ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପନ୍ତ ୩୭ ରନର ଇନିଂସ ଖେଳିଥିଲେ । ଏଥିସହ ଭ୍ରମଣକାରୀ ଦଳର ୱିକେଟକିପର ଭାବେ ସେ ଅଷ୍ଟ୍ରେଲିଆରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ପନ୍ତ ୧୩ଟି ଇନିଂସରେ ୬୬୧ ରନ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ଇଂଲଣ୍ଡର ଆଲାନ ନଟ ୨୨ ମ୍ୟାଚରେ ୬୪୩ ରନ କରି ଶୀର୍ଷରେ ଥିଲେ । ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ବେଳେ ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜର ଜ୍ୟେଫ ଡୁଜନ ରହିଛନ୍ତି । ଡୁଜନ ୧୮ ମ୍ୟାଚରେ ୫୮୭ ରନ କରିଥିଲେ ।
ପର୍ଥ ଟେଷ୍ଟର ପ୍ରଥମ ଦିବସରେ ଭାରତର ପ୍ରଥମ ଇନିଂସ ସ୍କୋର ୧୫୦ ରନ ଜବାବରେ ଅଷ୍ଟ୍ରେଲିଆ ଦଳ ୬୭ ରନରେ ୭ଟି ୱିକେଟ ହରାଇଛି । ଆୟୋଜକ ଦେଶ ଏବେ ବି ଭାରତ ସ୍କୋରଠାରୁ ୮୩ ରନ ପଛରେ ରହିଛି । ଅଧିନାୟକ ଯଶପ୍ରୀତ ବୁମରାହ ୪ଟି ୱିକେଟ ଅକ୍ତିଆର କରିଛନ୍ତି ।