସେ ଆଧୁନିକ ଲୁଗା ପିନ୍ଧା ଶୈଳୀକୁ ବ୍ୟବହାର କରିଥାନ୍ତି । ଏତଦ ବ୍ୟତୀତ ଆଧୁନିକ ଜ୍ଞାନ କୈାଶଳ ଯଥା ବିଦ୍ୟୁତଚାଳିତ ମୋଟର ଓ ଲେଦର ବ୍ୟବହାର କରି ସ୍ୱୟଂଚାଳିତ ଅଜଗର, ଡାଇନୋସର ଓ କଟାହାତ ଆଦି ଅଦ୍ଭୁତ ଭାସ୍କର୍ଯ୍ୟ ନିର୍ମାଣ କରିଛନ୍ତି । ଯାହାକି ଏକଦା ରାଜ୍ୟର ନାଁକରା ଯାତ୍ରାପାର୍ଟି ର ନାଟକକୁ ଲୋକପ୍ରିୟ କରିବାରେ ବିଶେଷ ଭୁମିକା ଅର୍ଜନ କରିଥିଲା ।
ଶିଳ୍ପୀ ନିଜେ ଜଣେ ଆଧ୍ୟାତ୍ମବାଦୀ ହୋଇଥିବାରୁ ତାଙ୍କର ଅନେକ ସୃଷ୍ଟି ଦର୍ଶକକୁ ଭଗବତ ବିଶ୍ୱାସୀ ହେବାକୁ ପ୍ରେରିତ କରଥାଏ । ସୈାନ୍ଦର୍ଯ୍ୟବୋଧ ସହ ସାମାଜିକ ଦାୟିତ୍ୱବୋଧ ତାଙ୍କର ପ୍ରତିଟି କଳାକୃତିକୁ କରିଥାଏ ଅନନ୍ୟ ଓ ପାଇଥାଏ ଦର୍ଶକୀୟ ଆଦୃତି ।

ସମ୍ମାନ ଓ ପୁରସ୍କାର
୧. ମେରିଟ ପୁରସ୍କାର – ୩୭ତମ ସର୍ବଭାରତୀୟ ହସ୍ତଶିଳ୍ପ ସପ୍ତାହ ପାଳନ ଅବସରରେ ଭୁବନେଶ୍ୱର
ପ୍ରଦର୍ଶନୀ ପଡିଆରେ ରାଜ୍ୟପାଳ ଯଜ୍ଞଦତ ଶର୍ମାଙ୍କ ନିକଟରୁ ପୁରସ୍କୃତ – ୧୯୯୧ ମସିହା
୨. ବିପ୍ରଚରଣ ମହାନ୍ତି ସମ୍ମାନ – ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ , ଭୁବନେଶ୍ୱର ପକ୍ଷରୁ ସମ୍ବର୍ଦ୍ଧିତ – ୨୦୧୯ ମସିହା
୩. ଶିଳ୍ପୀଶ୍ରୀ ସମ୍ମାନ – ଓଡିଶା ଶିଳ୍ପୀ ମହାସଙ୍ଘ – ୨୦୧୬ ମସିହା
୪. କଳ୍ପତରୁ ସମ୍ମାନ – ରାଜ୍ୟସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ଉପଲକ୍ଷେ କଳ୍ପତରୁ ଆର୍ଟ ଆଣ୍ଡ କ୍ରାଫ୍ଟସ
ପକ୍ଷରୁ ପ୍ରଦତ୍ତ – ୨୦୧୭ ମସିହା
୫. ଶିଳ୍ପୀ ବସନ୍ତ ପଣ୍ଡା ସ୍ମୃତି ସମ୍ମାନ – ଫକୀର ମୋହନ ଚାରି ଓ କାରୁକଳା ବିଦ୍ୟାଳୟ ପକ୍ଷରୁ ପ୍ରଦତ୍ତ-
୧୯୯୯ ମସିହା
୬. ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସମ୍ମାନ – ସହାୟକ ଅନୁଷ୍ଟାନ , ବାଲେଶ୍ୱର – ୨୦୧୭ ମସିହା
୭. ସମ୍ବର୍ଦ୍ଧନା – ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋର, ବାଲେଶ୍ୱର – ୨୦୧୨ ମସିହା
୮. ସମ୍ବର୍ଦ୍ଧନା – କବିବର କଳା ସଂସ୍କୃତି ସଂଘ, ସୋର, ବାଲେଶ୍ୱର – ୨୦୧୬ ମସିହା
୯. ସମ୍ବର୍ଦ୍ଧନା – ଗଜେନ୍ଦ୍ର କୁମାର ଉପାଧ୍ୟାୟ ସ୍ମୃତି କମିଟି – ୨୦୧୧ ମସିହା
୧୦. ସମ୍ବର୍ଦ୍ଧନା – ବାଗୁଡି ଉଚ୍ଚ ବିଦ୍ୟାଳୟ ,ସୋର, ବାଲେଶ୍ୱର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ- ୨୦୧୬ ମସିହା
୧୧. ଶିଳାଶିଳ୍ପୀ ସମ୍ମାନ – କାଂଶବାଂଶ ସାଂସ୍କୃତିକ ପରିଷଦ, ସୋର, ବାଲେଶ୍ୱର – ୨୦୧୧ ମସିହା
୧୨. ସମ୍ବର୍ଦ୍ଧନା – ସୋର ମହୋତ୍ସବ – ୨୦୦୯ ମସିହା
୧୩. ସମ୍ବର୍ଦ୍ଧନା – ବଉଳଗଡିଆ ପଥରଶିଳ୍ପ ସମବାୟ ସମିତି ଏବଂ ସରକାରୀ ପଥର ଖୋଦେଇ ହସ୍ତଶିଳ୍ପ ତାଲିମ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ଅବସରରେ- ୨୦୧୮ ମସିହା

ସମ୍ପାଦକ ଓଡ଼ିଶା ଶିଳ୍ପୀ ମହାସଙ୍ଘ ମୋ- ୯୩୩୮୪୬୪୭୧୯ 

Leave A Reply

Your email address will not be published.