ଯାଜପୁର: ମହାମାରୀ କରୋନା ପାଇଁ ଅନେକ ଲୋକ ରୋଜଗାର ହରାଇଛନ୍ତି। ତେଣୁ ଏଭଳି ଜଟିଳ ପରିସ୍ଥିତିରେ ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ସୁକିନ୍ଦା ଓ ଦାନଗଦି ବ୍ଲକରେ ପ୍ରତିଷ୍ଠା ହେବ ହାଚେରୀ। ଲୋକଙ୍କ ରୋଜଗାର ବଢ଼ାଇବ ଦେଶୀ କୁକୁଡ଼ା, ଛେଳି ଓ ଛତୁ ଚାଷ।
ଗରିବ ଲୋକଙ୍କର ଜୀବାକା ଉପାର୍ଜନ ପାଇଁ କୁକୁଡ଼ା, ଛେଳି ଏବଂ ଛତୁ ଚାଷକୁ ପ୍ରୋତ୍ସାହିତ କରାଯିବ। ଜିଲ୍ଲା ଖଣିଜ ପାଣ୍ଠି ସହ ନରେଗା ଅର୍ଥକୁ ଯୋଡି ପାରମ୍ପାରିକ ଉପାୟରେ ରୋଜଗାର ବୃଦ୍ଧି କରାଯିବ। ବିଶେଷ କରି ଦେଶୀ କୁକୁଡ଼ା ଏବଂ ଅଣ୍ଡାର ଚାହିଦାକୁ ଦୃଷ୍ଟିରେ ରଖି ସୁକିନ୍ଦା ଏବଂ ଦାନଗଦି ବ୍ଲକରେ ଗୋଟିଏ ଲେଖାଏଁ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବା ହାଚେରୀ ପ୍ରତିଷ୍ଠା ହେବ। ଏହାସହ ଗାଁ ଲୋକଙ୍କର ଜୀବନ ଶୈଳୀ ଏବଂ ସ୍ଥାୟୀ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଅଣ୍ଡା ଦେଉଥିବା କୁକୁଡ଼ା ପାଳନକୁ ପ୍ରାଥମିକତା ମିଳିବ। ଏନେଇ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ବିଧାୟକଙ୍କ ସମେତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଦାନଗଦି ଓ ସୁକିନ୍ଦା ବ୍ଲକର ବିଡିଓ, ଏବଂ ଜିଲ୍ଲା ଖଣିଜ ପାଣ୍ଠି ମୁଖ୍ୟ ଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଜିଲ୍ଲା ଖଣିଜ ପାଣ୍ଠିକୁ ବିନିଯୋଗ କରି ଉଭୟ ବ୍ଲକରେ ହାଚେରୀ ଏବଂ ବ୍ରୁଡର ହାଉସ୍ ପ୍ରତିଷ୍ଠା କରାଯିବ। ଲୋକଙ୍କ ଠାରୁ ଅଣ୍ଡା ସଂଗ୍ରହ ଲାଗି ସ୍ୱୟଂସହାୟକ ଗୋଷ୍ଠୀ ଗୁଡିକୁ ସାମିଲ କରାଯିବ। ଅଣ୍ଡା କିଣିବା ଲାଗି ଅର୍ଥ ଆଗୁଆ ଏକକାଳୀନ ଦିଆଯିବ। ସେହିଭଳି ଚାଷୀଙ୍କୁ କୁକୁଡ଼ା ଚିଆଁ ଯୋଗାଇବା ଲାଗି ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କର ସହାୟତା ନିଆଯିବ। ଏହାସହ କୁକୁଡା ଫାର୍ମ ନିର୍ମାଣ ପାଇଁ ଅର୍ଥ ମଧ୍ୟ ପ୍ରଦାନ ହେବ। ଅନ୍ୟପକ୍ଷରେ ଉତ୍ପାଦିତ ଅଣ୍ଡା ଏବଂ କୁକୁଡ଼ା ବିକ୍ରୟ ଲାଗି ବଜାର ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।
ପ୍ରଥମେ ସୁକିନ୍ଦା ଓ ଦାନଗଦି ବ୍ଲକର ଅଙ୍ଗନଓ୍ୱାଡି କେନ୍ଦ୍ର ଏବଂ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଲାଗି ଆବଶ୍ୟକ ଅଣ୍ଡା ସ୍ଥାନୀୟ କୁକୁଡ଼ା ଫାର୍ମରୁ ସଂଗ୍ରହ ହେବ। ବଳକା ଅଣ୍ଡା ଏବଂ କୁକୁଡ଼ାର ବିକ୍ରୟ ଲାଗି ଓପେଲ୍ ଫେଡ୍ ବା ଅନ୍ୟ ଘରୋଇ ସଂସ୍ଥା ସହ ଚୁକ୍ତିନାମା କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଛେଳି ପ୍ରଜନନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବଣପାହାଡ଼ ଘେରା ସୁକିନ୍ଦା ଓ ଦାନଗଦି ଅଞ୍ଚଳରେ ପାରମ୍ପାରିକ ଉପାୟରେ ଛେଳି ରଖୁଥିବା ଗରିବ ଲୋକଙ୍କର ଆୟ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରଥମତଃ ସୁସ୍ଥ ଛେଳିର ଜନ୍ମ ଏବଂ ଏହାର ବଂଶ ବୃଦ୍ଧି ଲାଗି ପ୍ରଜନନକୁ ଗୁରୁତ୍ୱ ଦିଆଯିବ। ଗାଁ ବା ପଞ୍ଚାୟତ ସ୍ତରରେ ବୋଦାକୁ ଅଦଳ ବଦଳ କରାଯାଇ ସୁସ୍ଥ ଛେଳିର ଜନ୍ମକୁ ଅଗ୍ରାଧିକାର ଦିଆଯିବ। ଏହାସହ ଛେଳିର ରହିବା ସ୍ଥଳୀକୁ ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ କରାଯିବ। ନରେଗା ପାଣ୍ଠିକୁ ବିନିଯୋଗ କରି ଭାଡ଼ି ଥିବା ଗୁହାଳ ପ୍ରତିଷ୍ଠା କରାଯିବ। ଫଳରେ ଛେଳିର ପରିସ୍ରା ବା ମଳ ସେମାନଙ୍କ ଦେହରେ ଲାଗିବ ନାହିଁ।
ଯାହାଦ୍ୱାରା ଛେଳି ଗୁଡିକ ରୋଗମୁକ୍ତ ହେବା ସହ ସୁସ୍ଥ ରହିବେ। ଏହାସହ ନିୟମିତ ଡାକ୍ତରୀ ପରୀକ୍ଷା କରି ଯଥାଶୀଘ୍ର ରୋଗ ଚିହ୍ନଟ କରାଯାଇ ଛେଳି ମଡ଼କ ଉପରେ ଅଙ୍କୁଶ ଲଗାଯିବ। ଏତଦ୍ ବ୍ୟତୀତ ଛେଳି ଚାଷ କରିବା ଲାଗି ଆଗ୍ରହୀ ଚାଷୀଙ୍କ ଭୟ ଦୂର କରିବା ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ବୀମାଭୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି।
Comments are closed.