Latest Odisha News

BREAKING NEWS

ରଜରେ ବଡ଼ ଅଘଟଣ; କିଛି ମିନିଟ୍ ଭିତରେ ୨ ଦୁର୍ଘଟଣା, ଚାଲିଗଲା ୫ ଜୀବନ

କେନ୍ଦୁଝର: ଆଜି ପହିଲି ରଜ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ରହିଥିବା ବେଳେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଏନଏଚ ୪୯ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସମାନ ସ୍ଥାନରେ ପୃଥକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମାତ୍ର ୨ ଶହ ମିଟର ଭିତରେ ୧୦ ମିନିଟ୍‌ ବ୍ୟବଧାନରେ ୨ଟି ଦୁର୍ଘଟଣା ହୋଇଛି।

ସୂଚନାଯୋଗ୍ୟ ଯେ, କୁଆଁର ଗାଁର ଲକ୍ଷ୍ମଣ ସନଙ୍ଗି ଓ ତାଙ୍କ ଭାଇ ବିଛି ସନଙ୍ଗି ରଜରେ ବାୟା ପାଣ୍ଡାଧାର ଆଡୁ ନିଜ ଗାଁ କୁଆଁରକୁ ବାଇକରେ ଫେରୁଥିଲେ। କୁଆଁର ଢ଼ାବା ନିକଟରେ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣ ପ୍ରାଣ ହରାଇଥିଲେ । କାଞ୍ଜିପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବାକୁ ଛାନଭିନ ଚଳାଇଛି । ଦୁଇ ଭାଇଙ୍କ ମୃତ୍ୟୁ ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସେହିପରି ଅପରାହ୍ନ ପ୍ରାୟ ୩ ବେଳେ ଉକ୍ତ ସ୍ଥାନ ଠାରୁ ମାତ୍ର ଅଳ୍ପ ଦୂରରେ ମଙ୍ଗଳା ମନ୍ଦିର ଛକ ନିକଟରେ ଆଉ ଏକ ବାଇକକୁ ଏକ ଲାଇନ୍ ଟ୍ରକ୍ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ତିନି ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳି ନ ଥିଲେ ହେଁ ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଏନଏଚ ୪୯ ରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକଙ୍କ ସମାଗମ ଯୋଗୁଁ ଅଦ୍ୟାବଧି ଯାତାୟାତ ବନ୍ଦ ରହିଛି । ପୋଲିସ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ଜାରି ରଖିଛି ।

Leave A Reply

Your email address will not be published.