Latest Odisha News

BREAKING NEWS

ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସ୍ଵାଧୀନ ନିର୍ଦ୍ଦେଶକ ନିଯୁକ୍ତି କେତେ ସ୍ଵାଧୀନ?

 -ରାଜନୈତିକ ସମ୍ପୃକ୍ତିକୁ ଗୁରୁତ୍ଵ, ଅଧା ନିଯୁକ୍ତି ବିଜେପିରୁ!

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ରାଷ୍ଟ୍ରାୟତ୍ତ ସଂସ୍ଥା ଉଦ୍ୟୋଗ ରହିଛି। ଏଥିରେ ବିଭିନ୍ନସ୍ତର ଓ ପଦବୀରେ କର୍ମଚାରୀ ଅଛନ୍ତି। ଏହାବାଦ୍ ପରିଚାଳନା ବୋର୍ଡରେ ବିଭିନ୍ନ ସମୟରେ ଇଣ୍ଡିପେଣ୍ଡଣ୍ଟ ଡାଇରେକ୍ଟର ବା ସ୍ଵାଧୀନ ନିର୍ଦ୍ଦେଶକ ମଧ୍ୟ ନିଯୁକ୍ତି ପାଇଥାନ୍ତି। ଏମାନଙ୍କ ନିଯୁକ୍ତି କମ୍ପାନି ପରିଚାଳନାରେ ଲାଭଦାୟକ ହେବ ବୋଲି ବିବେଚନା ହୁଏ। ତେବେ ଏମାନଙ୍କ ନିଯୁକ୍ତି ସମ୍ପୃକ୍ତ ସଂସ୍ଥା ପାଇଁ କେତେ ଲାଭଦାୟକ ହୁଏ ତାହା ଏକ ବିତର୍କର ବିଷୟ। ତେବେ ମାର୍କେଟ ରେଗୁଲେଟର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ-ସେବି ମଙ୍ଗଳବାର ଏ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେମିତି ଏ ପ୍ରକାର ନିର୍ଦ୍ଦେଶକଙ୍କ ନିଯୁକ୍ତି ଓ ବୋର୍ଡ ପରିଚାଳନାରେ ସେମାନଙ୍କ ଭୂମିକାକୁ ନେଇ ତର୍ଜମା କରିବେ। ଏଥିରେ କେମିତି ସଂସ୍କାର ଅଣାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିବ ସେବି। ତେବେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦେଶରେ ୧୪୬ ପିଏସୟୁ ମଧ୍ୟରୁ ୯୮ ପିଏସୟୁରେ ୧୭୨ ସ୍ଵାଧୀନ ନିର୍ଦ୍ଦେଶକ ନିଯୁକ୍ତି ପାଇଛନ୍ତି। ୬୭ଟି ପିଏସୟୁରେ ୮୬ଜଣ ସ୍ଵାଧୀନ ନିର୍ଦ୍ଦେଶକଙ୍କର ବିଜେପି ସହ ସମ୍ପୃକ୍ତି ରହିଛି। କେନ୍ଦ୍ର ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ୍ କୁହାଯାଉଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ୍ ଆଫେୟାର୍ସ(ଆଇଆଇସିଏ) ରୋକଠୋକ୍ କହିଥିଲେ ଯେ, ପବ୍ଲିକ୍ ସେକ୍ଟରରେ ସ୍ଵାଧୀନ ନିର୍ଦ୍ଦେଶକ ନିଯୁକ୍ତି ଆଉ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ପାଇଁ ଆଉ ସ୍ଵାଧୀନତାର ବ୍ୟାପାର ହୋଇ ରହିନାହିଁ। ସେହି ସ୍ଥାନଗୁଡ଼ିକରେ ଅଭିଜ୍ଞତା ଅପେକ୍ଷା ଅବସରପ୍ରାପ୍ତ ଆଇଏଏସ୍ ଓ ରାଜନୈତିକ ଦଳସହ ସମ୍ପୃକ୍ତି ଥିବା ଲୋକଙ୍କୁ ଗୁରୁତ୍ଵ ଦିଆଯାଉଛି। ତେଣୁ ସ୍ଵାଧୀନ ନିର୍ଦ୍ଦେଶକ ନିଯୁକ୍ତିର ମୂଳ ଉଦ୍ଦେଶ୍ୟ ନଷ୍ଟ ହୋଇସାରିଛି।

ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗର ସମ୍ପୃକ୍ତ ସ୍ଵାଧୀନ ନିର୍ଦ୍ଦେଶକମାନେ ନିଯୁକ୍ତି ପଛରେ ସେମାନଙ୍କ ଦଳୀୟ ସମ୍ପୃକ୍ତି ଥିବା କଥାକୁ ଅସ୍ଵୀକାର କରିବା ସହ ଏହା ପଛରେ ସେମାନଙ୍କ ଯୋଗ୍ୟତା ହିଁ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି।

ପିଏସୟୁର ଦୈନନ୍ଦିନ ପରିଚାଳନାରେ ଏହି ସ୍ଵାଧୀନ ନିର୍ଦ୍ଦେଶକମାନଙ୍କର କିଛି ଭୂମିକା ନ ଥାଏ। ସେମାନେ ସଂସ୍ଥାର ନୀତି ନିର୍ଧାରଣ ସହ ବୋର୍ଡର ବିଭିନ୍ନ ବୈଠକରେ ସାମିଲ ହୁଅନ୍ତି। ସେମାନଙ୍କୁ ଦରମା ସହ ମିଟିଂରେ ଯୋଗଦାନ ପାଇଁ ଖର୍ଚ୍ଚ ମିଳିଥାଏ।

Leave A Reply

Your email address will not be published.