Latest Odisha News

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ଚମ୍ପକ ଦ୍ବାଦଶୀ ନୀତି

ପୁରୀ : ପରମ୍ପରା ଅନୁଯାୟୀ ରୁକ୍ତିଣୀ ବିବାହ ଅର୍ଥାତ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ସରିବା ପରେ ବର କନ୍ୟା ବେଶରେ ସଜ୍ଜିତ ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ପାଲିଙ୍କିରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଗଜପତିଙ୍କ ମହାରାଙ୍କ ଶ୍ରୀନଅରକୁ ବିଜେ କରିଥାନ୍ତି । ଶ୍ରୀନଅରଠାରେ ଗଜପତି ମହାରାଜ ବର ପନ୍ୟାଙ୍କୁ ପାଛୋଟି ନେଇ ସେଠାରେ ବନ୍ଦାପନା ଓ ପଞ୍ଚ ଉପଚାର ବିଧିରେ ମଣୋହି କରିଥାନ୍ତି । ଏହାପରେ ବରକନ୍ୟାଙ୍କୁ ପାଲିଙ୍କିରେ ବିଜେ କରାଯାଇ ଯମ୍ବେଶ୍ବର ମହାଦେବ ମନ୍ଦିରକୁ ନିଆଯାଇଥାଏ । ସେଠାରେ ପଞ୍ଚଗ୍ରାସୀ ଭୋଗ ସହ ବନ୍ଦାପନା ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହୋଇଥାଏ ।

ଅନ୍ୟପଟେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ନୀତି ପାଳିତ ହୋଇଛି । ଶ୍ରୀମନ୍ଦିରରେ ପାଳିତ ରୁକ୍ମିଣୀ ବିବାହର ଧାର୍ମିକ ପରମ୍ପରା ତଥା ମାନ୍ୟତା ଅନନ୍ୟ । ସୋମବାର ସକାଳ ଧୂପ ପୂଜା ସମୟରେ ମଦନମୋହନଙ୍କୁ ଯୋଦ୍ଧା ବେଶରେ ସୁସଜ୍ଜିତ କରାଯାଇଥାଏ । ଏହାପରେ ପୂଜା ପଣ୍ଡା ସେବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିଥାନ୍ତି । ପରେ ମହାଜନ ସେବକମାନେ ପାଲିଙ୍କିରେ ଶ୍ରୀଦେବୀଙ୍କୁ ମହାଲକ୍ଷ୍ମୀ ମନ୍ଦିରକୁ ନେବାର ପରମ୍ପରା ରହିଛି ।

ସେଠାରେ ଶ୍ରୀଦେବୀଙ୍କୁ ମହାସ୍ନାନ କରାଯାଇଥାଏ । ମାଜଣା, ବନକଲାଗି, ପୁଷ୍ପ ଓ ଅଳଙ୍କାର ଲାଗି ହେବା ପରେ ନବବଧୂ ବେଶରେ ସଜ୍ଜତି ହୋଇଥାନ୍ତି ଶ୍ରୀଦେବୀ । ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳ ପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଭିତରଚ୍ଛ ମହାପାତ୍ର ସେହି ତାଳପତ୍ର ଓ ଲେଖନୀ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ଜଣେ ବିପ୍ର ବ୍ରାହ୍ମଣ ଚିଟାଉ ନେଇ ଜୟବିଜୟ ଦ୍ବାର ନିକଟକୁ ଯାଇଥାନ୍ତି ।

ଅନ୍ୟପଟେ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମଦନ ମୋହନ ଜୟ ବିଜୟ ଦ୍ବାର ନିକଟରେ ପହଞ୍ଚିଥାନ୍ତି । ସେଠାରେ ପୁରାଣ ପଣ୍ଡା, ପୂଜା ପଣ୍ଡା ଓ ପାଳିଆ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବଚନିକା ହୋଇଥାଏ । ଏହାପରେ ମଦନମୋହନ ରଥ ବିମାନରେ ବିରାଜମାନ ହୋଇ ବିମଳାଙ୍କ ମନ୍ଦିର ନିକଟରୁ ବିଜ କରିଥାନ୍ତି । ଏହି ସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନରୁ ଶ୍ରୀଦେବୀ ବାହାରି ବିମଳ ମନ୍ଦିରକୁ ବିଜେ କରିଥାନ୍ତି ଶ୍ରୀଦେବୀ । ସେଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ବିମଳାଙ୍କ ଠାରେ ପୂଜା ଶେଷ ହେବା ପରେ ବିମଳାଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ଶ୍ରୀଦେବୀ ବା ରୁକ୍ମିଣୀଙ୍କୁ ହରଣ କରିଥାନ୍ତି ମଦନମୋହନ । ଏସମସ୍ତ ବିଧି ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ସମ୍ପାଦିତ ହୋଇଥାଏ ।

ଏହାପରେ ମହାପ୍ରଭୁ ମଦନ ମୋହନ ସରସ୍ବତୀଙ୍କ ମନ୍ଦିର ସମ୍ମୁଖରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି । ପରେ ବଳରା ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରିଥାନ୍ତି ।

ଶ୍ରୀଦେବୀ ଓ ମଦନମୋହନଙ୍କୁ ପନ୍ତି ଭୋଗ କରାଯାଇ ବିବାହ ମଣ୍ଡପରେ ବିଜେ କରାଯିବାର ପରମ୍ପରା ରହିଛି । ବିବାହ ମଣ୍ଡପରେ ବିବାହ ନୀତି ଆରମ୍ଭ ହୋଇଥାଏ । ପୂଜା ପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ଓ ମହାଜନ ସେବକଙ୍କ ଦ୍ବାରା ବିବାହ ନୀତି ସମ୍ପାଦିତ ହୋଇଥାଏ । ଭିତରଚ୍ଛ ମହାପାତ୍ର, କନ୍ୟାପିତା ଭାବେ କନ୍ୟା ଦାନ କରିଥାନ୍ତି । ବିଳମ୍ବିତ ରାତିରେ ଏକ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କ ବିବାହ ନୀତି ସମ୍ପନ୍ନ ହୋଇଥାଏ । ରୁକ୍ମିଣୀ ହରଣ ଏକାଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୟନ ଠାକୁରଙ୍କୁ ବିଜେ କରାଯାଏ ନାହିଁ । ଏପରି ଭାବେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହୋତ୍ସବ ପାଳିତ ହୋଇଥିଲା ।

Leave A Reply

Your email address will not be published.