ଆମ ଐତିହ୍ୟ : ଏକାମ୍ର କ୍ଷେତ୍ରର ପ୍ରମୁଖ ପ୍ରାଚୀନ ବିଷ୍ଣୁ ମନ୍ଦିର ‘ଅନନ୍ତ ବାସୁଦେବ’

ଫଟୋ ସୌଜନ୍ୟ- କୃଷ୍ଣଚଦ୍ର ମହାପାତ୍ର

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ

ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ଏକ ସମୟରେ ୭୦୦ରୁ ଉର୍ଦ୍ଧ୍ବ ପ୍ରାଚୀନ ମନ୍ଦିର ରହିଥିବା ବିଶ୍ୱାସ କରାଯାଉଥିବାବେଳେ ଏବେ ସେଥି ମଧ୍ୟରୁ ପ୍ରାୟ ୩୦୦ ମନ୍ଦିର ଭିନ୍ନ ଭିନ୍ନ ସ୍ଥିତିରେ ରହିଛି । ଚକ୍ରକ୍ଷେତ୍ର ଭାବେ ଅଭିହିତ ଏକାମ୍ର କ୍ଷେତ୍ର ବା ପୁରୁଣା ଭୁବନେଶ୍ୱରରେ ଅଧିକାଂଶ ଶୈବ ମନ୍ଦିର ରହିଥିବା ବେଳେ ଏକ ପ୍ରମୁଖ ପ୍ରାଚୀନ ବିଷ୍ଣୁ ମନ୍ଦିର ହେଉଛି ଅନନ୍ତ ବାସୁଦେବ ମନ୍ଦିର ।

ପ୍ରତ୍ନତତ୍ତ୍ଵବିଦ ମାନଙ୍କ ମତରେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଅନନ୍ତ ବାସୁଦେବ ମନ୍ଦିର ଭୁବନେଶ୍ୱରର ଏକମାତ୍ର ପୁରାତନ ତଥା ପ୍ରମୁଖ ବିଷ୍ଣୁ ମନ୍ଦିର ଭାବେ କଳିଙ୍ଗ ମନ୍ଦିର ସ୍ଥାପତ୍ୟର ପରିପକ୍ୱ ସମୟର ସୃଷ୍ଟି । ବିନ୍ଦୁସାଗର କୂଳରେ ପଞ୍ଚୟତନ ଶୈଳୀରେ ନିର୍ମିତ ପଶ୍ଚିମ ଦିଗକୁ ମୁହଁ କରିଥିବା ଏହି ମନ୍ଦିର ଏକ ସମ ଉଚ୍ଚତାର ପିଣ୍ଡି ଉପରେ ଅବସ୍ଥିତ।

ଏକ ଶିଳାଲେଖ ଅନୁଯାୟୀ ଏହି ମନ୍ଦିର ଚୋଡ଼ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗଭୀମଦେବଙ୍କ କନ୍ୟା ଚନ୍ଦ୍ରିକା ଦେବୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ମନ୍ଦିର କାନ୍ଥରେ ଏବେମଧ୍ୟ ଏହି ଶିଳାଲେଖର ଏକ ପ୍ରତିରୂପ ରହିଛି । ଏକାମ୍ର ଚନ୍ଦ୍ରିକା ଅନୁଯାୟୀ ଶିବଙ୍କ ନିର୍ଦ୍ଦେଶରେ ଭଗବାନ ବିଷ୍ଣୁ ନିଜକୁ ଏକାମ୍ରକ୍ଷେତ୍ରର ଦ୍ୱାରପାଳ ଭାବରେ ଅବସ୍ଥାପିତ କରିଥିଲେ । ପରମ୍ପରା ଅନୁଯାୟୀ ଅନନ୍ତ ବାସୁଦେବଙ୍କ ଦର୍ଶନ ପରେ ଭକ୍ତ ବିନ୍ଦୁସାଗରରେ ବୁଡ଼ ପକାଇଥାନ୍ତି ଯାହାଦ୍ୱାରା ଆତ୍ମାଶୁଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି ।

