Latest Odisha News

BREAKING NEWS

ବିଏମସିର ପାତର ଅନ୍ତର ନୀତି: ‘ହକି ବେଳେ ପଟାନିକୁ ହଁ, ଖଣ୍ଡଗିରି ମେଳା ବେଳେ ଆମକୁ ନାଁ’

ଭୁବନେଶ୍ୱର: ରାଜଧାନୀ ଏବଂ ରାଉରକେଲାରେ ହକି ବିଶ୍ୱକପ ଚାଲିଛି। ନା ଅଛି କରୋନା ନିୟମ ନା ଅଛି ସାମାଜିକ ଦୂରତା। ଏହାରି ଭିତରେ ହକି ବିଶ୍ୱକପ ଶେଷ ହେବାକୁ ଯାଉଛି। କିନ୍ତୁ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ଉପରେ  ବିଏମସି ଲଗାଇଥିବା କଟକଣାକୁ ନେଇ ଅସନ୍ତୋଷ ତେଜିଛି। ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ବିଏମସି ଆଇନ୍ କଡାକଡି କରିଛି ଗୋଟିଏ ହେଉଛି କରୋନା କଟକଣା ଏବଂ ଅନ୍ୟଟି ଯାତ୍ରାରେ ଅଶ୍ଳୀଳ ନୃତ୍ୟ।

ହକି ବିଶ୍ୱକପ ଚାଲିଥିବା ବେଳେ ରାଜଧାନୀକୁ ଦେଶ ବିଦେଶରୁ ଅନେକ ଲୋକ ଆସୁଛନ୍ତି। ଓଲି ଲ୍ୟାଣ୍ଡ ହେଉ ଅବା ଡଟ ଫେଷ୍ଟରେ ହଜାର ହଜାର ଲୋକ ଏକାଠି ହେଉଛନ୍ତି। ସଂଧ୍ୟା ହେଲେ ରାଜଧାନୀରେ ଯେମିତି ଉତ୍ସବ ପାଳନ ହେଉଛି। ବିଦେଶରେ ଯେତେବେଳେ କରୋନା ସଂକ୍ରମଣ ବଢୁଛି ଏବଂ ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ସାରା ରାଜ୍ୟକୁ ସତର୍କ କରାଇଛନ୍ତି। କିନ୍ତୁ ହକି ବିଶ୍ୱକପ ବେଳେ କୌଣସି କଟକଣା ନଥାଇ ସବୁକିଛି ସ୍ୱାଭାବିକ ଭାବେ ଚାଲିଛି। ଏମିତିକି କରୋନାକୁ ଡରିବାର ଆବଶ୍ୟକତା ନାହିଁ ବୋଲି ବିଶ୍ୱକପ ପୂର୍ବରୁ ରାଜ୍ୟ ସରକାର ଏବଂ ବିଶେଷଜ୍ଞ କହିଥିଲେ। ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ କେବଳ ଡଟ ଫେଷ୍ଟକୁ ଦୈନିକ ପ୍ରାୟ ସର୍ବାଧିକ କୋଡିଏ ହଜାର ଦର୍ଶକ ଆସିଥିବାର ନଜିର ରହିଛି।

ହେଲେ ଏବେ ଖଣ୍ଡଗିରି ମେଳା ଆୟୋଜିତ ହେବାକୁ ଯାଉଛି। ଅନେକ ସାଧୁ ସନ୍ଥଙ୍କ ଆସର ଜମିବ। ଏଥସହ ରାତି ହେଲେ ଯାତ୍ରା ପେଣ୍ଡାଲ ଦୁଲୁକିବ। ପ୍ରତିବର୍ଷ ରାଜଧାନୀରେ ଆୟୋଜିତ ହେଉଥିବା ଏହି ମେଳା କିନ୍ତୁ ବିଗତ ଦୁଇ ବର୍ଷ ହେବ କରୋନା ପାଇଁ କଟକଣା ଥିବାରୁ ଆୟୋଜିତ ହୋଇପାରିନଥିଲା। ହେଲେ ଚଳିତ ଥର ଯେତେବେଳେ ସବୁ କିଛି ସ୍ବାଭାବିକ ରହିଛି ସେହି ସମୟରେ କଟକଣା ଲଗାଇ ବିଏମସି କଣ ବାର୍ତ୍ତା ଦେବାକୁ ଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି?

