ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି ଫୋନ୍ କଲ୍ ସମୟରେ ରାଷ୍ଟ୍ରପତି ପୁଟିନ ପୁଣିଥରେ ଭାରତୀୟ ମହାକାଶ ଅଭିଯାନ ଚନ୍ଦ୍ରଯାନ-୩କୁ ଏହାର ଦକ୍ଷିଣ ମେରୁ ନିକଟରେ ସଫଳତାର ସହ ଅବତରଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁଯାୟୀ, ମହାକାଶ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବିକଶିତ କରିବା ପାଇଁ ଉଭୟ ନେତା ଆଗ୍ରହ ପ୍ରକାଶ କରିଛନ୍ତି। ଜୋହାନ୍ସବର୍ଗରେ ଅନୁଷ୍ଠିତ ହୋଇଥିବା ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଫଳାଫଳ ସମ୍ପର୍କରେ ମଧ୍ୟ ଫୋନ୍ କଲ୍ ସମୟରେ ଆଲୋଚନା ହୋଇଥିଲା।
ନୂଆଦିଲ୍ଲୀରେ ସେପ୍ଟେମ୍ବର ୯-୧୦ ତାରିଖରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ପୁଟିନଙ୍କ କୌଣସି ଯୋଜନା ନାହିଁ ବୋଲି କ୍ରେମଲିନ ମୁଖପାତ୍ର ପେସ୍କୋଭ ଗୁରୁବାର ଦିନ ରୁଷୀୟ ଗଣମାଧ୍ୟମକୁ କହିବା ପରେ ଦୁଇ ନେତା ଫୋନ ଜରିଆରେ କଥା ହୋଇଛନ୍ତି। ନିଜେ ପୁଟିନ ଆସିବେ ନାହିଁ କିନ୍ତୁ ବୈଦେଶିକ ମନ୍ତ୍ରୀଙ୍କୁ ନୂଆଦିଲ୍ଲୀକୁ ପଠାଇବେ ବୋଲି କହିଛନ୍ତି।
Comments are closed.