ଏହମନ୍ଦିରରେ କଳା ମୁଗୁନି ପଥରରେ ନିର୍ମିତ ଦଣ୍ଡାୟମାନ ମୁଦ୍ରାରେ ପ୍ରଭୁ ଅନନ୍ତ, ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ପୂଜା ପାଇଥାନ୍ତି । ଅନନ୍ତଙ୍କ ବିଗ୍ରହର ମୁଣ୍ଡ ଉପରେ ସପ୍ତଫେଣି ଅନନ୍ତ ନାଗ ରହିଛି । ଦେବୀ ସୁଭଦ୍ରା ହାତରେ କଳସ ଏବଂ ପଦ୍ମ ଧାରଣ କରିଛନ୍ତି । ଭାରତରେ ରହିଥିବା ଭଗବାନ ବିଷ୍ଣୁଙ୍କ ପ୍ରାୟ ସମସ୍ତ ପୂର୍ଣ୍ଣାଙ୍ଗ ମୂର୍ତ୍ତୀରେ ଉପରେ ଦୁଇ ହସ୍ତରେ ଶଙ୍ଖ ଓ ଚକ୍ର ଏବଂ ତଳ ଦୁଇ ହସ୍ତରେ ଗଦା ଓ ପଦ୍ମ ରହିଥିବା ଦେଖାଯାଇଥିବା ବେଳେ ଅନନ୍ତ ବାସୁଦେବ ମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ରହିଛି । ଏଠାରେ ଭଗବାନ ବାସୁଦେବଙ୍କ ଉପର ଦକ୍ଷିଣ ହସ୍ତରେ ଗଦା ଓ ବାମ ହସ୍ତରେ ତଳକୁ ମୁହଁ କରି ଚକ୍ର ରହିଛି । ପୌରାଣିକ କଥା ଅନୁଯାୟୀ ମହାଭାରତ ଯୁଦ୍ଧରେ ବାସୁଦେବ ଅସ୍ତ୍ର ଧାରଣ ନକରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିବା ପରିପ୍ରେକ୍ଷୀରେ ଏପରି ହୋଇଥାଇପାରେ ବୋଇଲି ସ୍ଥାନୀୟ ଲୋକକଥା ରହିଛି । ଅନ୍ୟ ଦୁଇ ହସ୍ତରେ ବାସୁଦେବ ଶଙ୍ଖ ଓ ପଦ୍ମ ଧାରଣ କରିଛନ୍ତି ।

ଫଟୋ ସୌଜନ୍ୟ- କୃଷ୍ଣଚଦ୍ର ମହାପାତ୍ର

କଳିଙ୍ଗ ସ୍ଥାପତ୍ୟ କଳା ଓ ଭାସ୍କର୍ଯ୍ୟର ଅନନ୍ୟ ନିଦର୍ଶନ ରହିଥିବା ଏହି ମନ୍ଦିର କାନ୍ଥରେ ଉତ୍କଳୀୟ ସମରକଳା, ନୃତ୍ୟ ଇତ୍ୟାଦିର ଚିତ୍ର ରହିଛି । ତେବେ ତ୍ରୟୋଦଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହେବା ପୂର୍ବରୁ ଏଠାରେ ବିଷ୍ଣୁଙ୍କ ପୂଜା କରାଯାଉଥିବା ବିଶ୍ୱାସ କରାଯାଉଛି । ସପ୍ତଦଶ ଶତାବ୍ଦୀରେ ମରାଠା ଶାସନ ସମୟରେ ମୂଳ ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା ।

ଫଟୋ ସୌଜନ୍ୟ- କୃଷ୍ଣଚଦ୍ର ମହାପାତ୍ର

ଅନନ୍ତ ବାସୁଦେବ ମନ୍ଦିର ପରିସରରେ ରୋଷଘରରେ ମାଟି କୁଡୁଆରେ ପ୍ରସ୍ତୁତ ବିବିଧ ବ୍ୟଞ୍ଜନ ଓ ଅନ୍ନ ପ୍ରସାଦ ଏକାମ୍ରକ୍ଷେତ୍ରମଧ୍ୟରେ ମହାପ୍ରସାଦର ମାନ୍ୟତା ରହିଥିବାବେଳେ ଦୈନିକ ଶହ ଶହ ଭକ୍ତ ମନ୍ଦିର ପ୍ରସାଦ ସେବନ କରିଥାନ୍ତି ।