Latest Odisha News

BREAKING NEWS

ନେପାଳକୁ ରାଜତନ୍ତ୍ର ଫେରିଲେ ବଦଳିଯିବ ସଂପର୍କ !

ନୂଆଦିଲ୍ଲୀ: ନେପାଳରେ ଗଣତନ୍ତ୍ର ବନାମ ରାଜତନ୍ତ୍ର । ବିରୋଧ, ବିକ୍ଷୋଭ ଓ ଆକ୍ସନ୍ । ଫେରିବ କି ରାଜତନ୍ତ୍ର ? ରାଜାଶାସନ ଫେରିଲେ ପଡୋଶୀ ଦେଶଙ୍କ ଉପରେ କି ପ୍ରଭାବ ପଡିବ? ଲମ୍ବା ସମୟ ଧରି ବିଶ୍ବର ଏକମାତ୍ର ହିନ୍ଦୁ ରାଷ୍ଟ୍ର ରହିଥିବା ନେପାଳରେ ରାଜତନ୍ତ୍ର ଥିଲା । ତେବେ ୨୦୦୮ରେ ରାଜାଶାସନ ଶେଷ ହୋଇ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା। ଦିନେ ହିନ୍ଦୁ ରାଷ୍ଟ୍ର ଥିବା ନେପାଳ ଏବେ ଧର୍ମନିରପେକ୍ଷ ଦେଶ । ତେବେ ଗଣତନ୍ତ୍ର ଓ ଧର୍ମନିରପେକ୍ଷତା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ନେପାଳ ଜନତା । ରାଜତନ୍ତ୍ର ସହ ହିନ୍ଦୁ ଦେଶ ପାଇଁ ପୁଣି ଦାବି ତେଜୁଛି । ତେବେ ଯଦି ନେପାଳକୁ ରାଜତନ୍ତ୍ର ଫେରେ, ତେବେ ଭାରତ ଓ ଚୀନ୍ ଉପରେ କିଭଳି ରହିବ ଏହାର ପ୍ରଭାବ?

ରାଜତନ୍ତ୍ରରୁ ଗଣତନ୍ତ୍ର, ପୁଣି ଏବେ?

ଅଷ୍ଟାଦଶ ଶତାବ୍ଦୀରେ ଛୋଟ ଛୋଟ ରାଜ୍ୟକୁ ମିଶାଇ ନେପାଳର ଗଠନ କରାଯାଇଥିଲା । ପ୍ରାୟ ଅଢେଇଶହ ବର୍ଷ ଧରି ଏଠାରେ ରାଜାଶାସନ ରହିଲା । ହେଲେ ସମୟ ସହ ଅନେକ ପରିବର୍ତ୍ତନ ବି ହେଲା । ତେବେ ୨୦୦୧ରେ ନେପାଳ ରାଜତନ୍ତ୍ରକୁ ଲାଗିଲା ବଡ ଝଟକା । ତତ୍କାଳୀନ ରାଜା ବୀରେନ୍ଦ୍ରଙ୍କ ସମେତ ପୂରା ରାଜ ପରିବାରକୁ ଗୁଳି ମାରି ହତ୍ୟା କଲେ ରାଜକୁମାର ଦୀପେନ୍ଦ୍ର । ଏହାପରେ ଜ୍ଞାନେନ୍ଦ୍ର ଶାହ ରାଜା ହେଲେ । ତେବେ ତାଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ସ୍ବର ଉଠିଲା । ରାଜତନ୍ତ୍ର ଶେଷ ହୋଇ ୨୦୦୮ରେ ନେପାଳରେ ଗଣତନ୍ତ୍ରର ପ୍ରତିଷ୍ଠା ହେଲା। ଆଶା କରାଯାଉଥିଲା, ଦେଶରେ ସ୍ଥିରତା ଆସିବା ସହ ଦୁର୍ନୀତି କମିବ, ଆର୍ଥିକସ୍ତରରେ ମଜବୁତ ହେବ ନେପାଳ । ତେବେ ସରକାର ପରେ ସରକାର ବଦଳିଲେ, ହେଲେ ବଦଳିଲାନି ନେପାଳର ଭାଗ୍ୟ । ସ୍ଥିତି ଆହୁରି ଖରାପ ହୋଇଗଲା । ଏବେ ପୁଣି ରାଜତନ୍ତ୍ର ଫେରାଇ ଆଣିବାକୁ ଦାବି ତେଜିଛି ।

