Latest Odisha News

BREAKING NEWS

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ନବୀନଙ୍କୁ ମନେଇବାକୁ ବହୁ ବରିଷ୍ଠ ନେତାଙ୍କ ଗହଳି

ଭୁବନେଶ୍ୱର : ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ସଂସଦରେ ଅନାସ୍ଥା ପ୍ରସ୍ତାବରେ ସଂସଦର ଆସ୍ଥା ଭାଜନ ହେଲା ଶାସକ ଏନଡ଼ିଏ । କିନ୍ତୁ କିଛିଦିନ ଧରି ଜାତୀୟ ରାଜନୀତିରେ ହଟଚମଟ ଲାଗି ରହିଥିଲା । ସେହିପରି ୯ ତାରିଖରେ ରାଜ୍ୟସଭାରେ ଅନୁଷ୍ଠିତ ହେବାକୁ ଯାଉଛି ଉପାଧ୍ୟକ୍ଷ ନିର୍ବାଚନ । ଗୋଟିଏ ପଟେ ଶାସକ ଏନଡ଼ିଏ ଅନ୍ୟପଟେ ବିରୋଧି ମେଣ୍ଟଙ୍କ ତୀବ୍ର ଲଢେଇ । ଏହି ଉପାଧ୍ୟକ୍ଷ ନିର୍ବାଚନରେ କିନ୍ତୁ ବିଜୁ ଜନତା ଦଳର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ପ୍ରତିଦ୍ୱନ୍ଦୀ ଉପଲବ୍ଧୀ କରିସାରିଛନ୍ତି । କାରଣ ଲୋକସଭାରେ ବିଜେଡ଼ିର ସଂଖ୍ୟା କମ୍ ନୁହେଁ । ବିଜେଡ଼ି ହିଁ ଏହି ମତଦାନରେ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

କାରଣ କିଛି ସପ୍ତାହ ପୂର୍ବରୁ ତେଲୁଗୁ ଦେଶମ ପକ୍ଷରୁ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବରେ ମଧ୍ୟ ନବୀନଙ୍କ ବିଜେଡ଼ି ଏକ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା । ସଂସଦରେ ମତଦାନ ଲାଗି ଆଲୋଚନା ହେବା ପୂର୍ବରୁ ହିଁ ବିଜେଡ଼ି ସଂସଦ ଦଳ ନେତା ଭୋଟଦାନରୁ ବିରତ ରହିବା କହି କକ୍ଷତ୍ୟାଗ କରିଥିଲେ । ବିଜେଡ଼ି ସଂସଦୀୟ ଦଳ ନେତା ସାଂସଦ ଭତ୍ତୃହରି ମହତାବ ତାଙ୍କ ସଂକ୍ଷିପ୍ତ ଭାଷଣରେ କହିଥିଲେ ଓଡ଼ିଶାର ବିକାଶ ଲାଗି ୟୁପିଏ କି ଏନଡ଼ିଏ ସରକାର ବିଶେଷ ସହାୟତା ପ୍ରଦାନ କରିନାହାନ୍ତି । ତେଣୁ ଏହି ଆମେ ମତଦାନରୁ ବିରତ ରହିବା ଲାଗି ଏହି ମୂହୁର୍ତ୍ତରେ କକ୍ଷତ୍ୟାଗ କରୁଛୁ । ତେବେ ଠିକ୍ ସେହିସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ଖୁସି ଅନୁଭବ କରିଥିବା ଦେଖାଯାଇଥିଲା । ତେଣୁ ଏହି ଘଟଣାରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ସବୁ ଦଳ ହୃଦୟଙ୍ଗମ କରିଛନ୍ତି ଯେ, ବିଜେଡ଼ି ଏହି ସମ୍ମାନଜନକ ନିର୍ବାଚନରେ ମଧ୍ୟ ଏକ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବା ଥୟ ।

