ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ନିଆଁ ଜଳୁଥିବା ବେଳେ ଭାରତ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର । ଯେତେବେଳେ ସାରା ବିଶ୍ୱରେ ତେଲ ସଙ୍କଟ ଦେଖାଦେଇଛି, ସେତେବେଳେ ଭାରତର ପୁରୁଣା ବନ୍ଧୁ ରୁଷ୍ ପୁଣିଥରେ ‘ସଙ୍କଟମୋଚକ’ ସାଜିଛି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ମହାସଂଗ୍ରାମ ଯୋଗୁଁ ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ’ ଦେଇ ତେଲ ଯୋଗାଣ ବନ୍ଦ ହୋଇଯାଇଛି । ଏଭଳି ସମୟରେ ରୁଷ ଭାରତକୁ ୯୫ ଲକ୍ଷ ବ୍ୟାରେଲ୍ କଚ୍ଚା ତେଲ ଦେବାକୁ ପ୍ରତିଶ୍ରୁତି ଦେଇଛି ।
ରିପୋର୍ଟ ଅନୁସାରେ, ଭାରତୀୟ ସମୁଦ୍ର ସୀମା ନିକଟରେ ରୁଷର ପ୍ରାୟ ୯୫ ଲକ୍ଷ ବ୍ୟାରେଲ୍ କଚ୍ଚା ତେଲ ଭର୍ତ୍ତି ଜାହାଜ ମହଜୁଦ ଅଛି। ଭାରତର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଜାହାଜଗୁଡ଼ିକୁ ଖୁବ୍ ଶୀଘ୍ର ଭାରତୀୟ ରିଫାଇନାରୀ ନିକଟରେ ପହଞ୍ଚିବ ।
ଭାରତ ନିଜର ୫୦ ପ୍ରତିଶତ ତେଲ ମଧ୍ୟ-ପ୍ରାଚ୍ୟରୁ ଆମଦାନୀ କରିଥାଏ। କିନ୍ତୁ ହୋର୍ମୁଜ ପ୍ରଣାଳୀରେ ଅସ୍ଥିରତା ଯୋଗୁଁ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଭାରତ ପାଖରେ ବର୍ତ୍ତମାନ ମାତ୍ର ୨୫ ଦିନ ପାଇଁ ତେଲ ମହଜୁଦ ଅଛି । ଯଦି ଏହି ଯୁଦ୍ଧ ଆଗକୁ ୧୦-୧୫ ଦିନ ଜାରି ରହେ, ତେବେ ଦେଶରେ ପେଟ୍ରୋଲ ଓ ଡିଜେଲର ପ୍ରବଳ ଅଭାବ ଦେଖାଦେବାର ଆଶଙ୍କା ରହିଛି । ଏହି ସଙ୍କଟ ସମୟରେ ରୁଷ ଏକାକୀ ଭାରତର ୪୦ ପ୍ରତିଶତ ତେଲ ଆବଶ୍ୟକତା ପୂରଣ କରିପାରିବ । ଭାରତୀୟ ରିଫାଇନାରୀଗୁଡ଼ିକ ଦୈନିକ ୫.୬ ମିଲିୟନ ବ୍ୟାରେଲ୍ ତେଲ ସଂଶୋଧନ କରୁଛନ୍ତି, ଯାହା ପାଇଁ ରୁଷର ଏହି ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
କେନ୍ଦ୍ର ସରକାର ଏବେ ବିକଳ୍ପ ଯୋଗାଣ ମାର୍ଗ ଉପରେ ଗୁରୁତ୍ୱ ଦେଉଛନ୍ତି । ଯଦି ରୁଷରୁ ଏହି ତେଲ ଠିକ୍ ସମୟରେ ପହଞ୍ଚିଯାଏ, ତେବେ ବିଶ୍ୱସ୍ତରୀୟ ଯୁଦ୍ଧ ସତ୍ତ୍ୱେ ଭାରତର ତୈଳ ସଂକଟ ଦୂର ହୋଇଯିବ।