ସିଡନୀ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୧୪୫ ରନର ଅଗ୍ରଣୀ ହାସଲ କରିନେଇଛି । ପ୍ରଥମ ଇନିଂସରେ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆର ସ୍ଥିତି ବୋଲରମାନେ ସୁଧାରିଥିଲେ । ତଥାପି ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦ୍ୱିତୀୟ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ରବୀନ୍ଦ୍ର ଜାଡେଜା ୮ ଓ ୱାଶିଂଟ ନ ସୁନ୍ଦର ୬ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ଭାରତର ୧୮୫ ପ୍ରଥମ ଇନିଂସ ସ୍କୋର ଜବାବରେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲଆଉଟ ହୋଇ ଯାଇଥିଲା । ବିଉ ୱେବଷ୍ଟାର ସର୍ବାଧିକ ୫୭ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରାହ ଓ ନୀତିଶ କୁମାର ରେଡ୍ଡୀ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।
ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ରିଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୩୩ ବଲରେ ୬୧ ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜୈସୱାଲ ୨୨, କେଏଲ ରାହୁଲ ୧୩, ଶୁଭମନ ଗିଲ ୧୩ ଓ ବିରାଟ କୋହଲି ୬ ରନ କରି ଆଉଟ ହୋଇଥିଲେ । ନୀତିଶଙ୍କଠାରୁ ପୂନର୍ବାର ଏକ ବଡ ଇନିଂସ ଆଶା କରାଯାଉଥିଲେ ମଧ୍ୟ ସେ ୪ ରନ କରିବାକୁ ସକ୍ଷମ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ୪ଟି ଏବଂ ପ୍ୟାଟ କୁମିନ୍ସ ଓ ୱେବଷ୍ଟାର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
Comments are closed.