Latest Odisha News

BREAKING NEWS

ରାମଜନ୍ମଭୂମି ବିବାଦରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କ’ଣ କହିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଜାଣନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଶ୍ରୀରାମ ଜନ୍ମଭୂମି ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିଷ୍ପତ୍ତିକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ୱାଗତ କରିବା ସହିତ ଏହା ଦେଶର ଜନସାଧାରଣଙ୍କ ଭାବନା, ଆସ୍ଥା ଏବଂ ଶ୍ରଦ୍ଧାପ୍ରତି ଏକ ସମ୍ମାନ ବୋଲି ସରସଂଘଚାଳକ ଡ.ମୋହନ ଭାଗବତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଦଶକ ଦଶକ ଧରି ନ୍ୟାୟାଳୟରେ ପଡି ରହିଥିବା ମୋକଦ୍ଦମାର ଏକ ବିଧି ସମ୍ମତ ଅନ୍ତିମ ନିଷ୍ପତ୍ତି ହୋଇ ପାରିଛି । ଏହି ଲମ୍ବା ନ୍ୟାୟିକ ପକ୍ରିୟା ଭିତରେ ଶ୍ରୀ ରାମଜନ୍ମଭୂମି ବିବାଦ ସମ୍ବନ୍ଧିତ ସମସ୍ତ ତଥ୍ୟ ପ୍ରମାଣର ସୁକ୍ଷ୍ମାତି ସୁକ୍ଷ୍ମ ବିଶ୍ଲେଷଣ କରାଯାଇଛି । ସମସ୍ତ ପକ୍ଷମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ସମସ୍ତ ତର୍କକୁ ବିଚାରକୁ ନିଆଯାଇଛି । ଧର୍ଯ୍ୟପୂର୍ବକ ଏହି ସବୁ ତଥ୍ୟର ଯଥାର୍ଥ ମନ୍ଥନ କରି ସତ୍ୟ ଓ ନ୍ୟାୟକୁ ପ୍ରତିଷ୍ଠା କରିଥିବା ସମସ୍ତ ନ୍ୟାୟମୂର୍ତ୍ତି, ସମସ୍ତ ପକ୍ଷ ତଥା ଅଧିବକ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହିତ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ଏହି ଲମ୍ବା ପ୍ରୟାସରେ ବିଭିନ୍ନ ପ୍ରକାରରେ ସହଯୋଗ ଦେଇଥିବ ସମସ୍ତ ସହଯୋଗୀ ଏବଂ ଏଥିପାଇଁ ଜୀବନ ବଳିଦାନ ଦେଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି କୃତଜ୍ଞତା ଜଣାଇବା ସହିତ ସେମାନଙ୍କୁ ସ୍ମରଣ କରିଥିଲେ ।

ଏହି ନିଷ୍ପତ୍ତିକୁ ଗ୍ରହଣ କରି ନେବା ପାଇଁ ଅନୁକୂଳ ମାନସିକତାର ସୃଷ୍ଟି ଓ ଭାତୃତ୍ୱପୂର୍ଣ୍ଣ ସଂପର୍କ ବଜାୟ ରଖିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବାରୁ ସରକାର ଓ ସମାଜର ବିଭିନ୍ନ ସ୍ତରରେ ଏଦିଗରେ କାର୍ଯ୍ୟ କରିଥିବା ଜନସାଧାରଣଙ୍କର ପ୍ରୟାସ ପାଇଁ ସେମାନଙ୍କୁ ସ୍ୱାଗତ ଜଣାଇବା ସହିତ ଅଭିନନ୍ଦନ ଜ୍ଞାପନ କରିଥିଲେ ।
ଅତ୍ୟନ୍ତ ସଂଯମତାର ସହିତ ଦୀର୍ଘଦିନ ଧରି ନ୍ୟାୟ ପାଇଁ ପ୍ରତୀକ୍ଷା କରି ଆସିଥିବା ଭାରତୀୟ ଜନତା ମଧ୍ୟ ଆମର ଅଭିନନ୍ଦର ପାତ୍ର ବୋଲି କହିଥିଲେ ।
ଏହି ନିଷ୍ପତ୍ତିକୁ ଜୟ ପରାଜୟ ଦୃଷ୍ଟିରୁ ଦେଖିବା ଉଚିତ ନୁହଁ । ସତ୍ୟ ଓ ନ୍ୟାୟର ମନ୍ଥନରୁ ବାହାରିଥିବା ଏହି ନିଷ୍କର୍ସ ଏବଂ ଭାରତ ବର୍ଷର ସମଗ୍ର ସମାଜର ଏକାତ୍ମତା ଓ ବନ୍ଧୁତାକୁ ପରିପୋଷଣ କରୁଥିବା ଏକ ନିଷ୍ପତ୍ତି ରୂପେ ଏହାକୁ ଦେଖିବା ଏବଂ ଉପଯୋଗ କରିବା ଆବଶ୍ୟକ । ସମଗ୍ର ଦେଶବାସୀଙ୍କୁ ମୋର ଅନୁରୋଧ, ବିଧି ଏବଂ ସମ୍ବିଧାନର ମର୍ଯ୍ୟାଦା ଭିତରେ ରହି ସଂଯମତା ଓ ସାତ୍ତ୍ୱିକ ରୀତିରେ ଆପଣମାନେ ନିଜର ଆନନ୍ଦକୁ ବ୍ୟକ୍ତ କରନ୍ତୁ ।

ଏହି ବିବାଦର ସମାପ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିଷ୍ପତ୍ତି ଅନୁରୁପ ତ୍ୱରିତ ପଦକ୍ଷେପ ନେଇ ଯଥା ଶୀଘ୍ର ସମ୍ଭବ ଏହି ସମସ୍ୟାର ଅନ୍ତ ଘଟାଇବା ନିମନ୍ତେ ସରକାର କାର୍ଯ୍ୟ କରିବେ ବୋଲି ମୋର ବିଶ୍ୱାସ ।

ଅତୀତର ସମସ୍ତ କଥାକୁ ଭୂଲି ଆମେ ସମସ୍ତେ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ କରିବା ସହିତ ସମସ୍ତେ ମିଳିମିଶି ନିଜ ନିଜର କର୍ତ୍ତବ୍ୟ ନିର୍ବାହ କରନ୍ତୁ ବୋଲି ମୋର ଅନୁରୋଧ ।

Leave A Reply

Your email address will not be published.