ନୂଆଦିଲ୍ଲୀ: ପୁଣି ନିଜର ବନ୍ଧୁତ୍ୱ ନିଭେଇଲା ରୁଷ
ନିଜ ଆଡୁ ବଢ଼ାଇଲା ସହାୟତାର ହାତ
ସଙ୍କଟରେ ଦେଲା ଭାରତର ସାଥ
ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଭାରତରେ ଶକ୍ତି ସଙ୍କଟ ଉପୁଜିଥିବା ବେଳେ, ରୁଷ ଏବେ ସାହାଯ୍ୟର ହାତ ବଢ଼ାଇଛି। ରୁଷ ଭାରତକୁ ଅଧିକ ତେଲ ଏବଂ ପ୍ରାକୃତିକ ଗ୍ୟାସ ଯୋଗାଇବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ରୁଷର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭଙ୍କ ଭାରତ ଗସ୍ତ ସମୟରେ ଆସିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟି ଶକ୍ତି, ସାର, ବାଣିଜ୍ୟ ଏବଂ ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ଉପରେ ଆଲୋଚନା କରିଥିଲେ।
ରୁଷ ସ୍ପଷ୍ଟ ଭାବେ କହୁଛି ଯେ ସେ ଭାରତର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ। ରୁଷ ଦୂତାବାସ ଅନୁଯାୟୀ, ରୁଷ କମ୍ପାନୀଗୁଡ଼ିକ ଭାରତକୁ ତେଲ ଏବଂ ଏଲଏନଜି ଯୋଗାଣ ନିରନ୍ତର ବୃଦ୍ଧି କରିବାକୁ ସକ୍ଷମ। ରୁଷ ୨୦୨୫ ଶେଷ ସୁଦ୍ଧା ଭାରତକୁ ଖଣିଜ ସାର ଯୋଗାଣ ୪୦% ବୃଦ୍ଧି କରିଛି ଏବଂ ଆଗକୁ ଭାରତର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ଅଛି। ଉଭୟ ଦେଶ ୟୁରିଆ (କାର୍ବାମାଇଡ୍) ପାଇଁ ଏକ ମିଳିତ ପ୍ରକଳ୍ପରେ ମଧ୍ୟ ଏକାଠି କାମ କରୁଛନ୍ତି। ଯାହା ପୁଣିଥରେ ରୁଷିଆ ଯେ ଭାରତର ପ୍ରକୃତ ନାଧୁ ତାହା ପ୍ରମାଣ ହୋଇଛି।
ତେବେ ଇରାନ ସହିତ ସଂଘର୍ଷ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଦ୍ବାରା ଭାରତ ଶକ୍ତି ଏବଂ ସାର ଯୋଗାଣରେ ଅସୁବିଧାର ସମ୍ମୁଖୀନ ହେଉଛି। ଏପରି ପରିସ୍ଥିତିରେ, ରୁଷ ସହିତ ଶକ୍ତି ସହଯୋଗ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଆଉ ଏହାରି ଭିତର ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏହି ଖୁସି ଖବର୍ ଦେଇଛନ୍ତି। ସେ କହିଛନ୍ତି ଯେ ଡେନିସ୍ ମାଣ୍ଟୁରୋଭଙ୍କ ସହ ବୈଠକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ସାର, ସମନ୍ୱୟ ଏବଂ ଲୋକ-ଜନ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେ ଗତ ଡିସେମ୍ବରରେ ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ଅନୁଷ୍ଠିତ ଭାରତ-ରୁଷ ଶିଖର ସମ୍ମିଳନୀର ସଫଳତାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏଥିସହିତ ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ସମେତ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରୁଷର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ମଣ୍ଟୁରୋଭଙ୍କ ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ରୁଷଠାରୁ ଆହୁରି ପାଞ୍ଚଟି S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ପାକିସ୍ତାନ ସହିତ ଅପରେସନ ସିନ୍ଦୁର ସମୟରେ ଏହି ସିଷ୍ଟମର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯାହା ଭାରତୀୟ ପ୍ରତିରକ୍ଷା ପ୍ରଣାଳୀକୁ ଆହୁରି ସୁଦୃଢ କରିବ।