Latest Odisha News

ବିଧାନସଭାରେ ହଙ୍ଗାମା, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ସକାଳୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକଙ୍କ ସମର୍ଥନ କରି ବିଜେଡି ମଧ୍ଯ ପ୍ରତିବାଦ କରିଛି। ଏପରିକି ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ ବଜାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଏକପ୍ରକାର ଧୋଇଯାଉଛି।

ସୂଚନା ଅନୁଯାୟୀ, ଗୃହ ଆରମ୍ଭରୁ ହଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଥିଲେ। ପରେ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। ମାତ୍ର ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ପ୍ରବଳ ହଙ୍ଗାମା ଯୋଗୁ ବାଚସ୍ପତି ନିଜ ଆସନରେ ଛିଡା ହୋଇ କଂଗ୍ରେସ ସଦସ୍ୟଙ୍କ ପ୍ଲାକାର୍ଡ ପ୍ରଦର୍ଶନ ଏବଂ ଗୃହ ମଧ୍ୟରେ ଘଣ୍ଟା ବଜାଇବାକୁ ଅଶୋଭନୀୟ କହିବା ସହ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ। ମାତ୍ର କଂଗ୍ରେସ ସଦସ୍ୟ ନିଜ ପ୍ରତିବାଦ ଜାରି ରଖିବାରୁ ବାଚସ୍ପତି ଗୃହକୁ ଦିନ ୪ଟା ଯାଏଁ ମୁଲତବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ତାରା ବାହିନୀପତି ଓ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡିଛି। ପୂର୍ବରୁ ତାରାଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି। ଏପରିକି ରାତିରେ ମାଡ଼ ମାରିବା ସହ ସୁନାଚେନ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ତାରା ବାହିନୀପତି। ତେବେ ନାରୀ ନିର୍ଯାତନା ପ୍ରସଙ୍ଗ ଓ ବିଧାୟକମାନଙ୍କ ନିଲମ୍ବନକୁ ନେଇ ଗତକାଲି ରାତିରୁ ଏପର୍ଯ୍ୟନ୍ତ କଂଗ୍ରେସର ଧାରଣା ଓ ପ୍ରତିବାଦ ଜାରି ରହିଛି। ଏପରିକି କଂଗ୍ରେସକୁ ସାଥ୍ ଦେଇ ବ୍ୟାରିକେଡ୍‌ ଭାଙ୍ଗି ରାସ୍ତାକୁ ଆସି ପ୍ଲାକାର୍ଡ଼ ଧରି ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ।

ଗତକାଲି ବିରୋଧୀ କଂଗ୍ରେସର ୧୨ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ନିମନ୍ତେ ସାତଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା।

Comments are closed.