Latest Odisha News

BREAKING NEWS

ରୂପକ

ରୂପକ

ପ୍ରଦୀପ କୁମାର ପଣ୍ଡା

ଶୁଖିଲା ଗଛମାନେ ମାଟି ଛାଡିବାକୁ ନାରାଜ,
ମଥାରୁ ଉପୁଡି ଗଲାଣି କେଶ
କୁଷ୍ଠୀ ଶରୀରରୁ ଛିଂଡି ଗଲାଣି ଆଂଗୁଠିଯାକ
ଉତୁରି ଗଲାଣି ଛାଲ ମାଂସ ଦେହର,
ପୋଲା ହାଡମାନ ଯାହା ଅବଲୀଳା କ୍ରମେ
ତୀରେଇଛଂତି ଆକାଶମୁହାଁ
କବିତାର ରୂପକ ହେବାକୁ।

କାଠୁଆଗଛ ତଥାପି
ଛାଡିବାକୁ ନାରାଜ ମାଟି,
ଭୂଇଁ ତଳେ କେତେ ଅଛି ଗଭୀରତା
ପାଳନ ପୋଷଣ ପାଇଁ ତା’ର
ସେ ଆଡିକି ନିଘା ନାଇଁ।
କେତେ ଝଡି କେତେ ବର୍ଷା
କେତେ ଅଂଶୁତେଜ କେତେ କାକର
ନିଭେଇଛି ଅଂଗରେ ଆତ୍ମାରେ।

କବିତାର ରୂପକମାନେ ମାଟି ଛାଡିବାକୁ ନାରାଜ।
କବିତା ନିଜେ କେବେ ରୂପକ ହୋଇଯାଏ
ଥୁଂଟାଗଛର,
କଂସେଇଖାନାର ଛାଲଉତୁରା ମେଣ୍ଢୀ ଓ
ନଗଡାର କାରୁକାର୍ୟ୍ୟମଂଡିତ ଶିଶୁହାଡ଼ଂକ ଗହଣରେ
ଯାତ୍ରା ଦେଖିବାକୁ ଯାଏ ରାଜଧାନୀ।
ଆଉ ଦଳେ କବିତା ଇଟା ଗଢୁଥାଂତି ଏର୍ଣ୍ଣାକୁଲମରେ,
ସଜାଉଥାଂତି ଥାକଥାକ ଜୀବନ।
ଖଡ଼୍ ଖଡ଼୍ ହାଡ଼ଯୋନୀରେ
ଆଉ ବାଧେ ନାଇଁ ଧର୍ଷଣ,
ଉଲୁରା ପାଦ କିଂତୁ ମାଟି ଛାଡିବାକୁ ନାରାଜ।

କବିତାର ବି ଗଭୀରତା କେତେ କି !
ଜରାୟୁରୁ ନାଭୀ ଯାଏଁ,
ତା’ପରେ ତ କୋଇଲା ଖୋଲା ମେଲା
ଦଦରୋ ପୋଲା।
କାଠବେଂଗଟିଏ ରହେ
ଥୁଂଟା କବିତାର କୋରଡ଼ରେ
ଅପର ଗୋଲାର୍ଦ୍ଧରେ ଲଟକି ଯାଇଥିବା
ପୃଥିବୀର ପେଟରେ ସେ ରାବେ
କଟ୍ କଟ୍ ଅଅଁ ।

ପୃଥିବୀର ରକ୍ତ କହିଲେ ସେତିକି ହିଁ
ଯେତିକି କବିତାର।
ସେମାନେଯାତ୍ରା ଦେଖି ଫେରଂତୁ ରାଜଧାନୀରୁ,
ଇଟା ଗଢିସାରି ଫେରଂତୁ ଏର୍ଣ୍ଣାକୁଲମରୁ,
ବିଖଂଡିତ ରୂପକମାନଂକୁ ଆମେ ସଜାଡିବା
ଥାକ ଥାକ କରି ଭାବବିନ୍ୟାସରେ,
ସେଇ ଟିକକ ରକ୍ତରେ କାଳେ
କଅଁଳିବ ଡାଳ ଥୁଂଟାକବିତାର।

Leave A Reply

Your email address will not be published.