ରାଉରକେଲାରେ ବିମାନ ଦୁର୍ଘଟଣା: ଆହତଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଉରକେଲା: ରାଉରକେଲାରେ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଥିବା ନେଇ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ ଏୟାର ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବିମାନଟି ରାଉରକେଲାର ରଘୁନାଥପାଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଏଥିରେ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।
ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ଦୁର୍ଘଟଣାର ସଠିକ କାରଣ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି । ଚାର୍ଟର୍ଡ ବିମାନଟି ରାଉରକେଲା ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ପ୍ରାୟ ୧୦ରୁ ୧୫ କିଲୋମିଟର ପୂର୍ବରୁ ଜଲଦା ଅଞ୍ଚଳ ନିକଟରେ ଖସି ପଡ଼ିଥିଲା । ପାଇଲଟ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିମାନଟି ଦ୍ରୁତଗତିରେ ତଳକୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।