ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଦେଶର ୨୪ଟି ବିମାନବନ୍ଦରକୁ ୧୫ମେ ସକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏପରି ପରିସ୍ଥିତିରେ ରେଳମନ୍ତ୍ରୀ ଅଧିକାରୀଙ୍କ ସହ ଏକ ବୈଠକ କରି ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜମ୍ମୁ ଏବଂ ଚଣ୍ଡିଗଡ଼ ବିମାନବନ୍ଦର ବନ୍ଦ ହେବା ଯୋଗୁଁ ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନ୍ ପରିଚାଳନା ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରିସ୍ଥିତିର ସମୀକ୍ଷା କରିବା କରିବାପରେ ସେ ରେଳ ଅଧିକାରୀମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି ସୀମାବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଟ୍ରେନ୍ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ନିୟମିତ ଟ୍ରେନ୍ ସହିତ ଆବଶ୍ୟକତା ଅନୁସାରେ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, ୯ ମେରେ ଜମ୍ମୁ ଏବଂ ଉଧମପୁରରୁ ଚାରୋଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା। ରେଳବାଇ ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍ ୦୪୬୧୨ ଜମ୍ମୁ ଷ୍ଟେସନରୁ ସକାଳ ୧୦:୪୫ ସମୟରେ ୧୨ଟି ଅଣସଂରକ୍ଷିତ ଶ୍ରେଣୀ କୋଚ୍ ଏବଂ ୧୨ଟି ସଂରକ୍ଷିତ ଶ୍ରେଣୀ କୋଚ୍ ସହିତ ପରିଚାଳନା କରିଥିଲା। ୨୦ କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟାହ୍ନ ୧୨:୪୫ ରେ ଉଧମପୁରରୁ ଛାଡି ଜମ୍ମୁ ଏବଂ ପଠାଣକୋଟ ଦେଇ ନୂଆଦିଲ୍ଲୀରେ ପହଞ୍ଚିଥିଲା। ୨୨ଟି ଏଲଏଚବି କୋଚ୍ ସହିତ ସ୍ୱତନ୍ତ୍ର ଟ୍ରେନ୍ ସନ୍ଧ୍ୟା ୭:୦୦ ଟାରେ ଜମ୍ମୁ ଷ୍ଟେସନରୁ ପରିଚାଳିତ ହୋଇଥିଲା। ଆଉ ଏକ “ବନ୍ଦେ ଭାରତ” ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା ଯାହା ଅପରାହ୍ନ ୩:୩୦ରେ ଜମ୍ମୁରୁ ଛାଡିଥିଲା ଏବଂ ସନ୍ଧ୍ୟାରେ ନୂଆଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲା ।
Comments are closed.