ଚଣ୍ଡିଗଡ଼: ଆଜି ପଞ୍ଜାବରେ ସିବିଆଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ଆଇପିଏସ ଅଧିକାରୀ ତଥା ପଞ୍ଜାବର ରୋପର୍ ରେଞ୍ଜରେ DIG ଭାବରେ ନିଯୁକ୍ତ ହରଚରଣ ସିଂହ ଭୁଲ୍ଲରଙ୍କୁ ଲାଞ୍ଚ ନେବା ବେଳେ ମାଡିବସିଲା ସିବିଆଇ। ବରିଷ୍ଠ ଆଇପିଏସଙ୍କ ଟଙ୍କା ସହ ସମ୍ପତ୍ତି ଦେଖି ସିବିଆଇ ଟେରା। ପୁଳା ପୁଳା ଟଙ୍କା, ଅମାପ ଧନ ସମ୍ପତ୍ତି, ହାତ ଘଣ୍ଟା ଭଳିକି ଭଳି। ୮ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ୨୦୦୯ ବ୍ୟାଚର ପଞ୍ଜାବର ଏହି ବରିଷ୍ଠ ଆଇପିଏସ ଅଫିସରଙ୍କ ଘରେ ଛାପା ମାରି ଏସବୁ ସାମଗ୍ରୀ ଜବତ କରିଛି ସିବିଆଇ।
ରୋପର୍ ରେଞ୍ଜରେ DIG ଙ୍କ ସହ ଜଣେ ମଧ୍ୟସ୍ଥିକୁ ବି ଗିରଫ କରି ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ସିବିଆଇ ଜାରି ରଖିଛି ରେଡ୍। ଚଢ଼ାଉ ଭିତରେ CBI ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ଯାହାର ପରିମାଣ, ପ୍ରାୟ ୫ କୋଟି ହେବ। ସେହିପରି ପ୍ରାୟ ଦେଢ଼ କେଜିର ଅଳଙ୍କାର, ପଞ୍ଜାବରେ ଅସ୍ଥାବର ଓ ସ୍ଥାବର ସମ୍ପତ୍ତି ଜବତ କରିଛି ସିବିଆଇ।
ଏହାବ୍ୟତୀତ ଗୋଟିଏ ମର୍ସିଡିଜ୍ ଏବଂ ଅଡିକୁ ବି ସିଜ୍ କରିଛି ସିବିଆଇ। କେବଳ ଏତିକି ନୁହେଁ, ସଂପୃକ୍ତ ଆଇପିଏସଙ୍କ ଘରୁ ୨୨ଟି ଘଣ୍ଟା, ୪୦ ଲିଟର ଇମ୍ପୋଟେଡ୍ ମଦ ବୋତଲ, ଗୁଳି ସହିତ ଅସ୍ତ୍ରଶସ୍ତ୍ର ଜବତ କରିଛି। ଡିଆଇଜିଙ୍କ ପାଖରେ ଦେଢ଼ କିଲୋଗ୍ରାମରୁ ଅଧିକ ସୁନା, ୧୫ରୁ ଅଧିକ ସ୍ଥାନରେ ସମ୍ପତ୍ତି ଏବଂ ଅନେକ ବିଳାସପୂର୍ଣ୍ଣ କାର ଅଛି। ମଧ୍ୟସ୍ଥିଙ୍କଠାରୁ ୨୧ ଲକ୍ଷ ଟଙ୍କା ନଗଦ ଉଦ୍ଧାର କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆସନ୍ତାକାଲି କୋର୍ଟରେ ହାଜର କରାଯିବ।
Comments are closed.