ନୂଆଦିଲ୍ଲୀ: ରିତୁରାଜ ଗାଏକ୍ୱାଡ ଲିଷ୍ଟ ଏ କ୍ରିକେଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ସେ ଗୋଆ ବିପକ୍ଷରେ ୧୩୪ ରନର ଇନିଂସ ଖେଳିଥିଲେ । ଲିଷ୍ଟ ଏ କ୍ରିକେଟରେ ଏହା ତାଙ୍କର ୨୦ତମ ଶତକ । ଲିଷ୍ଟ ଏ କ୍ରିକେଟରେ ୫୦ ଇନିଂସରୁ ଅଧିକ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ସେ ସର୍ବାଧକ ଆଭରେଜରେ ରନ ସଂଗ୍ରହ କରି ମାଇକେଲ ବେଭନଙ୍କ ବିଶ୍ୱରେକର୍ଡ ଭଙ୍ଗ କରିଛନ୍ତି । ୨୦୨୫ରେ ସେ ମହାରାଷ୍ଟ୍ର ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେ ୭ଟି ଇନିଂସରେ ୮୨.୬୦ ଆଭରେଜରେ ୪୧୩ ରନ କରିଥିଲେ । ସେ ୯୫ ଇନିଂସରେ ଓଭରାଲ ୫୮.୮୩ ଆଭରେଜରେ ୫୦୬୦ ରନ କରିଛନ୍ତି ।
ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ମାଇକେଲ ବେଭାନ ୫୭.୮୬ ଆଭରେଜରେ ରନ ସଂଗ୍ରହ କରିଥିଲେ । ଏହି ତାଲିକାରେ ଗାଏକ୍ୱାଡ ଭାରତର ବିରାଟ କୋହଲି (୫୭.୨୭)ଓ ଚେତେଶ୍ୱର ପୂଜାରା(୫୭.୦୧)ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଶ୍ରେୟାଶ ଆୟାରଙ୍କ ଅନୁପସ୍ଥିତିରେ ରିତୁରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ । ଏବେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜରେ ଦଳରୁ ବାଦ ଦିଆଯାଇଛି ।