ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେଉଛି ଟଙ୍କା। ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ପରଠୁ ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଭାରତୀୟ ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଧାରା ଜାରି ରହିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଧାରା ଜାରି ରହିଛି। ଏଥିଯୋଗୁଁ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧ ପଇସା ହ୍ରାସ ଘଟି ୮୪.୩୮ ଟଙ୍କାର ସର୍କକାଳୀନ ନିମ୍ନ ସ୍ତରକୁ ଖସିଆସିଛି।
ଲଗାତର ୫ ଦିନ ଧରି ଟଙ୍କାର ଅବମୂଲ୍ୟାୟନ ଘଟିଥିବାବେଳେ ମଙ୍ଗଳବାର ଏହା ସର୍ବକାଳୀନ ରେକର୍ଡ ଭାଙ୍ଗି ନିମ୍ନସ୍ତରରେ ପହଞ୍ଚିଛି। ମୁଦ୍ରା ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ ବିଦେଶୀ ନିବେଶକମାନେ କ୍ରମାଗତ ଷ୍ଟକ୍ ବିକ୍ରି କରିବା ଏବଂ ଇକ୍ୱିଟି ବଜାରରେ ମାନ୍ଦା ସ୍ଥିତି ହେତୁ ଟଙ୍କା ଦୁର୍ବଳ ହେଉଛି। ଯଦି ଡଲାର ମୂଲ୍ୟରେ ହ୍ରାସ ନଘଟେ ଏବଂ ବିଦେଶୀ ନିବେଶକମାନେ ଘରୋଇ ବଜାରରୁ ସେମାନଙ୍କର ପାଣ୍ଠି ପ୍ରତ୍ୟାହାର ନକରନ୍ତି ତେବେ ଟଙ୍କା ଚାପରେ ରହିବ। ମଧ୍ୟମ ଅବଧିରେ ଟଙ୍କା ୮୩.୮୦ରୁ ୮୪.୫୦ ଟଙ୍କା ସ୍ତର ମଧ୍ୟରେ କାରବାର କରିବ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ମାତ୍ରାରେ ବୈଦେଶିକ ମୁଦ୍ରା ରହିଥିବା ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ ଟଙ୍କାର ଅବମୂଲ୍ୟାୟନ ରୋକିବାକୁ ପ୍ରୟାସ କରିପାରେ।
ଅନ୍ୟପକ୍ଷେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁନର୍ବାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଡଲାର ମଜଭୁତ ହେବାରେ ଲାଗିଛି। କେବଳ ନଭେମ୍ବରରେ ଡଲାର ଇଣ୍ଡେକ୍ସ ୧.୮% ଉପରକୁ ଉଠିଛି। ମଙ୍ଗଳବାର ଡଲାର ଇଣ୍ଡେକ୍ସ ୦.୩% ଉପରମୁହାଁ ହୋଇ ୧୦୫.୮୭ ପଏଣ୍ଟ ଛୁଇଁଛି, ଯାହାକି ଗତ ଜୁଲାଇ ପରଠୁ ସର୍ବୋଚ୍ଚ ସ୍ତର। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ବିଦେଶୀ ନିବେଶକଙ୍କ ଦ୍ବାରା କ୍ରମାଗତ ଭାବେ ପାଣ୍ଠି ପ୍ରତ୍ୟାହାର ଯୋଗୁଁ ଟଙ୍କା ଦୀର୍ଘ ଦିନ ଧରି ଚାପରେ ରହିଥିଲା। ଅକ୍ଟୋବରରେ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପ୍ରାୟ ୧୨ ବିଲିୟନ ଡଲାର ମୂଲ୍ୟର ଇକ୍ୱିଟି ବିକ୍ରି କରିଥିଲେ। ନଭେମ୍ବରରେ ମଧ୍ୟ ଏହି ଧାରା ଜାରି ରହିଛି।
ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ) ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଇନେବା ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଭାରତୀୟ ଷ୍ଟକ୍ସରୁ ଏଫ୍ଆଇଆଇ ଅକ୍ଟୋବରରେ ୧୧ ବିଲିୟନ୍ ଡଲାର ପ୍ରତ୍ୟାହାର କରିଥିବାବେଳେ ଚଳିତ ମାସରେ ୩ ବିଲିୟନ୍ ଡଲାର ଉଠାଇ ସାରିଲେଣି। ପ୍ରକାଶ ଥାଉକି, ଏହି ସମୟ ମଧ୍ୟରେ ଭାରତ ଆଗରେ ଅନେକ ଚ୍ୟାଲେଞ୍ଜ ଦେଖାଦେବା ସହ ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ଏସ୍ବିଆଇ ରିପୋର୍ଟରେ ଦର୍ଶାଯାଇଛି। ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସହିତ ଶୁଳ୍କ, ଏଚ୍- ୧ବି ଭିସା ବୃଦ୍ଧି ପାଇବ ଯାହା ସ୍ଵଳ୍ପ ସମୟ ମଧ୍ୟରେ ଅସ୍ଥିରତା ବଢ଼ାଇପାରେ।
ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ଏହାର ଅର୍ଥନୀତିକୁ ମଜଭୁତ କରିବା ପାଇଁ ଏହି ସୁଯୋଗଗୁଡିକର ଲାଭ ଉଠାଇବା ଉଚିତ। ଏହା ବ୍ୟତୀତ ଭାରତୀୟ କମ୍ପାନୀଗୁଡିକ ବ ଦେଶିକ ମୁଦ୍ରା ମୂଲ୍ୟର ଅସ୍ଥିରତାକୁ ଏଡାଇବା ପାଇଁ ଅତିରିକ୍ତ ପଦକ୍ଷେପ ଆବଶ୍ୟକ କରିପାରନ୍ତି। ଏସବିଆଇ ରିପୋର୍ଟ ଅନୁଯାୟୀ ଟ୍ରମ୍ପଙ୍କ ଶାସନ କାଳରେ ବିଶ୍ୱ ଅର୍ଥନୀତିରେ ଅନେକ ପରିବର୍ତ୍ତନ ହୋଇପାରେ, ଯାହା ଭାରତ ଉପରେ ମଧ୍ୟ ପ୍ରଭାବ ପକାଇବ। ଏଭଳି ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଅର୍ଥନୀତି ପାଇଁ ବେଶ ଆହ୍ବାନପୂର୍ଣ୍ଣ ହେବ।
Comments are closed.