କଟକ: କଟକ ମହାନଗର ନିଗମର ୩୭ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗକୁ ନେଇ ଆଜି କାଉନସିଲ୍ ବୈଠକ ଆଲୋଚନା କରାଯାଇଥିଲା । ଚଳିତ ବର୍ଷର ଏହି ଅନ୍ତିମ କାଉନସିଲ୍ ବୈଠକରେ ମେୟର, କମିଶନର, ଡେପୁଟି ମେୟର, ସମସ୍ତ ୱାର୍ଡର କର୍ପୋରେଟର ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ନିଜ ନିଜ ୱାର୍ଡରେ ଅଟକି ରହି ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ କର୍ପୋରେଟର ମାନେ ବୈଠକରେ ଅବଗତ କରାଇଥିଲେ ।
କିଛି କର୍ପୋରେଟର ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବ ପ୍ରସଙ୍ଗ ଉଠାଇ ଥିବାବେଳେ, କିଛି କର୍ପୋରେଟର ହରିଶ୍ଚନ୍ଦ୍ର ଯୋଜନା ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ଆଣି ଥିଲେ । କଟକ ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ କଟକ ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ଅନେକ ବିଲ ବୋର୍ଡକୁ ନେଇ କିଛି ସମୟ ପାଇଁ କମ୍ପି ଥିଲା ଗୃହ । ସିଏମସି କର୍ପୋରେଟର ମାନଙ୍କର ମତ ପରାମର୍ଶ ନ ନେଇ ସେମାନଙ୍କୁ ଅବଗତ ନ କରି ଠିକା ସଂସ୍ଥା ରାସ୍ତା ଖୋଳି ଏହି ବିଲ ବୋର୍ଡଗୁଡ଼ିକ କାହିଁକି ଲଗାଇଛି ବୋଲି ପ୍ରଶ୍ନ କରିଥିଲେ କର୍ପୋରେଟର । ଏହି ବିଲ୍ ବୋର୍ଡକୁ ଲଗାଇବାରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି କର୍ପୋରେଟର ।
ଅପରପଟେ ଚଳିତ ବର୍ଷର ଶେଷ କାଉଁସିଲ ବୈଠକରେ ସହରର ବିକାଶ ପାଇଁ ସରକାର ଅର୍ଥ ବ୍ୟୟ ଅଟକଳ ନେଇ ଗୃହରେ ଆଲୋଚନା କରିଥିଲେ ମେୟର । ସହରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ, ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ ରାଜ୍ୟ ସରକାର ପ୍ରସ୍ତୁତ କରି ଏହି ଅର୍ଥରାଶିକୁ ଅନୁମୋଦନ କରିଛନ୍ତି । ଏହା ଭିତରୁ ୬୬ କୋଟି ଟଙ୍କା ଅଗ୍ରୀମ ଆକାରରେ ସିଏମସିକୁ ଦିଆଯାଇଛି ବୋଲି ମେୟର ବୈଠକରେ ସୂଚନା ଦେଇଥିଲେ ।
ଏହି ଟଙ୍କା ଖର୍ଚ୍ଚ ପାଇଁ ୫୯ଟି ଯାକ ୱାର୍ଡର ନିର୍ବାଚିତ ପ୍ରତିନିଧିଙ୍କର ଆଜି ମତ ନିଆଯାଇ ଏହାକୁ ବୈଠକରେ ଉପସ୍ଥାପନ କରାଯାଇଥିଲା । ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ଅର୍ଥ ରାଶି ବିନିଯୋଗ କରି ଖର୍ଚ୍ଚ କରିବା ପରେ, ୟୁ.ସି (utilisation cirtificate) ଦାଖଲ କରିବାକୁ ହେବ, ଏବଂ ଏହା ପରେ ପରବର୍ତ୍ତୀ ପର୍ଯ୍ୟାୟର ଅର୍ଥ ମଞ୍ଜୁର ହେବ ବୋଲି ମେୟର ସୂଚନା ଦେଇଛନ୍ତି।
ଏହା ବ୍ୟତୀତ ଆଜି କାଉନସିଲ୍ ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ TPCODL ଅତିରିକ୍ତ ସିକୁରିଟି ଡିପୋଜିଟ ପ୍ରସଙ୍ଗ ଉଠାଇ ଥିଲେ ନିର୍ବାଚିତ ପ୍ରତିନିଧି ।