ଜାନୁଆରୀ ୨୮ରୁୁୁ ଖଣ୍ଡଗିରିରେ ପ୍ରସିଦ୍ଧ ମାଘ ମେଳା ୧୦ ଦିନ ପର୍ଯ୍ୟନ୍ତ ଚାଲିବ। କରୋନା ସଂକ୍ରମଣକୁ ଦେଖି ବିଏମସି ଏସଓପି ଜାରି କରିଛି। ଯାତ୍ରା ବେଳେ ସମସ୍ତେ କୋଭିଡ୍ ନିମୟ ମାନିବାକୁ ବାଧ୍ୟ। ନହେଲେ ମଞ୍ଚରେ ଯାତ୍ରା ପରିବେଷଣ ହୋଇପାରିବ ନାହିଁ। ସେହିପରି ମେଳାର ସମସ୍ତ ଅଫିସର, ମେମ୍ବର ଓ ଭଲ୍ୟୁଣ୍ଟର କୋଭିଡ୍ ଟିକା ନେବାକୁ ବାଧ୍ୟତାମୂଳକ କରିଛି ବିଏମସି ପ୍ରଶାସନ। ସେହିପରି ବିଭିନ୍ନ ସ୍ଥାନରେ ସାନିଟାଇଜର ରଖିବାକୁ ବିଏମସି କହିଛି।

ଏହାବାଦ ଯାତ୍ରା ବେଳେ ଅଶ୍ଳୀଳ ନାଚ ଉପରେ କଟକଣା ଲଗାଇଛି ପ୍ରଶାସନ। ଯାହାକୁ କିଛି କଳାକାର ବିରୋଧ କରିବା ଆରମ୍ଭ କରିଛନ୍ତି। ଯଦିଓ ଯାତ୍ରା ଆୟୋଜକ ଏବଂ କମିଟି ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି, ତଥାପି କଳାକାର ରାଣୀ ପ୍ରିୟଦର୍ଶିନୀ ଏପରି ପ୍ରତିବନ୍ଧକ ପଛରେ ଥିବା ଯୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ନୃତ୍ୟ ପ୍ରଦର୍ଶନକୁ ଗ୍ରହଣ କରାଯାଇପାରିବ, ତେବେ ସେମାନଙ୍କର କାହିଁକି ନୁହେଁ?

ଉଲ୍ଲେଖଯୋଗ୍ୟ, ଖଣ୍ଡଗିରି ଯାତ୍ରା ବେଳେ ପୂର୍ବରୁ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବିବାଦ ସୃଷ୍ଟି କରିଥିଲା। ରାନୀ ପ୍ରିୟଦର୍ଶିନୀ କହିଛନ୍ତି ଯେ ଏଫାଇଏଚ ପୁରୁଷ ହକି ବିଶ୍ୱକପ୍‌ର ଉଦଘାଟନୀ ସମାରୋହରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କୁ ହଜାର ହଜାର ଦର୍ଶକଙ୍କ ଆଗରେ ଅଭିନୟ କରିବାକୁ ଅନୁମତି ଦିଆଯାଇଛି। ରାଣୀ ପ୍ରଶ୍ନ କରିଛନ୍ତି, “ଓଡିଶା କଳାକାରଙ୍କ ପ୍ରଦର୍ଶନ ଉପରେ କାହିଁକି ପ୍ରତିବନ୍ଧକ ଲଗାଯାଉଛି? ସେଠାରେ ବହୁତ କଳାକାର ଅଛନ୍ତି ଯେଉଁମାନେ ନୃତ୍ୟ ପରିବେଷଣ କରି ଏପରି ପକ୍ଷପାତିତା ହେତୁ ଜୀବିକା ନିର୍ବାହ କରନ୍ତି; ସେମାନଙ୍କ ଜୀବିକା ଲୁଟିବାକୁ ଚେଷ୍ଟା କରାଯାଉଛି। ”

ଅଭିନେତା ବାପି ପଣ୍ଡା କହିଛନ୍ତି, ଅର୍କେଷ୍ଟ୍ରା ହେଉ କିମ୍ବା ଅନ୍ୟ କୌଣସି ଯାତ୍ରା ଓଡିଶାର ସମସ୍ତ କାର୍ଯ୍ୟକ୍ରମ ପାଇଁ ଏପରି ପ୍ରତିବନ୍ଧକ ଏବଂ ନିର୍ଦ୍ଦେଶାବଳୀ ପ୍ରଯୁଜ୍ୟ ହେବା ଉଚିତ୍।

 

 

Comments are closed.