ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ୫-୬ରେ ଭାରତ ଗସ୍ତରେ ଆସିବେ ବୋଲି ରିପୋର୍ଟରୁ ଜଣାପଡିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା ସହ ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ ହେବା ନେଇ ଆଲୋଚନା ଚାଲିଛି।
ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଅଗଷ୍ଟ ମାସରେ ମସ୍କୋ ଗସ୍ତ ସମୟରେ ଏହାକୁ ନେଇ ଘୋଷଣା କରିଥିଲେ। ବର୍ତ୍ତମାନ ଋଷ ସହିତ ବାଣିଜ୍ୟକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଯାହାଫଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦% ଶୁଳ୍କ ମଧ୍ୟ ଲାଗୁ କରିଦେଇଛନ୍ତି।
ତେବେ ୟୁକ୍ରେନ ସହ ଯୁଦ୍ଧ ସମାପ୍ତ କରିବା ପାଇଁ ଋଷ ଉପରେ ଚାପ ପକାଇବା ପାଇଁ ଆମେରିକା ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ପଶ୍ଚିମ ଦେଶଗୁଡ଼ିକ ଦୀର୍ଘ ଦିନ ଧରି ଋଷର ଆୟ ହ୍ରାସ କରିବାକୁ ଚେଷ୍ଟା କରିଆସୁଛନ୍ତି। ତେବେ ଋଷ ପାଇଁ ତେଲ ଏବଂ ଶକ୍ତି ରାଜସ୍ୱ ଏହାର ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ।
ଭାରତ ଏବଂ ଋଷର ସମ୍ପର୍କ ସୋଭିଏତ୍ ଯୁଗରୁ ଚାଲିଆସିଛି ଓ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟ ଏବଂ ପ୍ରତିରକ୍ଷା ସହଯୋଗ ରହିଛି। ବର୍ତ୍ତମାନ ସମୟରେ ଋଷ ଭାରତର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଅଟେ। ଏହା ବ୍ୟତୀତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ଋଷରୁ ସବୁଠାରୁ ବଡ଼ ତୈଳ କ୍ରେତା ହୋଇସାରିଛି। ବର୍ତ୍ତମାନ ସମୟରେ ଆମେରିକା ର ବର୍ଦ୍ଧିତ ବାଣିଜ୍ୟ ଚାପକୁ ଦୃଷ୍ଟିରେ ରଖି ପୁଟିନଙ୍କ ଗସ୍ତକୁ ଭାରତର କୂଟନୈତିକ ରଣନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି ଗସ୍ତ ଦ୍ଵାରା ଋଷ ସହ ଭାରତର ସମ୍ପର୍କ ଦୃଢ଼ ହେବ କିନ୍ତୁ ୱାଶିଂଟନ୍ ସହିତ ସମ୍ପର୍କ ରହିବା ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି।
Comments are closed.