Latest Odisha News

BREAKING NEWS

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ‘ବିଜୁ ଜନତା ଦଳ’ ଏନଡ଼ିଏ ସମର୍ଥୀତ ଜେଡ଼ି (ୟୁ)ପ୍ରାର୍ଥୀଙ୍କୁ ସମର୍ଥନ କରିବ

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଆଜି ରାତିରେ ମୁମ୍ବାଇରୁ ଫେରି ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଦଳ ଏନଡ଼ିଏ ସମର୍ଥୀତ ଜେଡ଼ି (ୟୁ)ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମ ପକ୍ଷରୁ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି “ ବିହାର ମୁଖ୍ୟମନ୍ତ୍ରୀ ମୋ ସହିତ ଆଲୋଚନା କରିଛନ୍ତି ଏବଂ ଆମ ଦଳ ଏହି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡ଼ି (ୟୁ)ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବ” ।

“ଏହି ନିର୍ବାଚନ ସମ୍ପର୍କରେ ଅନେକ ଜାତୀୟସ୍ତରର ବହୁ ଦଳର ବରିଷ୍ଠ ନେତା ମୋ ସହିତ ଆଲୋଚନା କରିଛନ୍ତି, ଏପରିକି ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୋ ସହିତ ଏସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି” ।

ତେବେ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତିଙ୍କ ଏନଡ଼ିଏ ସମର୍ଥୀତ ପ୍ରାର୍ଥୀଙ୍କୁ ସମର୍ଥନ କରିବା ସ୍ପଷ୍ଟୋକ୍ତି ମିଳିବା ପରେ ଜେଡ଼ି (ୟୁ)ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ବିଜୟରେ ନିଶ୍ଚିତତା ରହିଥିବା ପରି ମନେହେଉଛି ।

ସଂସଦର ରାଜ୍ୟସଭା ମୋଟ ୨୪୫ ଜଣ ସଦସ୍ୟଙ୍କୁ ନେଇ ଗଠିତ । ତେବେ ଗୋଟିଏ ସିଟ ଖାଲି ପଡ଼ିଥିବାରୁ ଏହି ଉପାଧ୍ୟକ୍ଷ ପଦବୀ ଲାଗି ହେଉଥିବା ନିର୍ବାଚନରେ ୨୪୪ ଜଣ ସଦସ୍ୟ ନିର୍ବାଚନରେ ମତଦାନ କରିବେ । ରାଜ୍ୟସଭାରେ ବର୍ତ୍ତମାନ ବିଜେପି ନେତୃତ୍ୱାଧିନ ଶାସକ ଏନଡ଼ିଏର ୯୦ ଜଣ ସଦସ୍ୟ ରହିଥିବା ବେଳେ କଂଗ୍ରେସ ନେତୃତ୍ୱରେ ୧୧୨ ଜଣ ବିରୋଧି ସଦସ୍ୟ ରହିଛନ୍ତି । ତେଣୁ ଉପର ଗୃହରେ କୌଣସି ଦଳର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ନାହିଁ କହିଲେ ଚଳେ । ଏହି ନିର୍ବାଚନକୁ ଜିତିବାକୁ ହେଲେ ମ୍ୟାଜିକ ନମ୍ବର ୧୨୩ ହାସଲ କରିବାକୁ ପଡ଼ିବ ।

ବିଜୁ ଜନତା ଦଳ ଏହି ନିର୍ବାଚନରେ ଏକ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇସାରିଛି । କିଛି କ୍ଷୁଦ୍ର ଆଞ୍ଚଳିକ ଦଳର ସମର୍ଥନ ହାସଲ କରିଥିଲେ ମଧ୍ୟ ଏନଡ଼ିଏକୁ ଏକ ବଡ଼ ସମର୍ଥନର ଆବଶ୍ୟକ ପଡୁଥିଲା । ଆଜି ବିଜେଡ଼ି ସୁପ୍ରିମୋ ନବୀନ ଏନଡ଼ିଏ ସମର୍ଥୀତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିବା ପରେ ଜେଡ଼ି (ୟୁ) ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ଏହି ନିର୍ବାଚନ ବୈତରଣୀ ନିଶ୍ଚିତ ପାର ହୋଇଯିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.