ରାଉରକେଲା: ସରକାରୀ ଚାକିରି ନାଁରେ ଠକୁଥିଲେ ଠକ ଦମ୍ପତି। ରାଉରକେଲା କୋର୍ଟରେ ଚାକିରି କରାଇ ଦେବାକୁ ଅନେକ ଆଶାୟୀଙ୍କ ଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି । ୧୯ରୁ ୨୦ ଜଣ ବେକାର ଯୁବକ ଓ ଯୁବତୀ ଏ ନେଇ ଅଭିଯୋଗ ହେବା ପରେ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ସୂଚନା ଅନୁସାରେ, ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ସରକାରୀ ଚାକିରି ନାଁ ରେ ଅନେକଙ୍କୁ ଫସଉଥିଲେ। ଗୋଟିଏ ମାସରେ ଥରେ ସେମାନେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ। ଆଉ କୋର୍ଟ ଚାରି ପାର୍ଶ୍ୱରେ ଘୁରି ବୁଲି ବେକାର ଯୁବତୀ ଓ ଯୁବକଙ୍କୁ ତାଙ୍କ ଜାଲରେ ଫସାଉଥିଲେ। ସେମାନେ ବେକାର ଯୁବକ ଯୁବତୀ ମାନଙ୍କୁ ରାଉରକେଲା କୋର୍ଟରେ କିରାଣୀ ଷ୍ଟେନୋ ଆଦି ଚାକିରି କରାଇଦେବା ପ୍ରଲୋଭନରେ ଠକୁଥିଲେ।
ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ବେଶଭୁଷା ସହ ସରକାରୀ ଲୋଗୋ ଥିବା ଆଇକାର୍ଡ ଦେଖି ଆଶାୟୀମାନେ ସହଜରେ ବିଶ୍ୱାସ କରି ନେଉଥିଲେ। ଏପରିକି ସେହି ଠକ ଦମ୍ପତି ଚାକିରି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ଟଙ୍କା ପାଇବା ପରେ ନିଯୁକ୍ତିପତ୍ର ଓ ଆଇକାର୍ଡ ମଧ୍ୟ ଦେଉଥିଲେ। ପରବର୍ତ୍ତୀ ସମୟରେ ଆଶାୟୀମାନେ ପାଇଥିବା ନିଯୁକ୍ତପତ୍ର ଓ ଆଇକାର୍ଡ ନକଲି ବୋଲି ଜାଣିବା ପରେ ଉଦିତ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ୩ଟି ଅଭିଯୋଗ ଦାଖଲ ହୋଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ୍ ତଦନ୍ତ କରିବ ସହ ଠକ ଦମ୍ପତିଙ୍କୁ କାବୁ କରିଥିଲା।
ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ୧୯ରୁ ୨୦ ଜଣ ଆଶାୟୀଙ୍କୁ ଠକିଥିବା ରାଉରକେଲା ଡିଏସ୍ପି ନିର୍ମଳ ମହାପାତ୍ର କହିଛନ୍ତି। ସେମାନେ ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିସହ ସେମାନେ ଚଲାଉଥିବା ଏକ କାର୍ ମଧ୍ୟ ଜବତ ହୋଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
Comments are closed.