ଭୁବନେଶ୍ୱର: ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରଥଖଳାରେ ଥିବା ରୁକୁଣା ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ବିଧି ମୁତାବକ ସମ୍ପନ୍ନ ହୋଇଛି। ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ଦିନ ୩ଟାରେ ଆରମ୍ଭ ହେବ ରଥଟଣା। ତିନି ଠାକୁର ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଅପେକ୍ଷା କରି ରହିଛନ୍ତି ଶହ ଶହ ଶ୍ରଦ୍ଧାଳୁ।
ଗତକାଲି ମଧ୍ୟରାତ୍ରରେ ମହାଖଳାଠାରେ ରଥ ପ୍ରତିଷ୍ଠା କରାଯାଇଥିଲା। କେଦାରଗୌରୀ ନିକଟ ତଥା ମୁକ୍ତେଶ୍ବର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡରୁ ପାଣି ଆସିବା ପରେ କ୍ଷେତ୍ରବାସୀ ବ୍ରାହ୍ଣଣ ନିଯୋଗର ସେବାୟତ ରଥ ପ୍ରତିଷ୍ଠା ପୂଜା କରିଥିଲେ। ସେହିଭଳି ନେତ ପୂଜା କରାଯାଇଥିଲା ଏବଂ ରଥ ଚୂଡ଼ାରେ ନେତ ଲଗାଯାଇଥିଲା। ଏହି ରଥର ବିଶେଷତ୍ବ ହେଉଛି ଏହା ଅଣଲେଉଟା।
ରୁକୁଣା ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରଥଟଣା ସୁରୁଖୁରୁରେ କରିବା ପାଇଁ ସମସ୍ତ ନିଯୋଗଙ୍କୁ ସହଯୋଗ ପାଇଁ ଅନୁରୋଧ କରାଯାଇଛି। ଏହି ଅବସରରେ ୬ ଦିନ ଧରି ପ୍ରଭୁ ଲିଙ୍ଗରାଜଙ୍କ ଉତ୍ସବ ପାଳନ ହେବ। ରୁକୁଣା ରଥର ଉଚ୍ଚତା ୩୫ ଫୁଟ ଏବଂ ଏଥିରେ ୪ଟି ଟକ, ୨ଟି ଓରା, ୧୬ ନାକାହା ଓ ୫ ଦଣ୍ଡା ରହିଛି ।
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ, ଜଳସମ୍ପଦ ବିଭାଗ, ବିଏମ୍ସି, ବିଦ୍ୟୁତ୍ ବିଭାଗ ପରି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରାରେ ସହଯୋଗ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ମନ୍ଦିର ସିଂହଦ୍ୱାରକୁ ଫୁଲରେ ସଜାଯାଇଥିବା ବେଳେ ଆଲୋକୀକରଣ ମଧ୍ୟ କରାଯାଇଛି। ଶନିବାର ଦୈନିକ ନୀତି ସମାପନ ପରେ ଅପରାହ୍ନ ୩ଟା ୩୦ରେ ରଥ ଟଣାଯିବ ବୋଲି ସ୍ଥିର ହୋଇଛି।
ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୩୭ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।
Comments are closed.