Latest Odisha News

BREAKING NEWS

ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ଦିବସରେ ବିଭୋର ହେଲେ ଦର୍ଶକ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ଦିବସ ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ରାଜ୍ୟରୁ ଖ୍ୟାତନାମା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ଶାସନ ସଚିବ ଅତସୀ ଦାସ, ଅର୍ଥ ପରାମର୍ଶଦାତା ପଦ୍ମଜ୍ୟୋତି ସାହୁ, ଗୁରୁ ଭରତ ଚରଣ ଗିରି, ଗୁରୁ ଜ୍ୟୋତି ରାଉତ, କେଦାର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କୋଲକାତାର ନୃତ୍ୟଶିଳ୍ପୀମାନେ ଦଳଗତ “ଭାବଶ୍ରୀଙ୍ଗାର” ପରିବେଷଣ କରିଥିଲେ । ସେହିପରି ନୃତ୍ୟପୁରୀ ଡ୍ୟାନ୍ସ ଏକାଡେମୀ, ହାଇଦରାବାଦର ନୃତ୍ୟ ଶିଳ୍ପୀ ଏବଂ ଏକାମ୍ର ସ୍କୁଲ ଅଫ୍ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ, ଭୁବନେଶ୍ୱରର ନୃତ୍ୟ ଶିଳ୍ପୀମାନେ ନିଜ ନିଜ କ୍ରମରେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ତାଳଚେରରୁ ଅନନ୍ୟା ଅଭିଲିପ୍ସା ଦାସ, ଭୁବନେଶ୍ୱରରୁ ଇଶାନୀ ମିଶ୍ର,ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର, ଶୁଭାଙ୍ଗୀ ସଂଜୀବନୀ ପ୍ରଧାନ, ସ୍ୱାତୀ ସୋନାଲିକା ପଣ୍ଡା, ଦୀପକ କୁମାର ନନ୍ଦୀ, କୋଲକାତାରୁ ଶୀର୍ଷା ବାନାର୍ଜୀ ଏବଂ ସୌଭିକ୍ ମୋଦକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ସେହିପରି ଦ୍ଵିତୀୟ ଅଧିବେଶନରେ ବର୍ଦ୍ଧମାନ ପ୍ରତିଭା ସାଂସ୍କୃତିକ କେନ୍ଦ୍ର(ପଶ୍ଚିମବଙ୍ଗ)ର ଶିଳ୍ପୀମାନେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ତି. ତୁଲିକା ରେଡ୍ଡି,ଭୁବନେଶ୍ୱର, ଦିପ୍ରୀମୟୀ ସାହୁ(ବ୍ରହ୍ମପୁର),ଦେବାଂଶୀ ନିକିତା ଚୌଧୁରୀ,ଭୁବନେଶ୍ୱର ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ସୂଜାତା ଅଗ୍ରଓ୍ୱାଲ ଏବଂ ସସ୍ମିତା ବେହେରାଙ୍କ ଦ୍ୱାରା ଓଡ଼ିଶୀ ଯୁଗଳବନ୍ଦୀ ପରିବେଷଣ କରାଯାଇଥିଲା । ପ୍ରଦକ୍ଷିଣା, ଭୁବନେଶ୍ୱର ଏବଂ ନୃତ୍ୟାଙ୍ଗନା ଅନୁଷ୍ଠାନର ନୃତ୍ୟ ଶିଳ୍ପୀମାନେ ନିଜ ନିଜ କ୍ରମରେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମର ତୃତୀୟ ବା ସାନ୍ଧ୍ୟ ଅଧିବେଶନରେ ଗୁରୁ ସୁଜାତା ମହାପାତ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ମିଶ୍ର, ଓଡ଼ିଶା ଲଳିତ କଳା ଏକାଡେମୀର ଗୁରୁ ପଞ୍ଚାନନ ସାମଲ, ଗୁରୁ କ୍ଷୀରୋଦ ପଟ୍ଟନାୟକ, ସଂଗୀତ ଗୁରୁ ବିଜୟ କୁମାର ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଚପଳା ମିଶ୍ର-ଭୁବନେଶ୍ୱର, ମଧୁଲିତା ମହାପାତ୍ର-ବେଙ୍ଗାଲୁରୁ, ଶିବନାରାୟଣ ବାନାର୍ଜୀ(କୋଲକାତା), ସସ୍ମିତା ପଣ୍ଡା-କଟକ, ସାଓନ୍ଲି ବୋରାଳ ନନ୍ଦୀ(କୋଲକାତା), ମନୋଜ କୁମାର ପ୍ରଧାନ, ପୁରୀ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ବୃନ୍ଦାବନରୁ ଯୋଗଦେଇଖିବା ବିଷ୍ଣୁପ୍ରିୟା ଗୋସ୍ୱାମୀ ଓ ସୋଫିଆ କୁହାରେନୋକ ଏବଂ ଭୁବନେଶ୍ୱରରୁ ସ୍ୱାଗତିକା ପତ୍ରୀ ଓ ଜ୍ୟୋତ୍ସ୍ନାରାଣୀ ପାରମାଣିକ ଦ୍ୱେତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ସଂକଳ୍ପ ନୃତ୍ୟାୟନ (କୋଲକାତା)ର ନୃତ୍ୟ ଶିଳ୍ପୀମାନେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନୃତ୍ୟ ଶିଳ୍ପୀମାନଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.