ଉତ୍ତରାଖଣ୍ଡ:ପଞ୍ଚ କେଦାରଙ୍କ ମଧ୍ୟରେ ଚତୁର୍ଥ କେଦାର ପ୍ରଭୁ ରୁଦ୍ରନାଥଙ୍କ ଦ୍ୱାର ଆଜି ବ୍ରହ୍ମ ମୁହୂର୍ତ୍ତରେ ସକାଳ ୪ଟାରେ ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯାଇଛି। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ଥିଲେ। ଏହି ସମୟରେ ଭକ୍ତମାନଙ୍କ ଦ୍ୱାରା ‘ବମ୍-ବମ୍ ଭୋଲେ’ ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା।
ଭଗବାନ ଶିବଙ୍କ ମୁଖ ପୂଜା କରାଯାଏ: ଚତୁର୍ଥ କେଦାର ଭାବରେ ପଞ୍ଚ କେଦାରଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବା ରୁଦ୍ରନାଥ ମନ୍ଦିରରେ, ଭଗବାନ ଶିବଙ୍କ ‘ଏକାନନ’ ସ୍ବରୂପ ଅର୍ଥାତ୍ ମୁଖ ପୂଜା କରାଯାଏ। ମନ୍ଦିରର ଦ୍ୱାର ଖୋଲିବା ସହିତ ଆଗାମୀ ଛଅ ମାସ ପାଇଁ ରୁଦ୍ରନାଥରେ ପ୍ରଭୁଙ୍କ ନିୟମିତ ପୂଜା କରାଯିବ।ରୁଦ୍ରନାଥ ମନ୍ଦିର ଗ୍ରୀଷ୍ମ ଋତୁରେ ମେ ରୁ ଅକ୍ଟୋବର ପର୍ଯ୍ୟନ୍ତ ଛଅ ମାସ ଭକ୍ତଙ୍କ ପାଇଁ ଖୋଲା ରହିଥାଏ। ଶୀତ ଋତୁରେ ଭଗବାନ ରୁଦ୍ରନାଥଙ୍କୁ ଗୋପୀନାଥ ମନ୍ଦିରରେ ଛଅ ମାସ ପାଇଁ ପୂଜା କରାଯାଏ।
ସୂଚନାଥାଉକି, ମେ ୧୬ରେ ଗୋପୀନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଭୁ ରୁଦ୍ରନାଥଙ୍କ ଚଳନ୍ତି ପ୍ରତିମାକୁ ଡୋଲିରେ ରୁଦ୍ରନାଥ ଧାମକୁ ପ୍ରସ୍ଥାନ କରିଥିଲା। ସେହି ଦିନ ଡୋଲି ରାତ୍ରି ରହଣି ପାଇଁ ପୁଙ୍ଗୁରେ ପହଞ୍ଚିଥିଲା ଏବଂ ପରଦିନ ଅର୍ଥାତ୍ ୧୭ ମେରେ ପନାର ବୁଗ୍ୟାଲ ଦେଇ ସନ୍ଧ୍ୟାରେ ରୁଦ୍ରନାଥ ଧାମରେ ପହଞ୍ଚିଥିଲା।
ଏଥିସହ ଚମୋଲି ପୋଲିସ ପ୍ରଶାସନ ମଧ୍ୟ ରୁଦ୍ରନାଥଙ୍କୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରିଛି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Comments are closed.