Latest Odisha News

କେହି କିଣିଲେନି, ଶେଷରେ ଅନାହାରରେ ମା’ କୋଳରେ ଆଖି ବୁଜିଲା ଶିଶୁ

କେନ୍ଦୁଝର: ନେହୁରା ହେଉଥିଲା, କେହି ହେଲେ ମୋ ଛୁଆକୁ କିଣିନିଅ । କେହି ଶୁଣିଲେନି ତା କଥା । ହୁଏତ କେହି କହିଲେ ମା’ ହୋଇ ସନ୍ତାନକୁ ବିକିବାକୁ ଚାହୁଁଛି ? ହେଲେ  ସେ ଥିଲା ମା’ । ତା ମନ ଚାହୁଁଥିଲା,  ମୋ ପାଖରେ ନହେଲା ନାହିଁ, କାହା ପାଖରେ ହେଲେ ତ ଛୁଆ ମୋର ବଞ୍ଚିଯିବ । ଏବେ ନ ହେଲେ ନାହିଁ, କେବେ ତ ମୋ ଛୁଆକୁ ଦେଖିବାର ସମ୍ଭାବନା ଟିକିଏ ରହିବ !  ହେଲେ ସେତକ ବି ହୋଇ ପାରିଲାନି । ଶେଷରେ ଗତକାଲି ରାତିରେ ଅନାହାରରେ ମା’ କୋଳରେ ଆଖି ବୁଜିଦେଇଛି ଶିଶୁକନ୍ୟାଟି ।

ଅଳ୍ପଦିନ ତଳେ ହାଟଡିହି ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଅଞ୍ଚଳରେ ଦୁଃଖି ମା’ଟିଏ ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରି ପାଇଁ ଘରଘର ବୁଲି ନେହୁରା ହେଉଥିଲା ।  ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ଚର୍ଚ୍ଚା ଜୋର ଧରିଥିଲା। ହେଲେ କେହି କିଣି ନ ଥିଲେ । ପରଦିନ ମା’ଟି ସ୍ୱର ବଦଳାଇଥିଲା । ମୁଁ ମଜାରେ କହୁଥିଲି ବୋଲି କହିଥିଲା । ହେଲେ ଏହା ସ୍ୱେଚ୍ଛାରେ ନା ଚାପରେ ସେ ନେଇ ସନ୍ଦେହ ଦେଖା ଦେଇଥିଲା । ହେଲେ ସେ ସନ୍ଦେହ ଦୂର ହୋଇଛି ।

ହାଟଡିହି ବ୍ଲକ୍ ବିଷ୍ଣୁପୁର ଗ୍ରାମରେ ମମତାଙ୍କ ଘର ।  କିଛିମାସ ତଳେ ଶାଶୂ ଓ ସ୍ବାମୀଙ୍କ  ମୃତ୍ୟୁ ପରେ ମମତା ସମ୍ପୂର୍ଣ୍ଣ ଅସହାୟ ହୋଇଯାଇଥିଲେ । ୪ ଛୁଆଙ୍କୁ ଧରି ଦୁଃଖକଷ୍ଟରେ ଚଳୁଥିଲେ । ସରକାରୀ ଯୋଜନା ତାଙ୍କ ପାଇଁ ଅପହଞ୍ଚ ଥିଲା । ମମତା ନିଜ ୧୦ ବର୍ଷର ପୁଅକୁ ଘୁଷୁରି ଚରାଇବା ପାଇଁ ଛାଡ଼ିଥିବା ବେଳେ ତିନିଝିଅଙ୍କୁ ପାଖରେ ରଖିଥିଲେ । ଖାଦ୍ୟାଭାବରୁ ତିନିମାସର ସାନଝିଅ ଅପପୁଷ୍ଟିର ଶିକାର ହୋଇଥିଲା । ଶିଶୁଟିକୁ ବିକ୍ରି ଉଦ୍ୟମ କରିବା ବେଳେ କିଛି ସ୍ଵେଚ୍ଛାସେବୀ ଏବଂ ଚାଇଲ୍ଡ ଲାଇନ୍‌ ସଦସ୍ୟ ପହଞ୍ଚି ବୁଝାସୁଝା କରିବା ପରେ ସେ ଏଥିରୁ ବିରତ ରହିଥିଲେ ।

