ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ବିମାନ ଦୁର୍ଘଟଣାର ଖବର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଏହି କ୍ରମରେ ଆଜି ମଧ୍ୟ ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଗଳା । ଯଦି ବିମାନ ଜରୁରୀ ଅବତରଣ କରିନଥାନ୍ତା ତେବେ ସ୍ଥିତି ଭୟଙ୍କର ହୋଇଥାନ୍ତା । ଉଜବେକିସ୍ତାନ ଯାଉଥିବା ଏକ ଋଷୀୟ ବିମାନ ଜରୁରୀ ଅବତରଣ କରିଛି। ଋଷୀୟ ଏୟାରଲାଇନ୍ସ ସଂସ୍ଥା ଉତଏୟାରର ଏକ ବିମାନ ମଙ୍ଗଳବାର ମସ୍କୋର ଭ୍ନୁକୋଭୋ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ଏନେଇ ଋଷିଆର ଖବର ସରବରାହ ସଂସ୍ଥା ଆରଆଇଏ ପକ୍ଷରୁ ସୂଚନା ଦିଯାଇଛି ।
ବୋଇଂ ୭୩୭ ବିମାନରେ ଯାତ୍ରୀ ଓ କ୍ରୁ ମେମ୍ୱରଙ୍କୁ ମିଶାଇ ମୋଟ ୧୭୩ ଜଣ ଲୋକ ରହିଥିଲେ । ଏହି ବିମାନ ୧୭୩ ଜଣ ଯାତ୍ରୀଙ୍କୁ ନେଇ ସେଣ୍ଟ ପିଟର୍ସବର୍ଗରୁ ଉଜବେକିସ୍ତାନର ସମରକନ୍ଦ ଅଭିମୁଖେ ଯାତ୍ରା କରୁଥିଲା । ହେଲେ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ଯାନ୍ତ୍ରିକ ତୃଟି ଦେଖା ଯାଇଥିଲା । ବିମାନର ଷ୍ଟାବିଲାଇଜର କାମ କରିବା ବନ୍ଦ ହୋଇଯାଇଥିଲା । ଆଉ ଏହି ସୂଚନା ପାଇଲଟ ପାଇବା ପରେ ବିମାନକୁ ଜରୁରୀ ଅବତରଣ ପାଇଁ ସ୍ଥିର କରିଥିଲ । ଏହାପରେ ପାଇଲଟ ନିକଟ ବିମାନବନ୍ଦର ଭ୍ନୁକୋଭୋରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଇବାରେ ସଫଳ ହୋଇଥିଲେ ।
ସବୁଠାରୁ ବଡ଼ କଥା ହେଉଛି ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଏବେ ପ୍ରଶ୍ନ ଉଠୁଛି ଯେ କାହିଁକି ବାରମ୍ୱାର ଏମିତି ବିମାନରେ ଯାନ୍ତ୍ରିକ ତୃଟିର ସାମ୍ନା କରୁଛି ଋଷୀୟ ବିମାନ । କୁହାଯାଉଛି ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ପାଶ୍ଚାତ୍ୟ ଦେଶଗୁଡ଼ିକ ଋଷ ଉପରେ କଟକଣା ଲଗାଇଛନ୍ତି । ଫଳରେ ଯାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ବିମାନ ସେବା ଯୋଗାଇ ପାରୁନାହିଁ ଋଷ । ଆଉ ଏଥିପାଇଁ ଋଷ ଗୋଟିଏ ଗୋଟିଏ ବିମାନକୁ ଏକାଧିକ ଥର ବ୍ୟାବହାର କରିବା ସହ ରୁଟିନ ଚେକ୍ ଠିକ ଭାବେ କରିପାରୁନାହିଁ । ଏଥିପାଇଁ ଋଷର ଅନେକ ବିମାନ ଏବେ ଯାନ୍ତ୍ରିକ ତୃଟିର ସାମ୍ନା କରୁଛି ବୋଲି ଜଣାପଡ଼ିଛି ।