ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଏକପ୍ରକାର ଶେଷ ହୋଇ ଯାଇଥିବା ଅନୁମାନ କରାଯାଉଛି । ଏବେ ଚାମ୍ପିୟନ୍ସ ଟ୍ରଫି ପରେ ରୋହିତଙ୍କ ଦିିନିକିଆ କ୍ୟାରିୟରର ଭାଗ୍ୟ ନିର୍ଭର କରୁଛି । ଯଦି ସେ ଭାରତକୁ ଚାମ୍ପିୟନ କରାଇବେ ତାହାହେଲେ ବେଶ କିଛି ଦିନ ଏହି ଫର୍ମାଟରେ ଖେଳିବେ ବୋଲି ଆଶା କରାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ରୋହିତଙ୍କ ପାଇଁ ଲାଇଫଲାଇନ ସଦୃଶ ଥିଲା । ଯାହାକୁ ରୋହିତ ହାତଛଡା କରିଥିଲେ । ସେ ବ୍ୟକ୍ତିଗତ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ରୋହିତ ୫ ଇନିଂସରେ ୩୧ ରନ କରିଥିଲେ ।
ରଣଜୀରେ ବି ହିଟମ୍ୟାନ କିଛି କମାଲ କରିପାରି ନ ଥିଲେ । ୮ଟି ଟେଷ୍ଟରୁ ଭାରତ ତାଙ୍କ ନେତୃତ୍ୱରେ ୬ରେ ପରାଜିତ ହୋଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିପାରି ନ ଥିଲା । ବିସିସିଆଇ ନାଲି ବଲ କ୍ରିକେଟର ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଛି । ରିପୋର୍ଟ ମୁତାବକ ଜୁନରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତଙ୍କୁ ସ୍ଥାନ ମିଳିବା କଷ୍ଟ । ଯଶପ୍ରୀତ ବୁମରାହ ଟିମ ଇଣ୍ଡିଆର ନେତୃତ୍ୱ ନେବେ । ସେଥିପାଇଁ ବୁମରାହଙ୍କୁ ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ଉପଯୁକ୍ତ ସମୟ ପ୍ରଦାନ କରାଯାଇଛି । ଯଦି ଏହା ହୁଏ ତାହାହେଲେ ହିଟମ୍ୟାନଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯିବ । ବୁମରାହ ୩ଟି ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି । ଦଳ ଗୋଟିଏ ମ୍ୟାଚ ଜିତିଥିବା ବେଳେ ୨ଟିରେ ପରାଜିତ ହୋଇଛି ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ରୋହିତଙ୍କୁ ୩୮ ବର୍ଷ ହୋଇ ଯାଇଥିବ । ଏହା ସତ୍ୱେ ସେ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ଏବେ ଅବସର ନେଉ ନାହିଁ । ଯେ ପର୍ଯ୍ୟନ୍ତ ମୁଁ ଭଲ କ୍ରିକେଟ ଖେଳୁଥିବି ଛାଡିବା ପ୍ରଶ୍ନ ଉଠୁନି । ଇଂଲଣ୍ଡ ଗସ୍ତରେ ଭାରତ ହେଡଲିଂ, ବର୍ମିଂହାମ, ଲର୍ଡସ, ମାଂଚେଷ୍ଟର ଓ ଦି ଓଭାଲରେ ଟେଷ୍ଟ ମ୍ୟାଚ ଖେଳିବ । ବିସିସିଆଇ ରୋହିତଙ୍କ ଦିନିକିଆ କ୍ରିକେଟରେ ଏବଂ ବିରାଟ କୋହଲିଙ୍କୁ ଟେଷ୍ଟରେ ଆଉ କିଛି ସୁଯୋଗ ଦେବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସିନିୟର ଖେଳାଳି କୋହଲି ଓ ବୁମରାହଙ୍କୁ ନେଇ ଏକ ଶକ୍ତିଶାଳୀ ଯୁବ ଟିମ ପ୍ରସ୍ତୁତ କରିସାରିବା ପରେ ବିସିସିଆଇ ପରବର୍ତୀ ପଦକ୍ଷେପ ଗ୍ରହଣ କରିବ ।
Comments are closed.