ପୁଣି ହିନ୍ଦୁ ରାଷ୍ଟ୍ର ଦାବି

ଧର୍ମନିରପେକ୍ଷ ଦେଶ ହେବା ପରେ ଧାର୍ମିକ ଓ ସାଂସ୍କୃତିକ ପରିଚୟ ଶେଷ ହେବା ଆଶଙ୍କାରେ ନେପାଳ ଲୋକ । କାରଣ ଏହା ମଧ୍ୟରେ ଦେଶରେ ଧର୍ମାନ୍ତରୀକରଣ ବଢିଛି । ୨୦୨୧ ଜନଗଣନା ଅନୁସାରେ ଦେଶରେ ୮୧ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଥିଲା । ଦ୍ବିତୀୟରେ ରହିଥିଲେ ୮ପ୍ରତିଶତ ବୌଦ୍ଧ । ଏହାପରେ ମୁସଲିମ୍ ଓ ଖ୍ରୀଷ୍ଟିଆନ ରହିଥିଲେ । ତେବେ ଦେଶରେ ମୁସଲିମ ଓ ଖ୍ରୀଷ୍ଟିଆନ୍ ଜନସଂଖ୍ୟା ବଢିବାରେ ଲାଗିଛି । ଯେବେକି ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ସଂଖ୍ୟା କ୍ରମଶ କମୁଛି । ତେଣୁ ସନାତନ ଧର୍ମ ରକ୍ଷା କରିବାକୁ ହେଲେ ଧର୍ମନିରପେକ୍ଷତା ଚଳିବନି ବୋଲି ଅନେକ ହିନ୍ଦୁ ସଂଗଠନ ଓ ନେପାଳୀ କଂଗ୍ରେସ କହିଲେଣି । ଅନେକ ଦଳ ଏନେଇ ଜନମତ ସଂଗ୍ରହ ପାଇଁ ବି ଦାବି କରୁଛନ୍ତି ।

ରାଜତନ୍ତ୍ର ହେଲେ ବଦଳିବ ସଂପର୍କ

ଯଦି କାଠମାଣ୍ଡୁ ଜନତାଙ୍କ ଦାବି ମାନିନିଏ, ତେବେ କେବଳ ଦେଶରେ ନୁହେଁ ବାହାରେ ବି ଅନେକ କିଛି ବଦଳିଯିବ । ରାଜତନ୍ତ୍ର ହଟିବା ପରଠୁ ନେପାଳରେ ନିଜ ପ୍ରଭାବ ବିସ୍ତାର କରିଛି ଚୀନ୍ । ରାଜାଶାସନ ପରେ ଦେଶରେ କମ୍ୟୁନିଷ୍ଟ ଦଳର ଦବଦବା ବଢିଥିଲା, ଯାହାକୁ ଚୀନ୍ ସମର୍ଥନ ଦେଇଥିଲା । ନେପାଳକୁ ଚୀନ୍ ନୀତି ଆପଣାଇବାକୁ ବାଧ୍ୟ କରିଥିଲା ବେଜିଂ । ବଦଳରେ ଚୀନ୍ ନେପାଳରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିଥିଲା । ଏପରିକି ନେପାଳ ବଜାରରେ ଚୀନ୍ ମୁଦ୍ରା ପ୍ରଚଳିତ ହେବା ସହ ସ୍କୁଲରେ ଚୀନ୍ ଭାଷା ଶିଖିବାକୁ ଗୁରୁତ୍ବ ଦିଆଗଲା। ରାଜତନ୍ତ୍ର ବେଳେ ନେପାଳ ଭାରତର ଅଧିକ ନିକଟତର ଥିଲା । ହେଲେ ଗଣତନ୍ତ୍ର ପ୍ରତିଷ୍ଠା ପରଠୁ ଚୀନ୍ ସହ ସଂପର୍କ ନିବିଡ ହୋଇଥିବା ବେଳେ ଭାରତ ସହ ସଂପର୍କ ବିଗିଡିବାରେ ଲାଗିଥିଲା । ନେପାଳ ନିଜ ନକ୍ସାରେ ଭାରତର କିଛି ଅଞ୍ଚଳକୁ ନିଜର ଭାବେ ଦେଖାଇଲା । ନାଗରିକତାଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ବିବାଦ ହୋଇଥିଲା ।

ନେପାଳ ଭାରତ ଓ ଚୀନ୍ ମଧ୍ୟରେ ବଫର ଷ୍ଟେଟ୍ ଭାବେ ରହିଛି । ତେଣୁ ନେପାଳ ଚୀନ୍ ଆଡକୁ ନଇଁଲେ ଭାରତ ପାଇଁ ସମସ୍ୟା ହୋଇପାରେ । ଯଦି ନେପାଳକୁ ପୁଣି ରାଜତନ୍ତ୍ର ଫେରେ, ତେବେ ଦେଶର ଆଭିମୁଖ୍ୟ ବଦଳିପାରେ । କାରଣ ପୂର୍ବରୁ ବି ରାଜବଂଶ ସହ ଦିଲ୍ଲୀର ଭଲ ସଂପର୍କ ରହିଥିଲା । ହିନ୍ଦୁ ରାଷ୍ଟ୍ର ହେଲେ ନେପାଳ ସାଂସ୍କୃତିକ ଓ ଧାର୍ମିକ ସ୍ତରରେ ଭାରତର ନିକଟତର ହେବ । ଫଳରେ ନେପାଳର ବିଦେଶ ନୀତି ଭାରତ ସପକ୍ଷରେ ଯାଇପାରେ । ସେମିତି ହେଲେ ଚୀନର ବଜାର ଉପରେ ଏହାର ପ୍ରଭାବ ପଡିବ । ନେପାଳର ବିଭିନ୍ନ ରାଜନୈତିକ ଦଳ ଚୀନ୍ ସେଠାକାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରୁଛନ୍ତି ।

Comments are closed.