ପର୍ଥ: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେ ଏବେ ତାଙ୍କ ପତ୍ନୀ ଓ ପୁତ୍ର ସହ ସମୟ କାଟୁଛନ୍ତି । ନଭେମ୍ବର ୨୨ରୁ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ । ରୋହିତଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରାହ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ଏଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ରୋହିତ ଦଳ ସହିତ ଯୋଗଦେବେ । ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ ଇନିଂସ ଓପନ କରିପାରନ୍ତି । ଶୁଭମନ ଗିଲ ଆଘାତ ସମସ୍ୟା ଯୋଗୁ ପ୍ରଥମ ଟେଷ୍ଟରୁ ଓହରି ଯାଇଛନ୍ତି ।
ରାହୁଲ ଅଭ୍ୟାସ ସେଶନରେ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ଏବେ ଫିଟ ହେବା ଦଳ ପାଇଁ ଆଶ୍ୱସ୍ତି ଖବର ହୋଇଛି । ପୂର୍ବରୁ କୋଚ ଗୌତମ ଗମ୍ଭୀର ମଧ୍ୟ ରାହୁଲ ଟପ ଅର୍ଡରରେ ଖେଳିବେ ବୋଲି ସୂଚନା ଦେଇଥିଲେ । ରାହୁଲ ଏବେ ନେଟ୍ସରେ ଅଧିକରୁ ଅଧିକ ସମୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଏହି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।