Latest Odisha News

BREAKING NEWS

ଜବାବରେ ବ୍ରହ୍ମ ଚାପୁଡା ଦେଲେ ହିଟମ୍ୟାନ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ଏହି ଚାମ୍ପିୟନ୍ସ ଟ୍ରଫିରେ ଭାରତର ଅନେକ ବରିଷ୍ଠ ଖେଳାଳି ଓ କୋଚଙ୍କ ସମ୍ମାନ ବାଜିରେ ଲାଗିଥିଲା । ବିଶେଷ କରି ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିଥିଲା ସମସ୍ତଙ୍କ ନଜର.. । ଚାମ୍ପିୟନ୍ସ ଟ୍ରଫି ଆରମ୍ଭରୁ ରୋହିତଙ୍କ ଅବସର ନେଇ ଆଲୋଚନା ମଧ୍ୟ ହେଉଥିଲା । ମନରେ ଭାବନାକୁ ଚାପି ରଖି ରୋହିତ ଫଳାଫଳକୁ ଅପେକ୍ଷା କରିଥିଲେ । ଲିଗ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ଟାଇଟଲ ମୁକାବିଲାରେ ହିଟମ୍ୟାନ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଥିଲେ ।

ଅନଫିଟ ଓ ଖରାପ ଫର୍ମକୁ ହିଟମ୍ୟାନ ଚ୍ୟାଲେଞ୍ଜ ଭାବେ ନେଇଥିଲେ । ଏବେ ଭାରତକୁ କ୍ରମାଗତ ୨ଟି ଆଇସିସି ଟ୍ରଫି ଭେଟ ଦେଇ ରୋହିତ ସମାଲୋଚକଙ୍କୁ ଜବାବର ବ୍ରହ୍ମଚାପୁଡା ଦେଇଛନ୍ତି । କୋଚ ଗୌତମ ଗମ୍ଭୀରଙ୍କ ସହ ମତଭେଦ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ଶେଷରେ ଗମ୍ଭୀର, ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ସହ ରୋହିତ ପ୍ରସ୍ତୁତ କରିଥିଲେ ସ୍ପିନ ରଣନୀତି । ଲମ୍ବା ବ୍ୟାଟିଂ ଲାଇନ ଅପ ଏବଂ ବୋଲିଂରେ ବିବିଧତା । ଫାଇନାଲରେ ଏହା କାର୍ଯ୍ୟରେ ଲାଗିଥିଲା ।

ତାଙ୍କର ଶାଣୀତ ନେତୃତ୍ୱ ନ୍ୟୁଜିଲାଣ୍ଡକୁ ବଡ ସ୍କୋର କରିବାରେ ରୋକିଥିଲା । ବୋଲିଂ ଏବଂ ଫିଲ୍ଡିଂ ପରିବର୍ତନର ନୂଆ ଧାର ଦେଖିବାକୁ ମିଳିଥିଲା । ଦିନିକିଆ ବିଶ୍ୱକପରେ ରନର୍ସଅପ, ଟି୨୦ ବିଶ୍ୱକପରେ ଚାମ୍ପିୟନ ଏବଂ ଏବେ ଚାମ୍ପିୟନ୍ସ ଟ୍ରଫି ଜିତାଇ ରୋହିତ ଅନେକଙ୍କ ପାଟିରେ ତାଲା ଲଗାଇ ଦେଇଛନ୍ତି । ଆଇସିସି ଟୁର୍ଣ୍ଣାମେଂଟରେ କ୍ରମାଗତ ୧୩ଟି ମ୍ୟାଚ ଜିତି ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ।

ବିରାଟ କୋହଲିଙ୍କ ସହ ସେ ୯ଟି ଆଇସିସି ମୁକାବିଲାର ଫାଇନାଲରେ ପ୍ରବେଶ କରି ବିଶ୍ୱରେକର୍ଡ କରିଛନ୍ତି । ଯିବା ପୂର୍ବରୁ ଅବସର ନେବେ ନାହିଁ ବୋଲି କହି ଆଉ ଏକ ମାଇଣ୍ଡଗେମ ଖେଳିଛନ୍ତି । ରୋହିତଙ୍କ ନଜର ଏବେ ୨୦୨୭ ଦିନିକିଆ ବିଶ୍ୱକପ ଉପରେ ରହିଛି । ଯଦି ସେ ଭାରତୀୟ ଦଳର ନେତୃତ୍ୱ ନିଅନ୍ତି ଏବଂ ଭାରତ ଚାମ୍ପିୟନ ହୁଏ ତେବେ ଶ୍ରେଷ୍ଠ ଅଧିନାୟକ ଭାବେ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିବେ ।

Comments are closed.