Latest Odisha News

‘ପ୍ରିୟଙ୍କାଙ୍କ ଗାଲ ପରି ଚିକ୍କଣ ରାସ୍ତା’..ବିଜେପି ନେତାଙ୍କ ବୟାନକୁ ନେଇ ତାତିଲା ଦିଲ୍ଲୀ ରାଜନୀତି

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ଥିବା ବେଳେ ଏବେ ପ୍ରଚାର ମଇଦାନ ପରସ୍ପର ବିରୋଧରେ ଗର୍ଜୁଛନ୍ତି ବିଭିନ୍ନ ଦଳ ନେତା । ଏହାରି ଭିତରେ ଏବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତା ରମେଶ ବିଧୁରୀ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ରମେଶଙ୍କ ନାଁ କାଲକାଜି ଆସନ ପାଇଁ ଦେଇଛି । ଆଉ ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବା ବେଳେ ପ୍ରିୟଙ୍କାଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବିଧୁରୀ । ଯାହାକୁ ନେଇ ଏବେ ସରଗରମ ହୋଇଛି ଦିଲ୍ଲୀ ରାଜନୀତି । କଂଗ୍ରେସ ଏବଂ ଆପ୍ ବିଧୁରୀଙ୍କ ବୟାନକୁ ନିନ୍ଦା କରିବା ସହ ବିଜେପିକୁ କଡା ନିଶାନା ସାଧିଛନ୍ତି ।

ତେବେ ଆଜି ପ୍ରଚାର ବେଳେ ଦିଲ୍ଲୀ ବାସୀଙ୍କୁ ସମ୍ବୋଧିତ କରି ବିଜେପି ନେତା ରମେଶ କହିଛନ୍ତି, ଆରଜେଡି ନେତା ଲାଲୁ ଯାଦବ ଥରେ କହିଥିଲେ, ସେ ବିହାରର ରାସ୍ତା ହେମା ମାଲିନିଙ୍କ ଗାଲ ପରି ଚିକ୍କଣ କରିଦେବେ, ହେଲେ ସେଥିଣେ ସେ ବିଫଳ ହୋଇଥିଲେ । କିନ୍ତୁ ଆଜି ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ, ଯେମିତି ବିଜେପି ଚହଲା ଏବଂ ସଙ୍ଗମ ବିହାରର ରାସ୍ତାକୁ ପରିବର୍ତ୍ତନ କରିଛି, ସେମିତି କାଲକାଜିର ପ୍ରତ୍ୟେକ ରାସ୍ତା ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ ଏବଂ ସୁଗମ ହେବ ବୋଲି ପ୍ରତିଶ୍ରୁତି ଦେିଛନ୍ତି ରମେଶ ।

ଯାହାକୁ କଡା ନିନ୍ଦା କରିଛି କଂଗ୍ରେସ । ବିଜେପି ଏପରି କହି ମହିଳା ବିରୋଧୀ ମନୋଭାବ ରଖିଥିବା ଅଭିଯୋଗ କରିଛି କଂଗ୍ରେସ  । ଏନେଇ କଂଗ୍ରେସ ମୁଖପାତ୍ର, ସୁପ୍ରିୟା ଶ୍ରୀନେତ୍ ବିଧୁରୀଙ୍କୁ ସମାଲୋଚିତ କରି ଏହାକୁ ‘ଲଜ୍ଜାଜନକ’ ଏବଂ ମହିଳାଙ୍କ ପ୍ରତି ଏକ ଘୃଣ୍ୟ ମାନସିକତା ପ୍ରତିଫଳିତ କରୁଛି ବୋଲି କହିଛନ୍ତି । ଏଥିସହିତ ବିଜେପିକୁ ମହିଳା ବିରୋଧୀ ବୋଲି ସମ୍ବାଧନ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ ରମେଶ ବିଧୁରୀଙ୍କ ବିୟାନ କେବଳ ଲଜ୍ଜାଜନକ ନୁହେଁ ବରଂ ତାଙ୍କର ଘୃଣ୍ୟ ମାନସିକତାକୁ ମଧ୍ୟ ଦର୍ଶାଉଛି ବୋଲି ନିଜ ଏକ୍ସରେ ଲେଖିଛନ୍ତି ସୁପ୍ରିୟା ।

ସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ବ୍ୟକ୍ତି ଠାରୁ ବା କ’ଣ ଆଶା କରାଯାଇପାରିବ, ଯେ ସଂସଦରେ ନିଜର ସାଂସଦମାନଙ୍କୁ ଦୁର୍ବ୍ୟବହାର କରିଥିଲେ ଆଉ ଦଣ୍ଡିତ ହୋଇନଥିଲେ ।  ଏଥିସହିତ ବିଜେପି ନେତାଙ୍କ ଏଭଳି ବୟାନ ପାଇଁ କଂଗ୍ରେସ ନେତ୍ରୀଙ୍କୁ ସେ ହାତ ଯୋଡି କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ଅନ୍ୟପଟେ ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ମଧ୍ୟ ସମାନ ଭାବନାକୁ ସମର୍ଥନ କରି କହିଛନ୍ତି, ଯେ ବିଧୁରୀଙ୍କ ଶବ୍ଦ ବିଜେପିର ଆଦର୍ଶବାଦୀ ପିତାମାତା ଆରଏସଏସର ମୂଲ୍ୟବୋଧକୁ ପ୍ରତିଫଳିତ କରିଛି । ଆପ୍ ମଧ୍ୟ ବିଜେପି ନେତାଙ୍କ ବୟାନଙ୍କୁ ନିନ୍ଦା କରି କହିଛି, ଏଭଳି ନେତାଙ୍କୁ ଦିଲ୍ଲୀ ବାସୀ ଭୋଟ ଦେବେ… ଯିଏ ମହିଳାଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି ।

ଅପରପକ୍ଷେ ବିଧୁରୀଙ୍କ ବୟାନ ତାଙ୍କ ଉପରେ ଭାରି ପଡିବା ପରେ ତାକୁ ନେଇ ସଫେଇ ଦେଇ ବିଧୁରୀ କହିଛନ୍ତି, ଯଦି ମୋ କଥା କଂଗ୍ରେସକୁ ଭଲ ଲାଗିଲାନି, ତାହେଲେ, ହେବା ମାଳିନୀଙ୍କୁ ନେଇ ଦିଆଯାଇଥିବା ବୟାନ ପାଇଁ କାହିଁକି କଂଗ୍ରେସ କ୍ଷମା ମାଗିନଥିଲା । ସେ ବି ଜଣେ ସମ୍ମାନଜନକ କଳାକାର, ଯିଏ ଦେଶ ପାଇଁ ଗୌରବ ଆଣିଛନ୍ତି । କ’ଣ ହେମା ମାଳିନୀ ମହିଳା ନୁହନ୍ତି? ସଫଳତାରେ ସେ ପ୍ରିୟଙ୍କାଙ୍କ ଠାରୁ ବି ଆଗରେ ଅଛନ୍ତି ।

Leave A Reply

Your email address will not be published.