ଭୁବନେଶ୍ୱର: ରୋହିତ ପୂଜାରୀଙ୍କୁ ମନ୍ତ୍ରୀପଦରୁ ବାଦ ଦେବା ପ୍ରସଙ୍ଗ ଏବେ ରାଜ୍ୟର ସବୁଠୁ ବଡ଼ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି। ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଦୁଇ ଦୁଇ ଥରର ବିଧାୟକ ତଥା ଯୁବ ନେତା ରୋହିତ ପୂଜାରୀ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ।
ପୂର୍ବରୁ ଯେତେବେଳେ ବି ମନ୍ତ୍ରୀମଣ୍ଡଳ ଗଠନ କିମ୍ବା ସମ୍ପ୍ରସାରଣର କଥା ଆସେ ସବୁଥିରେ ରୋହିତଙ୍କ ନାଁକୁ ନେଇ ଚର୍ଚ୍ଚା ହୁଏ। ଯେଉଁ ଚର୍ଚ୍ଚା ଗତ ବର୍ଷ ମେ ମାସ ୨୨ ତାରିଖରେ ସତରେ ପରିଣତ ହୋଇଥିଲା।
କିନ୍ତୁ ମାତ୍ର ବର୍ଷେ ହିଁ ରୋହିତ ମନ୍ତ୍ରୀ ଭାବେ ରହିଛନ୍ତି। ତାଙ୍କୁ ବିଦାୟ ନେବାକୁ ପଡିଲା। ତାହା ପୁଣି ମନ୍ତ୍ରୀ ଭାବେ ବିଭାଗୀୟ କାର୍ଯ୍ୟ ଠିକ ଭାବେ କରି ନ ପାରିବା କାରଣରୁ। ଯାହାକୁ ନେଇ ରୋହିତଙ୍କ ଦୁଃଖ ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହୋଇପଡୁଥିବା କୁହାଯାଉଛି।
ତେଣୁ ରେଢ଼ାଖୋଲରୁ ରୋହିତ ପ୍ରତିନିଧିତ୍ୱ କରୁଥିବାରୁ ମନ୍ତ୍ରୀ ପଦରୁ ବିଦା ହେବା ପରେ ରେଢ଼ାଖୋଲକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଠିକ ଏଭଳି ସମୟରେ ରେଢ଼ାଖୋଲ ଆଉ ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଯାଇଛି।
କଂଗ୍ରେସ ପକ୍ଷରୁ ରେଢ଼ାଖୋଲରେ ରୋହିତ ପୂଜାରୀଙ୍କ ବିରୋଧରେ ପ୍ରାର୍ଥୀ ହେଉଥିବା ଆସଫ ଅଲ୍ଲୀ ଖାନଙ୍କୁ ସମ୍ବଲପୁର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଯେଉଁଦିନ ରୋହିତ ମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ସେହି ଦିନ ହିଁ ଆସଫ ଅଲ୍ଲୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
୨୦୧୪ ଓ ୨୦୧୯ ନିର୍ବାଚନରେ ଆସଫ ଅଲ୍ଲୀ ରୋହିତଙ୍କ ବିରୋଧରେ ଲଢ଼ିଥିଲେ। ଏପରିକି ୨୦୦୯ ମସିହାରେ ଆସଫ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ମଧ୍ୟ ଲଢ଼ିଥିଲେ।
୨୦୧୯ ନିର୍ବାଚନରେ ରୋହିତ ବିଜେଡି ପ୍ରାର୍ଥୀ ଭାବେ ୫୭ ହଜାର ୧୧୧ ଭୋଟ ପାଇଥିବା ବେଳେ ଆସଫ ଅଲ୍ଲୀ ୪୨ ହଜାର ୪୭୯ ଖଣ୍ଡ ଭୋଟ ପାଇଥିଲେ। ୧୪ ହଜାର ୬୩୨ ଖଣ୍ଡ ଭୋଟରେ ହାରିଥିଲେ ଆସଫ।
ସେହିଭଳି ୨୦୧୪ ନିର୍ବାଚନରେ ରୋହିତ ଆସଫଙ୍କୁ ୧୧ ହଜାର ୯୦୯ ଖଣ୍ଡ ଭୋଟରେ ହରାଇଥିଲେ। କିନ୍ତୁ ରୋହିତ ଏବେ ମନ୍ତ୍ରୀ ପଦରୁ ବିଦା ହୋଇଥିବା ବେଳେ ଆସଫ ଜିଲ୍ଲାର ମଙ୍ଗ ସମ୍ଭାଳିଛନ୍ତି।
ଏପରିକି ଆଉ ଏକ ଚର୍ଚ୍ଚାର ପ୍ରସଙ୍ଗ ହେଉଛି ପୂର୍ବରୁ ରୋହିତ ପୂଜାରୀ ରାଜ୍ୟ ଯୁବ କଂଗ୍ରେସର ସଭାପତି ଥିବାବେଳେ ଆସଫ ତାଙ୍କ ଅଧୀନରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ତେଣୁ ଗୋଟିଏ ଦିନରେ ରେଢାଖୋଲର ଦୁଇ ଜଣଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
Comments are closed.