ଏ ନେଇ  ଓଡ଼ିଶା ସମ୍ବାଦରେ ପ୍ରକାଶ ପାଇବା ପରେ ପ୍ରଶାସନ ଅଧିକାରୀମାନେ ତାଙ୍କ ଘରେ ପହଞ୍ଚିଥିଲେ । ବସ୍ତାଏ ଚାଉଳ , ଛତୁଆ ପକେଟ୍ , ପଲିଥିନି ଓ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଶିଶୁ ବିକ୍ରି ଉଦ୍ୟମ କଥା ମିଛ ’ ବୋଲି କହିବାକୁ ମମତାଙ୍କ ଉପରେ ବିଭିନ୍ନ ସ୍ତରରୁ ଚାପ ପକାଇଥିଲେ । ଏଥିସହିତ , ଶିଶୁଟିକୁ ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବାପରେ ପୁଣି ମା ’ ପାଖରେ ଆଣି ଛାଡ଼ି ଦେଇଥିଲେ ।

ଅଧିକ ପଢନ୍ତୁ: ଅସହ୍ୟ ହେଉଛି ଅଭାବ : କୋଳ ଶିଶୁକୁ ବିକିବାକୁ ଦ୍ୱାର ଦ୍ୱାର ବୁଲୁଛି ମା’

ପ୍ରକୃତରେ ଅଭାବରେ ପଡି ମା’ ନବଜାତ ଶିଶୁକନ୍ୟାକୁ  ବିକିବାକୁ ଚାହୁଁଥିଲା । ହେଲେ ପ୍ରଶାସନର ହେଉ ବା ଗ୍ରାମବାସୀଙ୍କର, ନିଜ ମତରୁ ଓହରି ଯାଇଥିଲା ସିନା କିନ୍ତୁ ତାକୁ ବଞ୍ଚାଇ ପାରି ନ ଥିଲା ।   ଖାଦ୍ୟ ଅଭାବରୁ ଅପପୁଷ୍ଟିର ଶିକାରହୋଇ ଶିଶୁଟି ଶେଷରେ ପ୍ରାଣ ହରାଇଛି । ଏହି ଶିଶୁଟିର ଦୁଃଖଦ ମୃତ୍ୟୁପରେ ପ୍ରଶାସନର ଭୂମିକାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।ପ୍ରଶାସନ ବସ୍ତାଏ ଚାଉଳ , ଛତୁଆ ପ୍ୟାକେଟ୍ ଓ କିଛି ଲୁଗାପଟା ଦେଇ ନିଜର ଦାୟିତ୍ବ ସାରି ଦେଇଥିବା ୩ମାସର ମୃତଶିଶୁର ମାଆ ମମତା ଦାସ ଅଭିଯୋଗ ଆଣିଛନ୍ତି।

ଅନ୍ୟ ପକ୍ଷରେ ଶିଶୁକନ୍ୟା ଟିର ଉପଯୁକ୍ତ ଯତ୍ନ ନନେବାରୁ ମୃତ୍ୟୁ ଘଟିଥିବା ଡାକ୍ତର ଶାଳଣିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ପ୍ରଜାତ ନାୟକ କହିଛନ୍ତି , ସେଦିନ ଶିଶୁଟିକୁ ଔଷଧ ଓ ଭିଟାମିନ୍ ସିରପ୍ ଦିଆଯାଇଥିଲା । କିନ୍ତୁ , ପରବର୍ତୀ ସମୟରେ ମା ’ ଶିଶୁଟିକୁ ଆଉ ଡାକ୍ତରଖାନା ଆଣି ନଥିଲେ । ଅବହେଳା ଯେଉଁଠି ଥାଉନା କାହିଁକି , ଅପପୁଷ୍ଟିର ଶିକାର ହୋଇ ଶିଶୁଟି ପ୍ରାଣ ହରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

 

Leave A Reply

Your email address will not be published.