Latest Odisha News

BREAKING NEWS

ନୂଆପଡ଼ାରେ ଜାତୀୟ ରାଜପଥ ଅବରୋଧ କଲେ ବିସ୍ଥାପିତ

ନୂଆପଡ଼ା : ନୂଆପଡ଼ାରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦାବି ନେଇ ରାସ୍ତାରୋକ । ବାରମ୍ବାର ବିସ୍ଥାପିତ ମାନେ ବିଭିନ୍ନ ପ୍ରକାର ଆନ୍ଦୋଳନର ପନ୍ଥା ଅବଲମ୍ବନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଖାମଖିଲାଲି ମନୋଭାବ ଓ ଉଦାସନିତା ଯୋଗୁଁ ସମସ୍ୟା ସୁଧୁରିବା ବଦଳି ଆହୁରି ବଢ଼ି ଲାଗିଛି।

ପୁଣି ଥରେ ଲୋୟର ଇନ୍ଦ୍ର ବିସ୍ଥାପିତ ୩୧ ଟି ଗାଁ ର ସମସ୍ତେ ଏକତ୍ରୀତ ହୋଇ କୋମନା ବ୍ଲକ ବିଳେଇଅଞ୍ଜର ଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । କ୍ଷତିଗ୍ରସ୍ତ ବିସ୍ଥାପିତ ମାନଙ୍କତ ତ୍ୟାଗ ,ବଳିଦାନ,ଓ ଉଦାର ମନୋଭାବ ଓ ସହେଯାଗ ଯୋଗୁଁ ପ୍ରକଳ୍ପ କାମ ଶେଷ ହୋଇଛି ।ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ତ୍ରୁଟି ପୂର୍ଣ୍ଣ ନୀତି ଓ ମିଥ୍ୟା ପ୍ରତିଶ୍ରୁତି ଯୋଗୁଁ ବିସ୍ଥାପିତ ମାନେ ସର୍ବସ୍ୱ ହରାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

ପ୍ରକଳ୍ପ କାମର ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ହକ ଅଧିକାର ବିସ୍ଥାପିତ ମାନେ ପାଇ ପାରିନାହାନ୍ତି । ୨୦୧୭ ମସିହାରୁ ସରକାରଙ୍କ ନିକଟରେ ଆଠ ଶହ ହିତାଧିକାରୀଙ୍କ ଦଲିଲ ସ୍ଥଗିତ ହୋଇ ପଡ଼ିଛିା ଏହା ଭିତରେ ୪ ବର୍ଷ ବିତିଗଲାଣି ହେଲେ କ୍ଷତି ଗ୍ରସ୍ତ ଚାଷୀ ମାନେ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି।

ସେହିପରି ଖଡିଆଳ ସ୍ୱତନ୍ତ୍ର ଥଇଥାନ ଓ ଭୂଅର୍ଜନ ଅଧିକାରୀଙ୍କ ପାଖରେ ଶତାଧିକ ଆବେଦନ ପଡ଼ିରହିଛି ।ଏହାକୁ ତୁରନ୍ତ ମଞ୍ଜୁର କରି ଯୋଗ୍ୟ ହିତାଧିକାରୀଙ୍କୁ ଥଇଥାନ ଓ ସହାୟତା ଯୋଗାଇ ଦେବା ପାଇଁ ଆନ୍ଦୋଳନ କାରୀମାନେ ଦାବି କରିଛନ୍ତିା ଏହି ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷଙ୍କ ,ସହ କୁନି କୁନି ପିଲାମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ପରେ ନୂଆପଡ଼ା ଉପଜିଲ୍ଲାପାଳ ପହଁଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ପରେ ପ୍ରତ୍ୟାହୃତ ହୋଇଥିଲା ଆନ୍ଦୋଳନ । ପ୍ରଶାସନ ପ୍ରତିଶ୍ରୁତି ପୁରଣ ନକଲେ ପୁଣି ଥରେ ଆନ୍ଦୋଳନ ଜୋରଦାର ହେବ ବୋଲି ବିସ୍ଥାପିତ ମାନେ ଚେତାବନୀ ଦେଇଛନ୍ତି।

Comments are closed.