ଭୁବନେଶ୍ବର: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ସଡ଼କ ନିର୍ମାଣ କରିବେ।ଏଥିନେଇ ଜାରି ହୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସଂକଳ୍ପ । ୧୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଁରୁ ବଜାରକୁ ସଂଯୋଗ ପାଇଁ ନିର୍ମାଣ ହେବ ସଡ଼କ। ବିଧାନସଭା ନିର୍ବାଚନ ମଣ୍ଡଳୀ ପିଛା ବାର୍ଷିକ ୧ କୋଟି ଟଙ୍କା ଲେଖାଏଁ କରାଯିବ ଖର୍ଚ୍ଚ। ଏହି ରାଶିରେ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ୨୦ଟି ସଡ଼କ ନିର୍ମାଣ କରାଯାଇ ପାରିବ। ଗୋଟିଏ ସଡ଼କ ନିର୍ମାଣ ପିଛା ସର୍ବନିମ୍ନ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ତେବେ ନିର୍ମାଣ ହେବାକୁ ଥିବା ୨୦ଟି ସଡ଼କ ମଧ୍ୟରୁ ସମ୍ପୃକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ୫୦ ପ୍ରତିଶତ ଏବଂ ଅବଶିଷ୍ଟ ୫୦ ପ୍ରତିଶତ ସଡ଼କ ନିର୍ମାଣ ପ୍ରସ୍ତାବ ଆରଡବ୍ଲ୍ୟୁଡି ଦେବେ।
ଏଥିପାଇଁ ପ୍ରତି ଆର୍ଥିକ ବର୍ଷରେ ୧୪୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ହେବ। ଏହି ଯୋଜନାରେ ପୁରୁଣା କିମ୍ବା ଖରାପ ସଡ଼କକୁ ମରାମତି କରାଯିବ ନାହିଁ।
ସିଡବ୍ଲ୍ୟୁଏ ଯୋଜନା ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ରେ ୧୪୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ହୋଇଛି। ଏହି ସଡ଼କ ନିର୍ମାଣ ହେଲେ ଗାଁ ଲୋକ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ବଜାର, ପର୍ଯ୍ୟଟନସ୍ଥଳ ଏବଂ ପଞ୍ଚାୟତ ମୁଖ୍ୟାଳୟକୁ ସହଜ ଓ ସୁବିଧାରେ ଯାତାୟାତ କରିପାରିବେ। ନିର୍ମାଣ ହେବାକୁ ଥିବା ସଡ଼କଗୁଡ଼ିକ ଗ୍ରାମାଞ୍ଚଳରେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବ ।
ତେବେ ନିର୍ମାଣ ହେବାକୁ ଥିବା ସଡ଼କଗୁଡ଼ିକ ଆରଡବ୍ଲ୍ୟୁର ମୁଖ୍ୟ ନିର୍ମାଣ ଯନ୍ତ୍ରୀ(ସିସିଇ)ଙ୍କ ଦ୍ବାରା ଅନୁମୋଦନ କରାଯିବ। ସଡ଼କର ନକ୍ସା ଆରଡବ୍ଲ୍ୟୁର ଯନ୍ତ୍ରୀ ପ୍ରସ୍ତୁତ କରିବେ। ସୂଚନାଥାଉକି, ୨୦୨୫-୨୬ ଆର୍ଥିକ ବର୍ଷରେ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ବ୍ୟୟବରାଦ ଟଙ୍କା ଦିଆଯିବ।
Comments are closed.