ରାୟଗଡାରେ ୨ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଦିନକୁ ଦିନ ନୂଆ ମୋଡ ନେଉଛି । ରୁଷରୁ ରାୟଗଡା କାହିଁକି ଆସିଥିଲେ ? ଜନ୍ମଦିନ ପାଳନ ନା ଅନ୍ୟକିଛି ଥିଲା ଉଦ୍ଦେଶ୍ୟ ? ବୁଲିବାକୁ ଆସି ଜୀବନ ହାରିବା ଏକ ସଂଯୋଗ ଥିଲା ନା ଥିଲା ସୁପରିକଳ୍ପିତ ଷଡଯନ୍ତ୍ର ? ଏସବୁ ପ୍ରଶ୍ନର ଉତ୍ତର ମିଳି ନ ଥିବାବେଳେ ଏବେ ମୃତ ପର୍ଯ୍ୟଟକଙ୍କ ଶବ ସତ୍କାର ସନ୍ଦେହକୁ ଅଧିକ ଘନୀଭୂତ କରିଛି ।
୨ ରୁଷୀୟ ରାୟଗଡ଼ାରେ ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ଶବକୁ ଦାହ କରାଯାଇଛି । ଏହାକୁ ନେଇ ଏବେ ଉଠିଛି ବିବାଦ । ଖ୍ରୀଷ୍ଟିଆନ ସଂପ୍ରଦାୟରେ ଶବକୁ କବର ଦିଆଯିବା କଥା । ହେଲେ ତାହା କରା ନ ଯାଇ କାହିଁକି ଦାହ କରାଗଲା ? ଏହି ମାମଲାର ତନାଘନା ଚାଲିଥିବାବେଳେ ଏହା ରାଜନୈତିକ ରୂପ ନେଲାଣି । ଶବଦାହ ଘଟଣାକୁ ନେଇ ଏମିତି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ମନୀଷ ତିୱାରୀ। ସେ ଟୁଇଟ କରି କହିଛନ୍ତି ଆନ୍ତୋଭ ଓ ଭ୍ଲାଦିମିର ଉଭୟେ ଖ୍ରୀଷ୍ଟିଆନ ସଂପ୍ରଦାୟର । ସେମାନଙ୍କ ମୃତ ଦେହକୁ ରୁଷ ପଠାଇବା ପାଇଁ ଚେଷ୍ଟା କରାଗଲା ନାହିଁ । ଅନ୍ୟ ପକ୍ଷେ କବର ପରିବର୍ତ୍ତେ ଦାହ କରାଗଲା କାହିଁକି ବୋଲି ସେ ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରି ଟାଗ କରିଛନ୍ତି ।
ସେ କହିଛନ୍ତି, ସମାନ ହୋଟେଲରେ ଦୁଇ ରୁଷ ପର୍ଯ୍ୟଟକ ମୃତ୍ୟୁ ଘଟିଛି। ପୁଣି ଜଣକ ମୃତ୍ୟୁର ୨ ଦିନ ପରେ ଅନ୍ୟ ଜଣଙ୍କର ମୃତ୍ୟୁ, ମୃତଦେହକୁ ରୁଷ ପଠା ନ ଯିବା, ଦାହ କରାଯିବା…ଏ ସମସ୍ତ ଘଟଣା ଆଶ୍ଚର୍ଯ୍ୟ ଲାଗୁଛି। ଅସ୍ୱାଭାବିକ ଲାଗୁଛି । ଯଦି ଏହା ସ୍ୱାଭାବିକ ବୋଲି କୁହାଯିବ ତେବେ ସେ ଆଇନ ପାଠ ଛାଡ଼ିଦେବେ ବୋଲି କହିଛନ୍ତି।
ଅନ୍ୟପକ୍ଷେ, ଭ୍ଲାଦିମିରଙ୍କ ଭିସେରା ନମୂନା ରଖାଯାଇଥିଲେ ହେଁ ଆନ୍ତୋଭଙ୍କ ଭିସେରା ନମୂନା ବି ରଖାଯାଇନି । ପୋଲିସ ଉକ୍ତ ହୋଟେଲକୁ ଯାଇ ସିସିଟିଭି ଯାଞ୍ଚ କରୁଛି ।
Comments are closed.