ନୂଆଦିଲ୍ଲୀ: ଭାରତୀୟ ଟିମ ଏବେ ଟି୨୦ ବିଶ୍ୱକପ ୨୦୨୬ ପ୍ରସ୍ତୁତି ଜାରୀ ରଖିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ମାଧ୍ୟମରେ ଟିମ କମ୍ବିନେଶନ ପ୍ରସ୍ତୁତ କରାଯିବା ସହ ଫର୍ମ ଏବଂ ଫିଟନେସ ଉପରେ ନଜର ରଖାଯାଉଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂ ଏଥର ଭାରତ ପାଇଁ ଟ୍ରମ୍ପ କାର୍ଡ ସାଜିବେ ବୋଲି ଟି୨୦ ବିଶ୍ୱକପ ବିଜେତା ଭାରତୀୟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମା କହିଛନ୍ତି । ଗତ ସଂସ୍କରଣରେ ଭାରତ ଟାଇଟଲ ହାସଲ କରିବା ପରେ ଅଧିନାୟକ ରୋହିତ ଓ ବିରାଟ କୋହଲି ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ହାର୍ଦ୍ଦିକ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତିି । ସେହିପରି ଚମତ୍କାର ବୋଲିଂ ପ୍ରଦର୍ଶନ କରି ଅର୍ଶଦୀପ ଏବେ ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ପଂହଚିଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ଅର୍ଶଦୀପଙ୍କ ବୋଲିଂ ଆମକୁ ବିଜୟୀ ହେବାରେ ସହାୟ ହୋଇଥିଲା ବୋଲି ରୋହିତ କହିଛନ୍ତି । ଏଥର ସେ ଆହୁରି ଅଭିଜ୍ଞ ହୋଇ ଯାଇଛନ୍ତି । ହାର୍ଦ୍ଦିକ ସର୍ବଦା ଟିମ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାନ୍ତି । କୂଲଦୀପ ଯାଦବ ଓ ବରୁଣ ଚକ୍ରବର୍ତିଙ୍କ ମଧ୍ୟରେ ଜଣେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବ । ଅବଶ୍ୟ ମୁଁ ଦୁଇଜଣଙ୍କୁ ଟିମରେ ରଖିଥାନ୍ତି । ସେମାନଙ୍କ ବୋଲିଂକୁ ବ୍ୟାଟ୍ସମ୍ୟାନ ସହଜରେ ପଢ଼ି ପାରି ନାହାନ୍ତି । ଟି୨୦ ବିଶ୍ୱକପ ଫେବୃୟାରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେବ ।