Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ମୃତ ଓ ୧୧ ଆହତ

କେନ୍ଦ୍ରାପଡା/ଜଗତସିଂହପୁର/ଖୋର୍ଦ୍ଧା : ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ସୋମବାର ଦିନ ଘଟିଥିବା ସଡକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହେବା ସହ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା କଟକ-ଚାନ୍ଦବାଲି ରାସ୍ତା ନିକଟସ୍ଥ କାତ୍ତିଆ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି।

ମୁମ୍ବାଇର ଏକ ପରିବାର ସମ୍ପର୍କୀୟଙ୍କ ଶ୍ରାଦ୍ଧ ନିମନ୍ତେ ରାଜନଗର ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନ ଧରିବା ପାଇଁ ଆସୁଥିବା ବେଳେ ରାସ୍ତାରେ ଦୁର୍ଭାଗ୍ୟବଶତଃ ଏକ ଦ୍ରୁତଗାମୀ ଟ୍ରକ୍ ସହ ଉକ୍ତ ବୋଲେରୋ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ଏହି ଦୁର୍ଘଟଣା ପ୍ରାୟ ସକାଳ ୬ଟାରୁ ୭ଟା ମଧ୍ୟରେ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ୩ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୬ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଆହତମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ନିଆଯାଉଥିବା ବେଳେ ରାସ୍ତାରେ ଅନ୍ୟଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ବେଳେ ଏଯାବତ୍ ସେମାନଙ୍କ ପରିଚୟ ମିଳିପାରିନାହିଁ ବୋଲି ସୂଚନା ମିଳିଛି ।

ଘନ କୁହୁଡି କାରଣରୁ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରିଛି ଏବଂ ବ୍ୟବଚ୍ଛେଦ ପାଇଁ ସମସ୍ତ ମୃତଦେହକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ନେଇ ଜଣାପଡିଛି ।

ସେହିପରି ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର-ଜୟପୁର ନିକଟସ୍ଥ ରାହଡିଙ୍ଗ ଛକରେ ଏକ ସ୍କୁଟର ଭାରସାମ୍ୟ ହରାଇ ଗଛରେ ପିଟିହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିବା ନେଇ ସୂଚନା ମିଳିଛି ।

ସେହିପରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଡ୍ୟାମ୍ ଛକ ନିକଟରେ ଆଜି ସକାଳେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆମ୍ବୁଲାନ୍ସଟି ରୋଗୀ ଆଣିବାକୁ ଯାଉଥିବା ବେଳେ ନିକଟସ୍ଥ ଗ୍ରାମକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର-ପାରାଦୀପ ରୋଡ ନିକଟସ୍ଥ ହାତୀଟାଙ୍କି ଛକରେ ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଉତ୍ତେଜିତ ଲୋକମାନେ ହାତୀଟାଙ୍କି ଛକ ରାସ୍ତାରେ ଏକ ହମ୍ପସ୍ ନିର୍ମାଣ ପାଇଁ ଦାବି କରି ରାସ୍ତା ଅବରୋଧ କରିଥିଲେ ।

Leave A Reply

Your email address will not be published.