Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପକୁ ଋଷ ରାଷ୍ଟ୍ରପତିଙ୍କ ପ୍ରଂଶସା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଋଷ ଏବଂ ଭାରତ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ରହିଆସିଛି। ପ୍ରତିରକ୍ଷା ଠାରୁ ଆରମ୍ଭ କରି ଅନେକ ସ୍ତରରେ ଦୁଇ ଦେଶ ମଧ୍ୟରେ ଭଲ ବାଣିଜ୍ୟ ସମ୍ପର୍କ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭ୍ଲାଦିମିର ପୁଟିନ୍ ପରସ୍ପରକୁ ସର୍ବଦା ପ୍ରଶଂସା କରନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ପୁଟିନ୍ କହିଛନ୍ତି ଯେ ଭାରତ ସରକାରଙ୍କ ଏହି ନୀତି ଭାରତୀୟ ଅର୍ଥନୀତି ଉପରେ ପ୍ରକୃତରେ ଗଭୀର ପ୍ରଭାବ ପକାଇବ। ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଟିନ୍‌ ଏହା କହିଛନ୍ତି।

ଏଜେନ୍ସି ଫର ଷ୍ଟ୍ରାଟେଜିକ୍ ଇନିସିଏଟିଭ୍ସର ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଭାରତରେ କରାଯାଉଥିବା ଭଲ କାମକୁ ଋଷ ଯଦି ଆପେଣଇବ ତେବେ ଏଥିରେ କୌଣସି କ୍ଷତି ହେବ ନାହିଁ। ଭାରତରେ ଆମର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ବର୍ଷ ପୂର୍ବେ ‘ମେକ୍ ଇନ୍ ଇଣ୍ଡିଆ’ ନାମକ ଏକ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଭାରତର ଅର୍ଥନୀତିରେ ଭଲ ପ୍ରଭାବ ଦେଖାଇଛି। ଭାରତ ଭଲ କାମ କରୁଛି ଏବଂ ଏଥିରୁ ଶିଖିବାର କୌଣସି କ୍ଷତି ନାହିଁ। ଏହି ସମୟରେ ପୁଟିନ୍ କହିଛନ୍ତି ଯେ ଆମର ଉତ୍ପାଦକୁ ଆଧୁନିକୀକରଣ କରିବା ଏବଂ ସେଗୁଡିକୁ ଅଧିକ ସୁବିଧାଜନକ ଓ କାର୍ଯ୍ୟକ୍ଷମ କରିବା ବିଷୟରେ ଚିନ୍ତା କରିବା ଆବଶ୍ୟକ। ସେଥିପାଇଁ ଘରୋଇ ବ୍ୟବସାୟ ପାଇଁ ଶିଳ୍ପ ଏବଂ ଉତ୍ପାଦ ଡିଜାଇନ୍ ଏକ ଅତ୍ୟାବଶ୍ୟକ ଉତ୍ସ ହେବା ଉଚିତ୍। ଋଷ ରାଷ୍ଟ୍ରପତିଙ୍କ ମୁହଁରେ ‘ମେକ୍‌ ଇନ୍‌ ଇଣ୍ଡିଆ’ର ପ୍ରଶଂସାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ୟୁକ୍ରେନ ଯୁଦ୍ଧ ପରେ ଋଷ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଋଷର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆ ପଦକ୍ଷେପକୁ ଆପଣାଇବା ପାଇଁ ପୁଟିନ ଯୋଜନା କରିଛନ୍ତି। ସୂଚନାଥାଉ କି, ଭାରତକୁ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗ ଏବଂ ଉତ୍ପାଦନ, ଭିତ୍ତିଭୂମି ଏବଂ ନିବେଶର ଏକ ବିଶ୍ୱସ୍ତରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୨୫ ସେପ୍ଟେମ୍ବର ୨୦୧୪ ରେ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

Comments are closed.