କଥାହେଲା ନବୀନଙ୍କୁ ରାଜନୀତିରେ ଜଣେ ଚାଣକ୍ୟ ଭାବେ ବର୍ଣ୍ଣନା କରିଥିବା ଅନେକ ରାଜନୈତିକ ବିଷାରଦ ମାନେ ମଧ୍ୟ ତାଙ୍କର ଏକ ଭଲଗୁଣକୁ ସର୍ବଦା ପ୍ରଶଂସା କରିଥାଆନ୍ତି । ସେ ଓ ତାଙ୍କ ଦଳ ସବୁଦଳଠାରୁ ସମାନ ଦୂରତା ଅବଲମ୍ବନ କରିଥାଆନ୍ତି । ଫଳରେ ସବୁଦଳ ସବୁ ସମୟରେ ନବୀନଙ୍କ ଶରଣାପନ୍ନ ହେବାର ଦେଖାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶାସକ ଏନଡ଼ିଏ ନବୀନଙ୍କୁ ଏକମାତ୍ର ଭରସା ଭାବେ ନିଶ୍ଚିତ କରିନେଇଛି । ଏନଡ଼ିଏ ର ପ୍ରାର୍ଥୀ ରୂପେ ନିତିଶ କୁମାରଙ୍କ ଜେଡ଼ି(ୟୁ) ଦଳ ପକ୍ଷରୁ ବରିଷ୍ଠ ନେତା ହରିବଂଶ ନାରାୟଣ ସିଂହ ଛିଡ଼ା ହୋଇଛନ୍ତି । ଆଜି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡ଼ି(ୟୁ) ସୁପ୍ରିମୋ ନିତିଶ କୁମାର ନବୀନଙ୍କୁ ସ୍ୱୟଂ ଫୋନ କରିଥିଲେ । ନିର୍ବାଚନରେ ତାଙ୍କ ଦଳର ପ୍ରାଥିୀଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ।

ସେହିପରି କଂଗ୍ରେସ ପକ୍ଷରୁ ବିକେ ହରିପ୍ରସାଦ ଉପାଧ୍ୟକ୍ଷ ନିମନ୍ତେ ନିର୍ବାଚନ ଲଢୁଛନ୍ତି । ବି.କେ ହରିପ୍ରସାଦ ଅନେକ ବର୍ଷ ଧରି ଓଡ଼ିଶାର କଂଗ୍ରେସ ପ୍ରଭାରୀ ରହିଛନ୍ତି । ତାଙ୍କରି ସମୟରେ ହିଁ ଶାସନକଳକୁ ଅନେକ ବିରୋଧ କରାଯାଇଥିବାର ଦୃଷ୍ଟାନ୍ତ ରହିଛି । ନବୀନ ପଟ୍ଟନାୟକ ସେହି କଥା କେବେବି ମନରୁ ଭୁଲିନଥିବେ । ତେବେ ଯାହାବି ହେଉ କୌଣସି ପ୍ରକାରେ ନବୀନଙ୍କ ଠାରୁ ସମର୍ଥନ ହାସଲ କରିବାକୁ ପ୍ରଚେଷ୍ଟା କରୁଛି କଂଗ୍ରେସ । ଗତକାଲି କଂଗ୍ରେସ ପ୍ରାର୍ଥୀ ବି.କେ ହରିପ୍ରସାଦ ନିଜେ ନବୀନଙ୍କ ସହିତ ଫୋନଯୋଗେ କଥା ହୋଇଛନ୍ତି ।

ତେବେ ଯାହାବିହେଉ ନବୀନ କେଉଁ ଦଳର ପ୍ରାର୍ଥୀଙ୍କୁ ତାଙ୍କ ଦଳ ସମର୍ଥନ ଦେବ ତାହା ମୁମ୍ବାଇରୁ ଫେରିଲା ପରେ ଜଣାଇବେ ବୋଲି କହିଛନ୍ତି । ତେବେ ଗୋଟିଏ କଥା ଏହି ନିର୍ବାଚନରୁ ସହଜେ ଅନୁମେୟ ଯେ, ଜାତୀୟ ସ୍ତରରେ ମଧ୍ୟ ନବୀନ ପ୍ରଭାବ ବିସ୍ତାର କରିସାରିଛନ୍ତି ତାହା ସ୍ପଷ୍ଟ ଜଣାପଡୁଛି ।

Leave A Reply

Your email address will not be published.