ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ପୁଣି ନୂଆ ମିଜାଇଲ୍ ମାଡ଼ କରିଛି ଋଷ୍ । ୟୁକ୍ରେନ ଉପରେ ନୂଆ ହାଇପରସୋନିକ୍ ବାଲାଷ୍ଟିକ୍ ମିଜାଇଲ୍ ମାଡ଼ କରିଛି ଋଷିଆ । ନୂଆ ମିଜାଇଲ୍ ଆକ୍ରମଣ ନେଇ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସୂଚନା । ଋଷ୍ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ୍ ମାଡ଼ କରିଛି ବୋଲି କହିଛି ୟୁକ୍ରେନ୍ ।
ଗତ ୨୧ ତାରିଖ ସକାଳ ୫ ରୁ ୭ଟା ଭିତରେ ୟୁକ୍ରେନର ଡନିପ୍ରୋ ସହର ଉପରେ ଆଇସିବିଏମ ମିଜାଇଲ ମାଡ କରିଛି ଋଷ୍ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦେଖା ହେବା ପରେ ୟୁକ୍ରେନ ଆମେରିକାରୁ ମିଳିଥିବା ଏକ ଦୂରଗାମୀ କ୍ଷେପଣାସ୍ତ୍ର ଋଷ ଉପରେ ମାଡ କରିଥିଲା । ଏବେ ଏହାର ପ୍ରତିଷୋଧ ନେଇଛି ଋଷ । ୟୁକ୍ରେନର ଏକ ସହରରେ RS-26 ରୁବେଜ କ୍ଷେପଣାସ୍ତ୍ର ମାଡ କରିଛି ।
ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଋଷ ୟୁକ୍ରେନକୁ ଏକ ପରୀକ୍ଷଣ କ୍ଷେତ୍ର ଭାବରେ ବ୍ୟବହାର କରୁଛି। ନଭେମ୍ବର ୨୧କୁ, ୟୁକ୍ରେନ ସମ୍ମାନ ଏବଂ ସ୍ୱାଧୀନତା ଦିବସ ପାଳନ କରେ । ଏହା ଆମ ପାଇଁ ୟୁକ୍ରେନର ଦୁଇଟି ମହାନ ବିପ୍ଳବକୁ ମନେ ରଖିବା ଏବଂ ଲୋକଙ୍କୁ ସମ୍ମାନ ଦେବା ପାଇଁ ଏକ ଦିନ । କିନ୍ତୁ ଏହି ସମୟ ମଧ୍ୟରେ ଋଷ ପୁଣି ଥରେ ତାଙ୍କର ଅସଲ ରୂପ ଦେଖାଇଛି । ଏହି ଆକ୍ରମଣ କରି ରୁଷ କେତେ ଭୟଭୀତ ଅଛି ତାହା ଜଣାଇଛି ବୋଲି କହିଛନ୍ତି ଜେଲେନସ୍କି।
ସୂଚନାଯୋଗ୍ୟ, ଇତି ମଧ୍ୟରେ ୟୁକ୍ରେନ-ରୁଷିଆ ଯୁଦ୍ଧର ୧୦୦୦ ଦିନ ପୂରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନର ଦୁଇ ଦିନ ପରେ ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ୍ ଉପରକୁ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଆମେରିକାର ଶକ୍ତିଶାଳୀ ‘ଏଟିଏସିଏମ୍ଏସ୍’ ଦୂରଗାମୀ କ୍ଷେପଣାସ୍ତ୍ର ୟୁକ୍ରେନ ବ୍ୟବହାର କରିଥିବା ବେଳେ ରୁଷ୍ ଏହାକୁ ଅତି ଗମ୍ଭୀରତାର ସହ ନେଇଥିଲା ।