ଭୁବନେଶ୍ୱର: ଋଷ ସରକାର ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ। ଏହି ସମ୍ମାନ ମେ’ ୯ ତାରିଖରେ ନୂଆଦିଲ୍ଲୀସ୍ଥିତ ଋଷ ଦୂତାବାସରେ ଅନୁଷ୍ଠିତ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ ଲାଲ ସେନାକୁ ସାହାଯ୍ୟ ପାଇଁ ବିଜୁ ପଟ୍ଟନାୟକଙ୍କ ସାହସିକତାକୁ ମନେ ପକାଇବ ଏହି କାର୍ଯ୍ୟକ୍ରମ। ‘ଗ୍ରେଟ ପେଟ୍ରିଓଟିକ ଯୁଦ୍ଧ’ରେ ବିଜୟର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଉତ୍ସବ ହେଉଛି।
ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିବେ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ।
୧୯୪୦ ଦଶକରେ ବିଜୁ ପଟ୍ଟନାୟକ ଇଣ୍ଡିଆନ ନ୍ୟାସନାଲ ଏୟାରୱେଜରେ ପାଇଲଟ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ନାଜି ବାହିନୀଙ୍କ ବିପଦ ସତ୍ତ୍ୱେ ଷ୍ଟାଲିନଗ୍ରାଡ ଅପରେସନରେ ଅଂଶଗ୍ରହଣ କରିଥିଲେ। ସୋଭିଏତ ସେନାଙ୍କୁ ଅତ୍ୟାବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏହି ଯୁଦ୍ଧ ନାଜି ଜର୍ମାନୀର ପରାଜୟରେ ଏକ ନିର୍ଣ୍ଣାୟକ ମୋଡ଼ ଆଣିଥିଲା। ୧୯୯୫ରେ ଋଷ ସରକାର ବିଜୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ବାବୁଙ୍କୁ ଜୁବିଲି ପଦକ ପ୍ରଦାନ କରି ସମ୍ମାନିତ କରିଥିଲା।
ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଥର ଦାୟିତ୍ୱ ତୁଲାଇଥିଲେ । ୧୯୬୧ରୁ ୧୯୬୩ ଓ ୧୯୯୦ରୁ ୧୯୯୫। ଓଡ଼ିଶାର ବିକାଶ ଓ ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁ ବାବୁଙ୍କ ପରଲୋକ ହୋଇଥିଲା। ତଥାପି, ତାଙ୍କର କାର୍ଯ୍ୟ ଓ ସାହସ ଆଜି ମଧ୍ୟ ଲୋକଙ୍କୁ ପ୍ରେରଣା ଦେଉଛି।
Comments are closed.