Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ ପ୍ରେସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଇଂଲଣ୍ଡର ୱିଲ ଆଣ୍ଡର୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ଜ୍ୟାକ୍ ଗ୍ରାହାମଙ୍କ ଭଳି ଶୀର୍ଷ ଆଥଲେଟ୍‌ଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ରୋହିତଙ୍କ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ବିଶ୍ୱସ୍ତରରେ ଚମତ୍କାର ପ୍ରଦର୍ଶନ କରିବା ସହ ଏହି ପଦକ ହାସଲ କରି ଭାରତ ଏବଂ ତାଙ୍କ ବିଶ୍ୱବିଦ୍ୟାଳୟ ତଥା କୋରାପୁଟକୁ ଗର୍ବିତ କରିଛନ୍ତି।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ରୋହିତଙ୍କ ଏହି ସଫଳତା କେବଳ ବିଶ୍ୱବିଦ୍ୟାଳୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବ ଆଣିଛି ବୋଲି ଆଲୋକପାତ କରିଛନ୍ତି। ରୋହିତଙ୍କ ବିଜୟ କେବଳ ତାଙ୍କ ପାଇଁ ନୁହେଁ ବରଂ ଆମ ବିଶ୍ୱବିଦ୍ୟାଳୟ, ଆମ ରାଜ୍ୟ ଏବଂ ଆମ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ତାଙ୍କର କର୍ତ୍ତବ୍ୟ ଏବଂ ନିଷ୍ଠା ତାଙ୍କୁ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଦିବାସୀ ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା କୋରାପୁଟରେ ଏହି ସଫଳତା ଏବେ ପାୱାରଲିଫ୍ଟିଂ ଚାମ୍ପିୟନ ସୃଷ୍ଟି ପାଇଁ କୋରାପୁଟ ପରିଚିତ ହେବ ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି।

ଏଠାରେ ସୂଚନା ଥାଉକି ସନ୍ ସିଟିରେ ଅନୁଷ୍ଠିତ ଏହି ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ ଗତ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇଯାଇଛି ଏବଂ ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ରୋହିତ ତାଙ୍କ ପିତା ଓ ଭାଇଙ୍କୁ ତାଙ୍କର ସବୁଠାରୁ ବଡ଼ ପ୍ରେରଣା ବୋଲି ଶ୍ରେୟ ଦେଇଛନ୍ତି ଏବଂ ସେମାନଙ୍କ ନିରନ୍ତର ସମର୍ଥନକୁ ତାଙ୍କ ସଫଳତା ପଛରେ ପ୍ରେରକ ଶକ୍ତି ବୋଲି ଦର୍ଶାଇଛନ୍ତି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିଲେ।

Leave A Reply

Your email address will not be published.