ବଣାଇ: ଘରୋଇ ବସ୍-ଟ୍ରେଲର ମୁହାଁମୁହିଁ ଧକ୍କା। ଟ୍ରେଲରକୁ ପିଟିଲା ଯାତ୍ରୀବାହୀ ବସ୍। ଟ୍ରକ, ବସ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ। ଏବେବି ୧୦ଜଣଙ୍କ ଅବସ୍ଥା ସଙ୍କଟାପନ୍ ରହିଛି। ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ରାଉରକେଲାରୁ ଯାଜପୁର ଟାଉନକୁ ଯାଉଥିବା ଯାତ୍ରୀବାହୀ ବସ୍ ୧୪୩ ନଂ. ଜାତୀୟ ରାଜପଥର ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବିରା ନିକଟରେ ଏକ ଟ୍ରେଲରକୁ ଧକ୍କା ଦେଇଛି।
ସୂଚନା ମୁତାବକ, ରାଉରକେଲାର ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରୁ ପ୍ରମିଳା ନାମକ ଯାତ୍ରୀବାହୀ ବସ୍ (ଓଡି୩୫ଏ ୨୧୬୯) ମଙ୍ଗଳବାର ସନ୍ଧ୍ୟା ୬.୪୦ରେ ଯାତ୍ରୀଙ୍କୁ ନେଇ ଯାଜପୁର ଅଭିମୁଖେ ବାହାରିଥିଲା। ୧୪୩ ନଂ. ଜାତୀୟ ରାଜପଥର ରଙ୍ଗ୍ ସାଇଡ୍ରେ ବସ୍ ଯାଉଥିବା ବେଳେ ମୂଷାବିରା ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରେଲର (ଓଡି୧୪ଏବି ୮୨୨୬)କୁ ବସ୍ ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ବସ୍ ଚାଳକ କ୍ୟାବିନ୍ ଭିତରେ ଚାପି ହୋଇ ରହିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପରେ ଟ୍ରେଲର ଚାଳକଙ୍କ ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ଚାନ୍ଦିପୋଷ ଓ ଲହୁଣିପଡ଼ା ପୋଲିସ୍ ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆରଜିଏଚ୍କୁ ପଠାଇଛନ୍ତି। ଚାପି ହୋଇ ରହିଥିବା ଚାଳକଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ କର୍ମଚାରୀ ଲାଗି ପଡ଼ିଛନ୍ତି। ଆହୁରୀ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଉଦ୍ୟମ କରୁଛି।