Latest Odisha News

BREAKING NEWS

କୋହଲି, ରୋହିତଙ୍କ ଦିନିକିଆ କ୍ୟାରିୟରକୁ ନେଇ ବିସିସିଆଇ ଚୁପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଦିନିକିଆ କ୍ରିକେଟ କ୍ୟାରିୟର ଭବିଷ୍ୟତ ବି ସଙ୍କଟରେ ପଡିଛି । ଉଭୟ ଖେଳାଳି ପୂର୍ବରୁ ଟି୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି । ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଉଭୟ ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଥାନ୍ତେ । ଏହି ସିରିଜ ବାତିଲ ହେବା ଫଳରେ ଏବେ ଅକ୍ଟୋବର ୧୯ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ସିରିଜକୁ ଅପେକ୍ଷା କରିବାକୁ ପଡିବ । ବିସିସିଆଇ କୋହଲି ଓ ରୋହିତଙ୍କ ଖେଳିବା ନେଇ ଚୁପ ରହିଛି । ଏସିଆ କପ ଓ ଟି୨୦ ବିଶ୍ୱକପ ପାଇଁ ଟିମ ପ୍ରସ୍ତୁତି କରିବା ପାଇଁ ବିିସିସିଆଇ ନିର୍ଦ୍ଦେଶ ଦେଇଛି ।

ବିସିସିଆଇର ଜନୈକ ଅଧିକାରୀଙ୍କ କହିବା ଅନୁସାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଏ ଭାରତ ଗସ୍ତରେ ଆସିବ । ଏହି ଦୁଇ ସିନିୟର ଖେଳାଳି ଭାରତ ଏ ପକ୍ଷରୁ ଖେଳି ଫର୍ମ ଏବଂ ଫିଟନେସ ପ୍ରମାଣିତ କରନ୍ତୁ । ସେହି ସମୟରେ ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟ ଅହମ୍ମଦାବାଦରେ ଖେଳୁଥିବ । କୋହଲି ଏବଂ ରୋହିତଙ୍କ ଦିନିକିଆ କ୍ରିକେଟ ରେକର୍ଡ ଅତି ଚମତ୍କାର ରହିଛି । ଉଭୟ ୮୩ ଶତକ ଓ ୨୫୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । କୋହଲି ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଫିଟଥିବା ଅନୁମାନ କରାଯାଉଛି । ତେବେ ରୋହିତଙ୍କୁ ନେଇ ଏହି ବିଶ୍ୱାସ ରହୁନି । କେତେକ ମିଡିଆ ରିପୋର୍ଟସରେ ବିସିସିଆଇ ଅକ୍ଟୋବର ୨୫ରେ ଏହି ଦୁଇ ମହାନ ଖେଳାଳିଙ୍କୁ ସିଡନୀରେ ଫେୟାରୱେଲ ଦେବା ପାଇଁ ଚିନ୍ତା କରୁଛି । ତେବେ ବିସିସିଆଇ ପକ୍ଷର ଏହି ଖବରକୁ ଖଣ୍ଡନ କରାଯାଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ କୋହଲି ଏବଂ ରୋହିତ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଖେଳି ପାରନ୍ତି ।

Comments are closed.